ମନ୍ତ୍ରୀ ପ୍ରତାପ ଜେନାଙ୍କ ଜିଲ୍ଲା କାର୍ଯ୍ୟାଳୟରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ରାଜ୍ୟ ପଞ୍ଚାୟତରାଜ, ଆଇନ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର କେନ୍ଦ୍ରାପଡାରେ ପହଞ୍ଚି ଜିଲ୍ଲାପାଳଙ୍କ ଓସୱାନ ସମ୍ମିଳନୀ କକ୍ଷରେ ଭିଡିଓ କନଫରେନି୍ସଂ ଯୋଗେ ରାଜ୍ୟ କ୍ୟାବିନେଟ ବୈଠକରେ ଯୋଗଦେଇଥିଲେ । ପରେ ମନ୍ତ୍ରୀ ଶ୍ରୀ ଜେନା ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇ ସମୀକ୍ଷା କରିଥିଲେ । ମନ୍ତ୍ରୀ ଶ୍ରୀ ଜେନା ପାନୀୟ ଜଳ ଯୋଗାଣ ବିଭାଗ ଅଧିନ ଅଚଳ ହୋଇପଡିଥିବା ଜିଲ୍ଲାର ୨୫୯ଟି ନଳକୂପକୁ ସଚଳ କରାଯିବା, ଜିଲ୍ଲାର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଓ ଶିକ୍ଷାନୁଷ୍ଠାନରେ ଅବିରତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବା, ଅବିରତ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ସହ ସରକାରଙ୍କ ପକ୍ଷରୁ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଲଗାଯାଇଥିବା ହାଇମାକ୍ସ ଲାଇଟ ଗୁଡିକ ଜଳିବା ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ, ପଟ୍ଟାମୁଣ୍ଡାଇ ବ୍ଲକର ତନୁପୁର- ବାଲିପାଟଣା ବାଇପାସ ରାସ୍ତାକୁ ଟ୍ରକ, ବସ ଓ ଅଗ୍ନିଶମ ଗାଡି ଯାଇପାରିବା ଭଳି ଏକ ସ୍ୱତନ୍ତ୍ର ବିକଳ୍ପ ରାସ୍ତା ନିର୍ମାଣ ନିମନ୍ତେ ବ୍ୟୟ ଅଟ୍ଟକଳ ପ୍ରସ୍ତୁତ କରି ରାଜ୍ୟ ପୂର୍ତ୍ତ ବିଭାଗକୁ ପଠାଇବା, ପଟ୍ଟାମୁଣ୍ଡାଇ ଧୈାୟାଞ୍ଚଳରେ ଗମନାଗମନ ଓ ବିଦ୍ୟୁତ ବ୍ୟବସ୍ଥାକୁ ସୁଗମ କରିବା, ରାଜନଗରକୁ ଶ୍ରୀରାମପୁର, ଡାମରା ଓ ଅଢାଜୋରୀ ଦେଇ ପ୍ରତିଦିନ ଯାତ୍ରୀବାହୀ ବସ ଚଳାଚଳ କରିବା ଏବଂ ସରକାରଙ୍କ ପୂର୍ବ ନିର୍ଦେଶ ଅନୁଯାଇ ଖୁଚୁରା ବୀକ୍ରେତାଙ୍କ ବଦଳରେ ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ଖୁଚୁରା ଜିନିଷ ବିକ୍ରୀର ଦାୟୀତ୍ୱ ହସ୍ତାନ୍ତର କରାଯିବା ପ୍ରଭୃତି ସମ୍ପର୍କରେ ସମୀକ୍ଷା କରି ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତ୍ୱରିତ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦେଶ ଦେଇଥିଲେ । ମନ୍ତ୍ରୀଙ୍କ ଏହି ସମୀକ୍ଷା ବୈଠକରେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, କେନ୍ଦ୍ରାପଡା ପୂର୍ତ୍ତ ଡିଭିଜନ, ଜଳ ଯୋଗାଣ ଓ ପରିମଳ ଡିଭିଜନର ନିର୍ବାହୀ ଯନ୍ତ୍ରୀ, କେନ୍ଦ୍ରାପଡା ଟିପିସିଓଡିଏଲ ଡିଭିଜନର ସହକାରୀ ସାଧାରଣ ପ୍ରବନ୍ଧକ ପ୍ରଦୀପ୍ତ କୁମାର ଦାଶ, ପ୍ରଦ୍ୟୁମ୍ନ ସାମନ୍ତରାୟ, କିଶୋର ଜେନା, ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ସରକାରୀ ଓକିଲ ସଞ୍ଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।