କାଳୁଆ ଯାତ୍ରା ଉଦଯାପିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳ ଆଙ୍କୋରଡ଼ା ଗ୍ରମାରେ ଗତ ୮ ଦିନ ଧରି ଚାଲିଥିବା ମା’ ମହୁରୀ କାଳୁଆଙ୍କ ଯାତ୍ରାତ୍ସେବ ରବିବାର ଉଦଯାପିତ ହୋଇଯାଇଛି । ବାଜାବାଜଣା ଓ ଭକ୍ତି ନୈବେଦ୍ୟରେ ମା’ଙ୍କୁ ମେଲାଣି ଦିଆଯାଇଛି । ପ୍ରଥମ ଦିବସ ୩ ତାରିଖରେ ମା’ଙ୍କୁ ଅବାହନ ପରେ ପ୍ରତି ସନ୍ଧ୍ୟାରେ ବାଜବାଜଣା, ଘଂଟ, କାହାଳୀ ସହକାରେ ମା’ଙ୍କୁ ଗ୍ରାମ ପରିକ୍ରମା କରାଯାଉଥିଲା ଗ୍ରାମବାସୀ ସେମାନଙ୍କ ନୈବେଦ୍ୟ ଅର୍ପଣ କରିଥିଲେ । ଯାତ୍ରାର ଦ୍ୱୀତିୟ ଦିବସରେ ଅଧିବାସ ସକାଶେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ କଳସ ଶୋଭାଯାତ୍ରା କରିଥିଲେ । ପରବର୍ତି ସମୟରେ ନାମଯଜ୍ଞ ଆରମ୍ଭ ହୋଇଥିଲା । ଗୁରୁବାର ନାମଯଜ୍ଞ ସମାପନ ପରେ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ୨୦ ହଜାରରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁ ଯୋଗଦେଇ ପ୍ରସାଦ ସେବନ କରିବା ସହ ପ୍ରଭୁକୃପା ଲାଭ କରିଥିଲେ । ଶନିବାର ଗ୍ରାମର ବିଭିନ୍ନ ସାହି ବସ୍ତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇ ରବିବାର ସକାଳ ପର୍ଯ୍ୟନ୍ତ ଚାଲୁ ରହିଥିଲା । ରାମାୟଣ, ମହାଭାରତ, ରାଜାନାଟକ, ଭାରତଲୀଳା ଭଳି ୭ ପ୍ରକାରର ନାଟକ ପରିବେଷିତ ହୋଇଥିଲା ।ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହ ସ୍ଥାନୀୟ ସମେତ ନିକଟବର୍ତି ଅଂଚଳର ବହୁ ଜନସାଧାରଣଙ୍କ ସୁଅ ଛୁଟିଥିଲା । ଯାତ୍ରାକୁ ଆଖି ଆଗରେ ରଖି ଗ୍ରାମର ବିଭିନ୍ନ ସାହି ବସ୍ତିରେ ବିଭିନ୍ନ ରକମର ଅସ୍ଥାୟୀ ଦୋକାନ ବଜାର ମାନ ଗଢି ଉଠିଥିଲା । ରବିବାର ମଧ୍ୟାନ୍ନରେ ମା’ ମହୁରୀକାଳୁଆଙ୍କୁ ନଗର ପରିକ୍ରମା ପରେ ଅବିର ଖେଳ ସହ ମେଲାଣି ଦିଆଯାଇଥିଲା । ଯାତ୍ରା ପରିଚାଳନା କମିଟି ସଭାପତି ସୁବାଷ ଚନ୍ଦ୍ର ପୋଲାଇ, ପୂଜା କମିଟି ସଭାପତି ସୁନିଲ ନାହାକ, ପ୍ୟାରୀ ମୋହନ ପାଢି, ସମ୍ପାଦକ କିରଣ ନାହାକ, ନିଳମଣି ପଟ୍ଟନାୟକ, ଯୁଧିଷ୍ଟିର ସ୍ୱାଇଁ, ଯୋଗିନ୍ଦ୍ର ଖାଡ଼ଙ୍ଗା, ସନାତନ ନାହାକ, କିରଣ ପଟ୍ଟନାୟକ, କୃଷ୍ଣ ସାହୁ, ବିଜୟ ନାହାକ, ରାଜାରାମ ସ୍ୱାଇଁ, ସନ୍ତୋଷ ମହାରଣାଙ୍କ ସମେତ ଗ୍ରାମ୍ୟ କମିଟି, ପୂଜା କମିଟି, ଯାତ୍ରା ପରିଚାଳନା କମିଟି କର୍ମକର୍ତା, ସଦସ୍ୟ ଓ ଗ୍ରାମର ବହୁ ମହିଳା ଓ ପୁରୁଷ ଭକ୍ତ ମା’ଙ୍କୁ ମେଲାଣି ଦେଇଥିଲେ । ଶାନ୍ତି ଶୃଙ୍ଖଳା ସକାଶେ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା ।


