ଉପଗ୍ରହ ନିରୋଧୀ କ୍ଷେପଣାସ୍ତ୍ର “ମିଶନ ଶକ୍ତି”ର ସଫଳ ପରୀକ୍ଷଣ ବିଶ୍ୱର ଚତୁର୍ଥ ରାଷ୍ଟ୍ର ଭାବେ ଭାରତର କ୍ଷମତା ହାସଲ
ଆଜି ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ଓଡ଼ିଶାର ଡ. ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଉପଗ୍ରହ ନିରୋଧୀ କ୍ଷେପଣାସ୍ତ୍ର (ଆଂଟି ସାଟେଲାଇଟ୍ ମିଶାଇଲ) “ମିଶନ ଶକ୍ତି”ର ସଫଳ ପରୀକ୍ଷଣ କରିଛି । ଡିଆରଡିଓ ଦ୍ୱାରା ବିକଶିତ ବିଏମଡି (ବାଲିଷ୍ଟିକ ମିଶାଇଲ ଡିଫେନ୍ସ) ଇଂଟର ସେପ୍ଟର କ୍ଷେପଣାସ୍ତ୍ରକୁ ନିମ୍ନ ଭୂକକ୍ଷରେ ଅବସ୍ଥିତ ଏକ ଭାରତୀୟ ସାଟେଲାଇଟକୁ ଲକ୍ଷ୍ୟଭେଦ କରିବା ପାଇଁ ପ୍ରେରଣ କରାଯାଇଥିଲା । ଏହି ଇଂଟରସେପ୍ଟର କ୍ଷେପଣାସ୍ତ୍ର ଦୁଇଟି କଠିନ ରକେଟ ବୁଷ୍ଟର ଥିବା ଏକ ତ୍ରିସ୍ତରୀୟ କ୍ଷେପଣାସ୍ତ୍ର । ରେଞ୍ଜ ସେନସରର ଡାଟା ଅନୁଯାୟୀ ଏହି ମିଶନ ଏହାର ସମସ୍ତ ଲକ୍ଷ୍ୟକୁ ପୂରଣ କରିଛି ।
ମହାକାଶରେ ଅବସ୍ଥିତ ସାଟେଲାଇଟକୁ ଲକ୍ଷ୍ୟଭେଦ କରିବାର କ୍ଷମତାକୁ ଏହି ପରୀକ୍ଷଣ ପ୍ରତିପାଦିତ କରିଛି । ବିଶ୍ୱର ଚତୁର୍ଥ ରାଷ୍ଟ୍ର ଭାବେ ଭାରତ ଏହି କ୍ଷମତା ହାସଲ କରିଛି । ଡିଆରଡିଓ ବୈଜ୍ଞାନିକଙ୍କ ଏହି ପରୀକ୍ଷଣ ରାଷ୍ଟ୍ରର ଉନ୍ନତ ବୈଜ୍ଞାନିକ ଓ ପ୍ରଯୁକ୍ତି ଦକ୍ଷତାକୁ ପ୍ରମାଣ କରିଛି ।


