ବରୁଣସିଂ ରୂପାବାଲି ଖେଳପଡ଼ିଆ ଉନ୍ନତିକରଣ ପ୍ରକଳ୍ପ ଶିଳାନ୍ୟାସ

ବାଲେଶ୍ୱର, (ସରୋଜ ପଣ୍ଡା) : ଜିଲା ଗସ୍ତ ଅବସରରେ ରାଜ୍ୟ କ୍ରୀଡ଼ା ଓ ଯୁବ କଲ୍ୟାଣ ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ବରୁଣସିଂ ପଞ୍ଚାୟତ ରୂପାବାଲି ଖେଳପଡ଼ିଆ ଉନ୍ନତୀକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡ଼ା ପ୍ରତି ବରୁଣସିଂ ଅଞ୍ଚଳର ଯୁବଗୋଷ୍ଠୀଙ୍କ ଆଗ୍ରହକୁ ଭୂୟସୀ ପ୍ରଶଂସା କରିଥିଲେ । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ରାଜ୍ୟର କ୍ରୀଡ଼ା ଭୂତ୍ତିଭୂମି ବିକାଶ କରିବା ସାଙ୍ଗକୁ ବିଶ୍ୱ ମାନଚିତ୍ରରେ ଓଡ଼ିଶାକୁ ସ୍ଥାନୀତ କରିବାରେ ସକ୍ଷମ ହୋଇଛନ୍ତି ବୋଲି ସେ କହିଥିଲେ । ଅନୁରୂପ ଭାବେ ଗ୍ରାମାଞ୍ଚଳରୁ ଉଦୀୟମାନ କ୍ରୀଡ଼ାବିତ ସୃଷ୍ଟି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଥିବା ବେଳେ ବରୁଣସିଂ ଏଥିରୁ କେବେ ବି ବାଦ ଯିବନାହିଁ । ଏହି ପଞ୍ଚାୟତର ରୂପାବାଲି ଖେଳପଡ଼ିଆର ଉନ୍ନତୀକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୪୦ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିବା ମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଥିଲେ । ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏଥିରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଓଡ଼ିଶାର କ୍ରୀଡ଼ା କ୍ଷେତ୍ରରେ ବିଶେଷ ପରିବର୍ତ୍ତନ ଯୋଗୁଁ ରାଜ୍ୟରୁ ବହୁ ଖେଳାଳି ଜାତୀୟ ସ୍ତରର କ୍ରୀଡ଼ାରେ ସଫଳତା ହାସଲ କରି ପାରିଛନ୍ତି ବୋଲି କହିଥିଲେ । ଏହି ପଡ଼ିଆର ବିକାଶ କେବଳ ବରୁଂଣସିଂ ନୁହେଁ ବରଂ ରେମୁଣା ଅଞ୍ଚଳର ଆଗାମୀ ଯୁବପିଢ଼ି ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ମତ ପ୍ରକାଶ କରିଥିଲେ । ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଏହି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିବା ସହିତ ରେମୁଣା ନିର୍ବାଚନମଣ୍ଡଳୀର ବିକାଶ ପାଇଁ ସର୍ବଦା ଧ୍ୟାନ ଦିଆଯାଉଥିବା କହିଥିଲେ । କେବଳ ବରୁଣସିଂ ପଞ୍ଚାୟତ ନୁହେଁ, ଏମିତି ପ୍ରତ୍ୟେକ ପଞ୍ଚାୟତର ଉନ୍ନତି ଓ ଜନମଙ୍ଗଳ ପ୍ରକଳ୍ପ କାର୍ଯ୍ୟକାରିତା ଉପରେ ସରକାର ଗୁରୁତ୍ୱ ଦେଉଥିବା ସେ ପ୍ରକାଶ କରିଥିଲେ । ଜିଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ, ନୀଳଗିରି ରୋଡ଼ କ୍ଲବର ସଭାପତି ରାଜେନ୍ଦ୍ର ପ୍ରସାଦ ମହାଳିକ, ଯୁବ ସଂଗଠକ ସିମନ ଦାସ ମହାପାତ୍ର, ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ ତଥା ସମାଜସେବୀ ଶାନ୍ତା ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ମନ୍ତ୍ରୀଙ୍କ ସମତେ ସମସ୍ତ ଅତିଥିଙ୍କୁ ଗ୍ରାମବାସୀମାନେ ଶୋଭାଯାତ୍ରାରେ ଉତ୍ସବ ସ୍ଥଳକୁ ନେଇଯାଇଥିଲେ । ବରୁଣସିଂ ସମେତ ଆଖପାଖ ପଞ୍ଚାୟତରୁ ବହୁ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଉଲ୍ଲେଖ ଯୋଗ୍ୟ କି ରୂପାବାଲି ଖେଳପଡ଼ିଆର ଉନ୍ନତୀକରଣ ପାଇଁ ଅନୁଦାନ ମଞ୍ଜୁର ନିମନ୍ତେ ଗତ ୪ଦିନ ପୂର୍ବରୁ ବରୁଣସିଂବାସୀଙ୍କ ପକ୍ଷରୁ କ୍ରୀଡ଼ାମନ୍ତ୍ରୀଙ୍କୁ ଏକ ନିବେଦନ ପତ୍ର ପ୍ରଦାନ କରାଯାଇଥିଲା । ନିବେଦନପତ୍ର ପାଇବା ମାତ୍ରେ ମନ୍ତ୍ରୀ ତୁରନ୍ତ ଏହି ପ୍ରକଳ୍ପ ପାଇଁ ୪୦ ଲକ୍ଷ ଟଙ୍କା ଘୋଷଣା କରିବାକୁ ନେଇ ଗ୍ରାମବାସୀମାନେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ