ପ୍ରସ୍ତାବିତ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ସମାଜବାଦୀ ପାର୍ଟିର ବିରୋଧ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ନଭେମ୍ବର ୩୦ ତାରିଖ ଦିନ ବିଦ୍ୟୁତ୍ ଯୋଗାଣ କମ୍ପାନୀଗୁଡ଼ିକ ପକ୍ଷରୁ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ (ଓ.ଇ.ଆର.ସି) ପାଖରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରିବା ପାଇଁ ଆବେଦନ କରାଯାଇଛି । ବର୍ତ୍ତମାନର ୟୁନିଟ୍ ପିଛା ଶୁଳ୍କ ୨ ଟଙ୍କା ୯୬ ପଇସାରୁ ୟୁନିଟ୍ ପିଛା ୩ ଟଙ୍କା ୮୫.୨୧ ପଇସାକୁ ବୃଦ୍ଧି କରିବା ପାଇଁ କମ୍ପାନୀ ଓଇଆରସିକୁ ଦରଖାସ୍ତ କରିଛି । ଗ୍ରୀଡ଼କୋର ଆବେଦନକୁ ଗ୍ରହଣ କରି ଓଇଆରସି କେସ୍ ନଂ ୧୦୭/୨୧ରେ ରେଜେଷ୍ଟ୍ରିଭୁକ୍ତ କରିଅଛି । ଯଦି ଏହି ଆବେଦନକୁ ଅନୁମୋଦନ କରାଯାଏ, ତାହେଲେ ବିଜୁଳି ବଳକା ରାଜ୍ୟ ଓଡ଼ିଶାରେ ବିଜୁଳି ଦର ଆକାଶଛୁଆଁ ହେବ । ଯାହାର ପରୋକ୍ଷ ପ୍ରଭାବ କେବଳ ଘରୋଇ ଗ୍ରାହକ ନୁହଁନ୍ତି, ରାଜ୍ୟର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ବାଣିଜ୍ୟ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଯଥେଷ୍ଟ ପ୍ରଭାବ ପକାଇବ । ଏଠାରେ ଉଲ୍ଲେଖଥାଉକି, ଗତ ଆର୍ଥିକ ବର୍ଷରେ କରୋନାରେ ଯେତେବେଳେ ସମଗ୍ର ରାଜ୍ୟବାସୀ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିଲେ, ସେହି ସମୟରେ ରାଜ୍ୟ ସରକାର ଓ ବିଦ୍ୟୁତ୍ କମ୍ପାନୀମାନେ ଓଇଆରସିକୁ ଢାଲ କରି ବିଦ୍ୟୁତ୍ ଶୁଳ୍କ ୟୁନିଟ୍ ପିଛା ୫୦ ପଇସା ବୃଦ୍ଧି କରିଥିଲେ । ଏହାକୁ କରୋନା ସଂକ୍ରମଣ ଯୋଗଁ ରାଜ୍ୟବାସୀ ସହ୍ୟ କରିନେଲେ । କିନ୍ତୁ ବର୍ତ୍ତମାନ ପରିସ୍ଥିତି ଭିନ୍ନ । ରାଜ୍ୟରେ ପାଖାପାଖି ୭୦୦ରୁ ୮୦୦ ୟୁନିଟ୍ ବିଜୁଳି ବଳକା ରହୁଛି । ୪୨୩୪ କୋଟି ଟଙ୍କା ଗ୍ରୀଡ୍କୋର ବିଦ୍ୟୁତ୍ ଶୁଳ୍କ ବହୁ ଗ୍ରାହକଙ୍କ ଉଉପରେ ବାକି ପଡ଼ିଛି । ତାକୁ ଆଦାୟ ନକରି ନିଜର ପରିଚାଳନାଗତ ତ୍ରୁଟି ଓ ଅପାରଗତାକୁ ଘଣ୍ଟ ଘୋଡ଼ାଇବା ପାଇଁ ଗ୍ରୀଡ଼କୋ ଏବଂ ବିଜୁଳି ଆବଣ୍ଟନ କମ୍ପାନୀମାନେ ରାଜ୍ୟର ସାଧାରଣ ଖାଉଟିଙ୍କ ଉପରେ ପ୍ରତିବର୍ଷ ବିଜୁଳି ଶୁଳ୍କ ବୃଦ୍ଧିର ବୋଝ ଲଦି ଚାଲିଛନ୍ତି । ଏଠାରେ ଉଲ୍ଲେଖ କରିବା ଉଚିତ୍ ହେବ ଯେ, ସମଗ୍ର ଭାରତବର୍ଷରେ ୧୯୯୪-୯୫ ମସିହାରୁ ଓଡ଼ିଶା ପ୍ରଥମକରି ବିଦ୍ୟୁତ୍ ସଂସ୍କାର ଆରମ୍ଭ କରିଥିଲା । ବିଶ୍ୱବ୍ୟାଙ୍କ ଋଣରେ ଆରମ୍ଭ ହୋଇଥିବା ଏହି ସଂସ୍କାର ବା ବିଦ୍ୟୁତ୍ର ଘରୋଇ କରଣରେ ଓଡ଼ିଶାବାସୀଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ, ପରିବହନ ଓ ବାଣିଜ୍ୟିକ କ୍ଷତି ୫୬ ପ୍ରତିଶତରୁ ୨୦ ପ୍ରତିଶତକୁ କମାଇବା ଏବଂ ରାଜ୍ୟବାସୀଙ୍କୁ ଶସ୍ତା ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ଗୁଣାତ୍ମକ ବିଜୁଳି ସେବା ଯୋଗାଇଦେବା । କିନ୍ତୁ ସେସବୁ ପ୍ରତିଶ୍ରୁତି ଆଜି ପ୍ରତିଶ୍ରୁତିରେ ରହିଯାଇଛି । ଏ.ପି.ସି. କ୍ଷତି ଆଜି ମଧ୍ୟ ବିଜୁଳି କମ୍ପାନୀମାନେ ପାଖାପାଖି ୨୫ରୁ ୨୯ ପ୍ରତିଶତ କରିଚାଲିଛନ୍ତି ଏବଂ ସେହି କ୍ଷତିକୁ ଭରଣା କରିବା ପାଇଁ ବିଦ୍ୟୁତ୍ ଶୁଳ୍କ ପ୍ରତିବର୍ଷ ବୃଦ୍ଧି ହୋଇଚାଲିଛି । ଯଦି ଏକ ପ୍ରତିଶତ କ୍ଷତି କମାଯାଇପାରିବ, ତାହେଲେ ବିଦ୍ୟୁତ୍ କମ୍ପାନୀମାନେ ବାର୍ଷିକ ୭୫ରୁ ୮୦କୋଟି ଟଙ୍କା ସଞ୍ଚୟ କରିପାରିବେ । କିନ୍ତୁ ସେମାନେ ଆଜିପର୍ଯ୍ୟନ୍ତ ସେ କ୍ଷତି ଭରଣା କରିବା ପାଇଁ ସକ୍ଷମ ହୋଇପାରି ନାହାଁନ୍ତି ଯାହାର କୁଫଳ ରାଜ୍ୟର ୯୨ଲକ୍ଷ ବିଜୁଳି ଉପଭୋକ୍ତାଙ୍କୁ ଭୋଗିବାକୁ ପଡୁଛି । ଏକଥା ମନଗଢା କାହାଣୀ ନୁହେଁ ଗତ ବିଧାନସଭା ସମୟରେ ଖଣ୍ଡପଡ଼ାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଖୋଦ୍ ମାନ୍ୟବର ଶକ୍ତିମନ୍ତ୍ରୀ ଶ୍ରୀଯୁକ୍ତ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, ରାଜ୍ୟର ବିଜୁଳି କମ୍ପାନୀମାନଙ୍କର ୧୮-୧୯ରେ କ୍ଷତି ୩୦.୫୭ ଓ ୨୪.୨୫, ୧୯-୨୦ରେ ୨୯.୪୮ ଓ ୧୭.୪୪ ଏବଂ ୨୦୨-୨୧ ଆର୍ଥିକବର୍ଷରେ ଏହି କ୍ଷତି ୨୭.୮୭ ଓ ୨୪.୧୭ ପ୍ରତିଶତ । ତେଣୁ କମ୍ପାନୀମାନେ ନିଜର ଅପରାଗତା, ଦୁର୍ନୀତି ଓ ଭିତ୍ତିଭୂମି ସଜାଡ଼ିବାର ବିଫଳତାର କ୍ଷତିକୁ ଗରାଖଙ୍କ ଉପରେ ଲଦି ଚାଲିଛନ୍ତି । ଯାହାଫଳରେ ପ୍ରତିବର୍ଷ ବିଦ୍ୟୁତ ଶୁଳ୍କ ମହଙ୍ଗା ହୋଇଚାଲିଛି । କରୋନା ସଂକ୍ରମଣରୁ ଓଡ଼ିଶାବାସୀ ମୁକ୍ତି ପାଇନଥିବା ବେଳେ ଗ୍ରୀଡ଼କୋର ଏହି ପ୍ରସ୍ତାବିତ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ସାଧାରଣ ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ଭଳି ହେବ । ତେଣୁ ଓଆରସି ଓ ରାଜ୍ୟ ସରକାର ତୁରନ୍ତ ଏଭଳି ଜନବିରୋଧୀ ନୀତିରୁ କ୍ଷାନ୍ତ ରହିବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ତଥା ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘର ଆବାହକ ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ ସତର୍କ କରାଇ ଦେଇଛନ୍ତି ।


