ଚିତ୍ରକଳା ପ୍ରଦର୍ଶନୀ ‘ଦ ବାର୍ଡ଼ସ୍’ ଆଉ ଶୁଭୁନି କା’ କା’ର ଡ଼ାକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରାତି ପାହିଲେ କାଉର କା’ କା’ ଡ଼ାକରେ ଭାଙ୍ଗୁଥିଲା ନିଦ । କାଉକୁ ନେଇ ଚାଟଶାଳୀ ବହିରେ ଏକ ସୁନ୍ଦର ଗୀତ ବି ରଚନା କରାଯାଇଛି । ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ । କିନ୍ତୁ ଏବେ ସକାଳ ହେଲେ ଆଗ ପରି ଆଉ କାଉର ରାବ ଶୁଭୁନାହିଁ । ପରିତ୍ୟକ୍ତ ଖାଦ୍ୟ ସ୍ଥାନରେ ଅସଂଖ୍ୟ କାଉ ରୁଣ୍ଡର ଦୃଶ୍ୟ ଆଉ ଦେଖିବାକୁ ମିଳୁନାହିଁ । ସେହିପରି ପରିବେଶକୁ ପରିଚ୍ଛନ୍ନ ରଖୁଥିବା ବିଶାଳ ପକ୍ଷୀ ଶାଗୁଣା ପଲ ପଲ ହୋଇ ବସୁଥିଲେ ମଶାଣୀ ଓ ତାଳଗଛ ଉପରେ । ଏବେ ପଶୁଙ୍କର ଶବ ଦିନ ଦିନ ଧରି ପଡ଼ିରହୁଛି ମଶାଣି ପଦାରେ । ଆଉ ଦେଖିବାକୁ ମିଳୁନି ଶାଗୁଣା । ସେହିଭଳି ପକ୍ଷୀ ଜଗତର ସ୍ଥପତି ବାଇଚଢେଇ ଏବେ ବସା ବାନ୍ଧିବାକୁ ପାଉନାହିଁ ବଡ଼ ବଡ଼ ତୋଳ, ବର, ନଡ଼ିଆ ଗଛ । ଗାଁ ଦାଣ୍ଡ ଓ ଅଗଣାରେ କିଚିରି ମିଚିରି କରୁଥିବା ଘର ଚଟିଆର ଶବ୍ଦ ଏବେ ଆମ ସ୍ମୃତିରେ । କେବଳ କାଉ କିମ୍ବା ଶାଗୁଣା ନୁହେଁ ଆମ ପରିବେଶରୁ ଉଦ୍ଭାନ ହୋଇଗଲେଣି ଘରଚଟିଆ, ଶଙ୍ଖଚିଲ, ପାରା, ମାଛରଙ୍କା ଚଢେଇ, କଜଳପାତି, ହଳଦୀ ବସନ୍ତ ପରି ଅନେକ ପକ୍ଷୀ । ଏସବୁ କେବଳ ପରିବେଶର ପ୍ରତିକୂଳ ଅବସ୍ଥାକୁ ହିଁ ଆମେ ଦାୟୀ କରୁଛେ । ଜୈବ ବିବିଧତାର ସୁରକ୍ଷା ଓ ଜୀବଜଗତର ସନ୍ତୁଳନ ପାଇଁ ଏମାନଙ୍କ ଉପସ୍ଥିତି ନିତାନ୍ତ ଜରୁରୀ ।
ବିଲୁପ୍ତ ହୋଇଯାଉଥିବା ପକ୍ଷୀମାନଙ୍କୁ ନେଇ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର ସାତବର୍ଷର ବାଳକ ଶାନ୍ତନୁ ଶାନ୍ତିସ୍ୱରୂପ ଚିନ୍ତାପ୍ରକଟ କରିବା ସହ ନିଜେ ରଙ୍ଗ ତୂଳୀରେ ଲୋପ ପାଇଯାଉଥିବା ପକ୍ଷୀମାନଙ୍କର ସୁରକ୍ଷା ଲାଗି ଜନସଚେତନତା ଉଦ୍ଦେଶ୍ୟରେ ବିଭିନ୍ନ ପକ୍ଷୀମାନଙ୍କ ଚିତ୍ର ଆଙ୍କିଛନ୍ତି । ଚିତ୍ରରେ ତଳେ ଇଂରାଜୀ ଭାଷାରେ ମନଛୁଆଁ ସ୍ଲୋଗାନ ବି ରହିଛି । ଯଥା-ସେଭ୍ ଦ ସ୍ପାରୋଜ, ବାର୍ଡ଼ସ୍ ଆର୍ ଗଡ୍ସ ନାଚୁରାଲ୍ ଡ୍ରୋନ୍ସ, ମେକ୍ ଏ ରିଭୋଲ୍ୟୁସନ, ଟୁ ରିଡ୍ୟୁସ୍ ରାଡ଼ିଏସନ୍, ଲେଟସ୍ ସେଭ୍ ଦିଜ୍ ଲିଟିଲ୍ ଆଞ୍ଜେଲ୍, ଦ ବାର୍ଡ଼ସ୍୍ ଆର ଦି ଷ୍ଟାରସ୍ ଅଫ୍ ଆୱାର ନେଚର, ଇତ୍ୟାଦି । ଚିତ୍ରଗୁଡ଼ିକୁ ଗ୍ରୀନ୍ୱାଲ୍ରେ ଶାନ୍ତନୁ ପ୍ରଦର୍ଶିତ କରିବା ସହ ଚିତ୍ରକଳା ପ୍ରଦର୍ଶନୀର ନାମ ‘ଦ ବାର୍ଡ଼ସ୍’ ରଖିଛନ୍ତି । ସୂଚନାଯୋଗ୍ୟ, ଶାନ୍ତନୁ ଏବେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅରିଶଲର ଦ୍ୱିତୀୟ ଶ୍ରେଣୀର ଛାତ୍ର । ପିତା ପରିବେଶବିତ୍ ସୁଶାନ୍ତ ସାହୁଙ୍କ ଚିନ୍ତାଧାରାରେ ଶାନ୍ତନୁ ପ୍ରଭାବିତ ହୋଇ ପରିବେଶଧର୍ମୀ ଚିତ୍ର ବିଭିନ୍ନ ସମୟରେ ଆଙ୍କୁଥିବାର ଜଣାପଡ଼ିଛି । କଅଁଳ ବୟସରେ ଏଭଳି ଚିନ୍ତାଧାରାରାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହ ପ୍ରଶଂସା କରାଯାଇଛି ।


