ଓମସା ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ, କାର୍ଯ୍ୟରେ ଯୋଗ ଦେଲେ ଡାକ୍ତର
ଧାମନଗର (ଓ୍ବାଇଏନଏସ): ଓମସା ଆକ୍ସନ କମିଟିର ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଜୁଲାଇ ଏକ ତାରିଖ ଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ୧୦ ଦଫା ସମ୍ବଳିତ ଦାବି ପୂରଣ ନେଇ ଓମସା ଡାକ୍ତରଙ୍କ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହାର ପ୍ରଭାବ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଥିଲା।ଚିକିତ୍ସା ନପାଇ ବହୁ ଦୂରଦୂରାନ୍ତରୁ ଆସିଥିବା ରୋଗୀମାନେ ଚରମ ହନ୍ତସନ୍ତ ହେଉଥିଲେ। ସ୍ଥିତିର ମୁକାବିଲା ଲାଗି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିକଳ୍ପ ବ୍ୟବସ୍ଥା ସ୍ୱରୂପ ଆୟୁଷ ଡାକ୍ତରମାନଙ୍କୁ ଅଦଳବଦଳ ଭିତ୍ତିରେ ନିୟୋଜିତ କରି ରୋଗୀସେବା ଯୋଗାଇ ଦିଆଯାଇଥିଲା। ତେବେ ଆନ୍ଦୋଳନର ୪ ଦିନ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ବିଭାଗୀୟ ସଚିବଙ୍କ ସହିତ ଓମସା କମିଟିର ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ଓ କର୍ମକର୍ତ୍ତାଙ୍କ ଉପସ୍ଥିତରେ ବିଭିନ୍ନ ଦାବି ପୂରଣ ସମ୍ପର୍କରେ ବ୍ୟାପକ ଆଲୋଚନା ସହ ଚଳିତ ମାସ ୨୨ ତାରିଖରେ ଉଚସ୍ତରୀୟ କମିଟି ଡାକି ଦାବି ପୂରଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ପ୍ରତିଶ୍ରୁତି ଦେଇଛନ୍ତି। ପରେ ଓମସା ଆକ୍ସନ କମିଟିର ଘୋଷଣା ପରେ ଓମସା ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ ହୋଇଥିଲା। ରବିବାର ଠାରୁ ଓମସା ଡାକ୍ତର ମାନେ କାର୍ଯ୍ୟରେ ଯୋଗଦେବା ପାଇଁ ଓମସା ରାଜ୍ୟ ସଭାପତି ଶ୍ରୀ ମିଶ୍ର ଘୋଷଣା କରିଥିଲେ।


