ବାଲେଶ୍ୱର ଜିଲ୍ଲାର ଚିଠା ଭୋଟର ତାଲିକା ପ୍ରକାଶିତ
ବାଲେଶ୍ୱର,(ସରୋଜ ପଣ୍ଡା): ଭାରତ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଅନୁଯାୟୀ ଆଜି ସନ୍ଧ୍ୟା ୫.୩୦ ଘଟିକା ସମୟରେ ବାଲେଶ୍ୱର ଜିଲ୍ଲାର ଚିଠା ଭୋଟର ତାଲିକା ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ସର୍ବଦଳୀୟ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଏହି ଚିଠା ଭୋଟର ତାଲିକା ଉନ୍ମୋଚିତ ହୋଇଯାଇଛି।ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିଲ୍ଲାର ସମସ୍ତ ପ୍ରମୁଖ ଓ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ସଭାପତି, ସମ୍ପାଦକ ଏବଂ ବରିଷ୍ଠ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବୈଠକ ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ସ୍ୱାଗତ କରିବା ସହ ଏକ ସ୍ୱଚ୍ଛ, ନିର୍ଭୁଲ ଓ ସମୃଦ୍ଧ ଭୋଟର ତାଲିକା ପ୍ରସ୍ତୁତ କରିବାରେ ସେମାନଙ୍କର ସହଯୋଗ କାମନା କରିଥିଲେ। ଏହାପରେ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ଚିଠା ଭୋଟର ତାଲିକାର ହାର୍ଡ କପି ସମସ୍ତ ରାଜନୈତିକ ଦଳର ସଭାପତି ଓ ପ୍ରତିନିଧିମାନଙ୍କୁ ପ୍ରଦାନ କରାଯାଇଥିଲା। ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଚିଠା ଭୋଟର ତାଲିକାରେ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ମୋଟ ଭୋଟରଙ୍କ ସଂଖ୍ୟା ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରାଯାଇଛି। ବିଗତ ଦିନରେ ବୁଥ୍ ସ୍ତରୀୟ ଅଧିକାରୀ (BLO) ମାନଙ୍କ ଦ୍ୱାରା ଘରକୁ ଘର ବୁଲି କରାଯାଇଥିବା ସର୍ଭେ ଆଧାରରେ ନୂତନ ଭୋଟରଙ୍କ ନାମ ସାମିଲ ଏବଂ ମୃତ ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦିଆଯାଇ ଏହି ଚିଠା ତାଲିକା ପ୍ରସ୍ତୁତ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ, ଆଜି ଅର୍ଥାତ୍ ୫ ଜୁଲାଇ ୨୦୨୬ ଠାରୁ ଏହି ଚିଠା ଭୋଟର ତାଲିକା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଉପଲବ୍ଧ ହେବ। ଯଦି କୌଣସି ଯୋଗ୍ୟ ନାଗରିକଙ୍କ ନାମ ଏହି ତାଲିକାରେ ସ୍ଥାନ ପାଇନାହିଁ କିମ୍ବା କାହାର ନାମ, ବୟସ, ଠିକଣା ବା ଫଟୋରେ କିଛି ତ୍ରୁଟି ରହିଛି, ତେବେ ସେମାନେ ସଂଶୋଧନ ପାଇଁ ଆବେଦନ କରିପାରିବେ। ଆଗାମୀ ଏକ ମାସ ପର୍ଯ୍ୟନ୍ତ (ଅର୍ଥାତ୍ ଅଗଷ୍ଟ ୪, ୨୦୨୬ ପର୍ଯ୍ୟନ୍ତ) ଦାବି ଓ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ କୁମାର ସିଂହ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ, ଡେପୁଟି କଲେକ୍ଟର, ନିର୍ବାଚନ ସୁଶ୍ରୀ ସମୀକ୍ଷା ବେହୁରାଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ପଦାଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ।


