ମଦ ଦୋକାନକୁ ବିରୋଧ: ଶତାଧିକ ମହିଳା ପୁରୁଷ ଥାନାରେ ଦେଲେ ଦାବିପତ୍ର
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଅନ୍ତର୍ଗତ ନଦିଗାଁ ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ଘୋର ବିରୋଧ କରି ଆଜି ଶତାଧିକ ମହିଳା ଓ ସ୍ଥାନୀୟ ଜନସାଧାରଣ ଏକତ୍ରିତ ହୋଇ ଧୁଷୁରୀ ଥାନାରେ ପହଞ୍ଚିଥିଲେ। ଥାନା ଅନ୍ତର୍ଗତ ଅର୍ଜୁନପୁର,ଧୁଷୁରୀ,ଭଟସାହି ନଦିଗାଁ ସମେତ ପ୍ରାୟ ୪ଟି ପଞ୍ଚାୟତର ଲୋକ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଶତାଧିକ ମହିଳା ଓ ପୁରୁଷ ମାନଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିବାଦରେ ସାମିଲ ହୋଇ ମଦ ଦୋକାନ ସ୍ଥାପନ ହେଲେ ସମାଜରେ ଅଶାନ୍ତି,ଯୁବପିଢ଼ିର ଭବିଷ୍ୟତ ଅନ୍ଧକାର ହେବା ସହ ମହିଳା ମାନଙ୍କ ସୁରକ୍ଷା ପ୍ରତି କୁପ୍ରଭାବ ପଡ଼ିବ ବୋଲି ଲୋକମାନେ ମତ ପ୍ରକାଶ କରି ଘୋର ବିରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶତାଧିକ ମହିଳା ଓ ପୁରୁଷ ପ୍ରତିବାଦକାରୀମାନେ ଏକ ଶୋଭାଯାତ୍ରାରେ ଧୁଷୁରୀ ଥାନାରେ ପହଞ୍ଚି ଆଇଆଇସିଙ୍କୁ ଏକ ଦାବିପତ୍ର ପ୍ରଦାନ କରି ପ୍ରସ୍ତାବିତ ମଦ ଦୋକାନକୁ ତୁରନ୍ତ ବାତିଲ କରିବାକୁ ଦାବି କରିଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଶତାଧିକ ମହିଳା ମାନେ ଚେତାବନୀ ଦେଇଛନ୍ତି। ଏହି ମଦ ଦୋକାନ ବିରୋଧକୁ ନେଇ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଚର୍ଚ୍ଚା ଜୋର ଧରିଛି।


