ମହେନ୍ଦ୍ର ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ରାୟଗଡବ୍ଲକ ତଥା ଗାରବନ୍ଧ ଥାନା ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଦର୍ଶନ ସାରି ଗତକାଲି ଅପରାହ୍ନରେ ଫେରୁଥିବା ଏକ ମ୍ୟାକ୍ସପିକଅପ ଭ୍ୟାନ କୌଣସି କାରଣରୁ ଭାରସାମ୍ୟ ହରାଇ ଘାଟି ତଳକୁ ଗଡିଯିବା ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଗାରବନ୍ଧ ଗ୍ରାମର ଅଙ୍ଗନବାଡି କର୍ମୀ କେ.ମଣିମାଳା (୪୯) ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ ୬ଜଣ ଗୁରୁତର ହୋଇଥିଲେ । ସନ୍ଧ୍ୟା ହୋଇଯାଇଥିବା ଯୋଗୁଁ ଗତକାଲି ମୃତ ମହିଳାଙ୍କ ଶବ ଶତ୍କାର ହୋଇପାରିନଥିଲା । ଆଜି ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାସ୍ତରୀୟ ମୁଖ୍ୟ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ମହିଳାଙ୍କ ନିଜସ୍ୱ ଗ୍ରାମରେ ଶୋକାକୁଳ ପରିବେଶରେ ଆଜି ମଧ୍ୟାହ୍ନରେ ଶବ ସତ୍କାର କରାଯାଇଛି । ଘଟଣାରୁ ପ୍ରକାଶ ଯେ, ଗତକାଲି ଗୋଷାଣୀ ବ୍ଲକ ଅନ୍ତର୍ଗତ ଗାରବନ୍ଧ ଅଞ୍ଚଳର କିଛି ମହିଳା ଓ ପୁରୁଷ ୨ଗୋଟି ମ୍ୟାକ୍ସ ପିକଅପ ଡାଲା ଗାଡି ଯୋଗେ ମହେନ୍ଦ୍ରଗିରି ଯାଇଥିଲେ । ତେବେ ମହିଳାମାନେ ବସିଥିବା ମ୍ୟାକ୍ସପିକଅପ ଭ୍ୟାନଟି ଦୁର୍ଘଟଣାର ଶିକାର ହୋଇଥିଲା । ଫେରିବା ରାସ୍ତାରେ ବୁରଖତ-କଇଁପୁର ଘାଟିରେ କୌଣସି କାରଣରୁ ମହିଳାମାନେ ବସିଥିବା ଗାଡି ନମ୍ବର ଓଆର୍ ୨୦ ୮୨୨୩ ପିକଅପ ଭ୍ୟାନଟି ଦୁର୍ଘଟଣା ଘଟିଥିଲା । ଏହି ମହିଳାମାନଙ୍କ ମଧ୍ୟରୁ ବହୁ ଅଙ୍ଗନବାଡି କର୍ମଚାରୀ ରହିଥିବାର ଜଣାପଡିଛି । ଖବର ପାଇ ଗାରବନ୍ଧ ଥାନା ଅଧିକାରୀ ସର୍ବେଶ୍ୱର ସାମନ୍ତରାୟଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏକ ପୋଲିସ ଟିମ୍ ଦୁର୍ଘଟଣାସ୍ଥଳକୁ ଯାଇ ମୃତ ଓ ଆହତମାନଙ୍କୁ ଉଦ୍ଧାର କରିଥିଲେ । ମୃତ ମଣିମାଳାଙ୍କ ଶବବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିବା ବେଳେ ଆହତ ୧୪ଜଣଙ୍କୁ ପ୍ରଥମେ କଇଁପୁର ଓ ପରେ ଗାରବନ୍ଧ ପ୍ରାଥମିକ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା । ପରେ ସମସ୍ତଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ପଠାଇଦେଇଥିଲେ । ତେବେ ଗୁରୁତର ୬ଜଣଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାର ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୂତ୍ରରୁ ପ୍ରକାଶ । ସମସ୍ତ ଆହତଙ୍କ ଅବସ୍ଥା ପଚାରି ବୁଝିବା ପାଇଁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାମଦେବ ସିଂ ସମେତ ବହୁ ପୋଲିସ ଅଧିକାରୀ ଓ ପାରଳାଖେମୁଣ୍ଡି ଆଦର୍ଶ ଥାନାର ଏସ୍‌ଆଇ ବିନାୟକ ମନ୍ତ୍ରୀ ପ୍ରମୁଖ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ପହଞ୍ôଚ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଆହତ ଓ ଗୁରତରଙ୍କ ମଧ୍ୟରେ ବହୁ ମହିଳା ଥିବାର ଜଣାପଡିଛି । ଆହତ ୧୪ଙ୍କ ନାମ ହେଲା ବାଲାଜୀପୁରର ସିଏଚ୍ ସୁକୁଟି, ଗାରବନ୍ଧ ଗ୍ରାମର ଏ.କାମେଶ୍ୱରୀ, ଗୀତାଞ୍ଜଳୀ ଦାସ, କେ. ଅରୁଣା, ପୁଷ୍ପା କୁମାରୀ ପ୍ରଧାନ, ଦୁର୍ଗେରୁ ଗ୍ରାମର ମହାଲକ୍ଷ୍ମୀ ଶବର, ସରସ୍ୱତି ଶବର, ଆକୁଆମେରାର ବି. କାର୍ଯୀ, ମଗଡାର କୁମାରୀ ଶବର, ସାରିଆପଲ୍ଲୀ ଗ୍ରାମର ମଣି ପଣ୍ଡା, କାୟାକୋଣ୍ଡା ଗ୍ରାମର ମୀନାକ୍ଷୀ ଶବର, ରାମଚନ୍ଦ୍ରପୁର ଗ୍ରାମର ମାଳତୀ ପ୍ରଧାନ, ବାଞ୍ଜିରୁ ଗ୍ରାମର କାନ୍ତାମା ଶବର ଏବଂ ଗାରବନ୍ଧ ଗ୍ରାମର ଗାଡି ଚାଳକ ବାଲୁ ବେହେରା ବୋଲି ଜଣାପଡିଛି । ଏନେଇ ଗାରବନ୍ଧ ଥାନାରେ ୯୯/୨୧ରେ ଏକ ମାମଲା ରୁଜୁ କରାଯାଇଥିବାର ଥାନା ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ