ଧାନମଣ୍ଡି ନ ଖୋଲିବାକୁ ନେଇ ରସାଳପୁର ଚାଷୀଙ୍କ ରାସ୍ତାରୋକ ଚେତାବନୀ
ବାଲେଶ୍ୱର, (ସରୋଜ ପଣ୍ଡା) : ସମବାୟ କର୍ମଚାରୀଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଧାନ ବିକ୍ରି ଚିନ୍ତାରେ ବାଲେଶ୍ୱର ଜିଲାର ପଞ୍ଜୀକୃତ ଚାଷୀ । ଧାର୍ଯ୍ୟ ସଂଖ୍ୟକ ଧାନମଣ୍ଡିରୁ ଅଦ୍ୟାବଧି ମାତ୍ର ୫ ପ୍ରତିଶତ ଖୋଲି ଥିବା ବେଳେ ଟୋକନ ପାଇଥିବା ଚାଷୀ ଧାନ ବିକ୍ରି ପାଇଁ ଜିଲାପାଳ ଓ ଯୋଗାଣ ବିଭାଗ ଅଧିକାରୀଙ୍କଠାରେ ଆପତ୍ତି କରୁଛନ୍ତି । ଏହି ପରିପ୍ରେକ୍ଷୀରେ ରସାଳପୁର ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ପଞ୍ଜୀକରଣ କରିଥିବା ଚାଷୀମାନେ ସୋମବାର ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ୮ଦିନ ଧରି ଆନ୍ଦୋଳନ ଚାଲିଥିବା ବେଳେ ସରକାର କିମ୍ବା ପ୍ରଶାସନ କିଛି ପଦକ୍ଷେପ ନ ନେବା ଫଳରେ ଧାନବିକ୍ରି ପାଇଁ ଚାଷୀଙ୍କୁ ବାରଦ୍ୱାର ହେବାକୁ ପଡ଼ୁଛି । ଅନ୍ୟପକ୍ଷରେ ଟୋକନ ପାଇଥିବା ଚାଷୀ ଥରକରେ ୭୫ କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ଜିଲା ପ୍ରଶାସନ ତାହା ୫୦ କ୍ୱିଣ୍ଟାଲକୁ ହ୍ରାସ କରିଛନ୍ତି । ଏହା ଦ୍ୱାରା ଟୋକନ ଅବଧି ଶେଷ ହୋଇଯାଉଥିବା ବେଳେ ଚାଷୀଟି ବାକି ଧାନ ବିକ୍ରି କରି ନପାରି ବେପାରୀଙ୍କୁ ବହୁତ କମ ମୂଲ୍ୟରେ ଯଚାଇ ଦେଉଛି ବୋଲି ରସାଳପୁର ଚାଷୀମାନେ ଆପତ୍ତି କରିଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ମଣ୍ଡି ଖୋଲିବା ସହ ସରକାରୀ ନିର୍ଦ୍ଦେଶାନୁସାରେ ଧାନ କିଣା ନଗଲେ ରସାଳପୁରଠାରେ ସଲଟ ରୋଡ଼ ଅବରୋଧ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଚାଷୀମାନଙ୍କ ପକ୍ଷରୁ ଦାବି ସମ୍ବଳିତ ଏକ ସ୍ମାରକପତ୍ର ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ରଙ୍କୁ ପ୍ରଦାନ କରାଯାଇଥିଲା । ଦାବିପତ୍ର ପ୍ରଦାନ ବେଳେ ଚିତ୍ତରଞ୍ଜନ ପାଣିଗ୍ରାହୀ, ହରିଶ୍ଚନ୍ଦ୍ର ଦାସ, ରବୀନ୍ଦ୍ର ଘଡ଼େଇ, ସୁଶାନ୍ତ କୁମାର ପାଣି, ସୁବାସ ଚନ୍ଦ୍ର ଦାସ, ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।