ପ୍ରଧାନମନ୍ତ୍ରୀ ଆବାସର ଲମ୍ବା ତାଲିକା ପ୍ରକାଶ: ୬୦ ଭାଗ ଅଯୋଗ୍ୟ ହିତାଧିକାରୀ ସାମିଲ ଅଭିଯୋଗ

ହାଟଡ଼ିହି,(ଓ୍ବାଇଏନଏସ) : କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକରେ  ଆବାସର ଲମ୍ବା ତାଲିକା ପ୍ରକାଶ ପାଇଛି। ପ୍ରତି ପଞ୍ଚାୟତ କାନ୍ଥରେ ପ୍ରଧାନ ମନ୍ତ୍ରୀ ଆବାସ ପାଇଁ ହିତାଧୂକାରୀଙ୍କର ନାମ ତାଲିକା ମରା ଯାଇଛି । ତେବେ ଏଥର ଏହି ଲମ୍ବା ତାଲିକାକୁ ନେଇ ନାନା ପ୍ରଶ୍ନ ଉଠିଛି। ପ୍ରକାଶ ପାଇଥିବା ଏହି ତାଲିକାରେ ୬୦ ଭାଗ ଅଯୋଗ୍ୟ ହିତାଧିକାରୀ ସାମିଲ ହୋଇଥିବା ନେଇ ଆଲୋଚନା ହେଉଛି। ବିଭାଗୀୟ କର୍ତ୍ତୃପକ୍ଷ କହୁଛନ୍ତି ଯେ  ଯାଞ୍ଚ ପରେ ଯାଇ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ବ୍ଲକ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆବାସ ଯୋଜନାରେ ସାମିଲ ହେବା ପାଇଁ ଲୋକମାନେ ଅନଲାଇନ ଓ ଅଫଲାଇନ ରେ ଆବେଦନ କରିଥିଲେ। ବ୍ଲକର ୩୧ଟି ଯାକ ପଞ୍ଚାୟତରେ ମୋଟ ୧୬୯୮୭ ହିତାଧିକାରୀ ଆବେଦନ କରିଛନ୍ତି। ଏବେବି ପ୍ରତିଦିନ ଶହ ଶହ ଲୋକ ତାଙ୍କ ନାମ ତାଲିକାରେ ନଥିବା ଦର୍ଶାଇ ବ୍ଲକକୁ ଦୌଡୁଛନ୍ତି। ପଞ୍ଚୁଗୋଛିଆ ପଞ୍ଚାୟତରେ ସର୍ବାଧିକ ୧୦୪୪ ଜଣ ହିତାଧିକାରୀ ଆବାସ ଯୋଜନାରେ ଘର ପାଇବା ପାଇଁ ଆବେଦନ କରିଥିବା ବେଳେ ସମଣା ପଞ୍ଚାୟତରେ ୯୨୩ ଜଣ, ବଞ୍ଚୋ ପଞ୍ଚାୟତରେ ୯୧୫ ଜଣ, କେ.ବାଲିପାଳ ପଞ୍ଚାୟତରେ ୮୦୦ ଜଣ, ମରୈଗାଁ ପଞ୍ଚାୟତରେ ୭୬୬ ଜଣ, ପଢ଼ିଆରୀପଲ୍ଲୀ ପଞ୍ଚାୟତରେ ୭୩୨ଜଣ, ଢେଙ୍କା ପଞ୍ଚାୟତରେ ୬୯୩ ଜଣ,  ଆମ୍ବୋ ପଞ୍ଚାୟତରେ ୬୪୩, ବାଲିବରେଇ ପଞ୍ଚାୟତରେ ୬୨୭ ଜଣ, ହାବଳେଶ୍ୱର ପଞ୍ଚାୟତରେ ୬୧୮ଜଣ ଏପରି ସବୁ ପଞ୍ଚାୟତରୁ ଶହ ଶହ ଲୋକ ଆବାସ ଘର ପାଇଁ ଆବେଦନ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ ତାଲିକା ପ୍ରକାଶ ପାଇବା ପରେ ପ୍ରତି ପଞ୍ଚାୟତରୁ ପୁଳା ପୁଳା ଅଭିଯୋଗ ଆସୁଛି। ପୂର୍ବରୁ ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ, ମାଇନିଂ ଘର, ବିଜୁ ପକ୍କା ଘର ଭଳି ଯୋଜନାରେ ଘର ପାଇଥିବା ଲୋକେ ଏବେ ପୁଣି ଭିନ୍ନ ଭିନ୍ନ ନାମରେ ଘର ପାଇଁ ଆବେଦନ କରିଛନ୍ତି। ଅନେକ ଅଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିଛନ୍ତି। ପୂର୍ବରୁ ହାଟଡିହି ବ୍ଲକରେ ୨୦୫୬୨ ପ୍ରଧାନମନ୍ତ୍ରୀ ଆବାସ ଘର ବଣ୍ଟନ ହୋଇଥିବା ବେଳେ ୯୪୦୦ ଖଣି ପ୍ରଭାବିତ ବିଜୁ ପକ୍କାଘର, ଘର, ୫୦୦୦ରୁ ଉର୍ଦ୍ଧ୍ଵ ବିଜୁ ପକ୍କାଘର ଓ ୧୫୦୦୦ ପାଖାପାଖି ଇନ୍ଦିରା ଆବାସ ଘର ବଣ୍ଟନ ହୋଇଥିଲା। ଏବେ ଏତେ ପରିମାଣର ଘର ଆବେଦନ ହୋଇଥିବାରୁ ଗାଁ ଗାଁ ବୁଲି ତଦନ୍ତ କରି ପ୍ରକୃତ ଯୋଗ୍ୟ ହିତାଧିକାରୀ ଚିହ୍ନଟ କରାଯିବ ବୋଲି ବିଡ଼ିଓ କହିଛନ୍ତି। ଅନ ଲାଇନ ରେ ଆବେଦନ କରିଥିବା ଯୋଗୁଁ ଅଧିକାଂଶ ଅଯୋଗ୍ୟ ହିତାଧିକାରୀ ଆବେଦନ କରିଥିବା ଅନୁମାନ କରା ଯାଉଛି। ଏତେ ସଂଖ୍ୟକ ଆବେଦନ ହୋଇଥିବାରୁ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀ ଚୟନ କରିବାରେ ସ୍ୱଚ୍ଛତା ସ୍ୱଚ୍ଛତା ରହିଵା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯେପରି ଯୋଗ୍ୟ ହିତାଧିକାରୀ ବାଦ ନପଡ଼ନ୍ତି ସେଥିପ୍ରତି ଗୁରୁତ୍ୱ ଦେବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ