ଅସ୍ତରଙ୍ଗ ଓ କାକଟପୁରରେ ଅଞ୍ଚଳରେ ବେଆଇନ ଗ୍ୟାସ କଳାବଜାର
କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) :ଏହା ବଜାର ନୁହେଁ, ଟାଇମ୍ ବମ୍ । ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ମୁଖ୍ୟ ବଜାର ସମେତ କାକଟପୁର ସାଇ ମେଡିକାଲ ପାଖ,ଅସ୍ତରଙ୍ଗ ର ଆଳସାହି, ପୋଟଳ ଛକ, କଣମଣ ଛକ, ଅସ୍ତରଙ୍ଗ ହାଟ ଗଳି ଆଦି ଜନଗହଳି ସ୍ଥାନରେ ଖୋଲାଖୋଲି ଚାଲିଛି ଗ୍ୟାସ କଳାବଜାରୀ । ମାଫିଆମାନେ ବଡ ଗ୍ୟାସ ଟାଙ୍କିରୁ ଗ୍ୟାସ୍ କାଢି ଛୋଟ ଘରୋଇ ସିଲିଣ୍ଡରେ ଲୋଡିଂ କରୁଛନ୍ତି । ଆଉ ସେହି ଗ୍ୟାସ୍ ୩ହଜାର ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି । ଗୋଟିଏ ସ୍ପାର୍କ ହେଲେ ସମ୍ପୂର୍ଣ୍ଣ ଅସ୍ତରଙ୍ଗ ବଜାର ପାଉଁଶ ଚିତା ହୋଇଯିବ କିନ୍ତୁ ଯୋଗାଣ ବିଭାଗ ଧୃତରାଷ୍ଟ୍ର ସାଜି ବସିଛି। ଖୋଲାରେ ଗ୍ୟାସ୍ ଲିକେଜ୍ ହେଉଛି, ମଣିଷ ଭିଡ ଲାଗିଛି, ପାଖରେ ଚାହା ଦୋକାନରେ ଚୁଲି ଜଳୁଛି। ଗୋଟିଏ ଦୁର୍ଘଟଣା ଘଟିଲେ ଶହ ଶହ ଜୀବନ ଯିବ। ଏତେ ବଡ ବିପଦ ଥାଇ ବି କଳାବଜାରୀ ଦୋକାନ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପୋଟଳ ଛକରୁ ଆରମ୍ଭ କରି କଣମଣ ଛକ, ଅସ୍ତରଙ୍ଗ ମୁଖ୍ୟ ବଜାର ରୁ ଆଳସାହି ଛକ ପର୍ଯ୍ୟନ୍ତ ପ୍ରତି ମୋଡରେ ଏହି ଅବୈଧ ଗ୍ୟାସ ଡିପୋ ଖୋଲିଲାଣି । ସବୁଠୁ ଲଜ୍ଜାଜନକ କଥା ହେଉଛି ବାଣିଜ୍ୟିକ ଦୁର୍ନୀତି। ଅସ୍ତରଙ୍ଗ ଓ କାକଟପୁର ମୁଖ୍ୟ ବଜାର ହେଉ କି ଗ୍ରାମାଞ୍ଚଳ ରେ ହୋଟେଲ, ଫାଷ୍ଟଫୁଡ୍, ମିଷ୍ଟାନ୍ନ ଭଣ୍ଡାର ରେ ଖୋଲାଖୋଲି ଘରୋଇ ଗ୍ୟାସ୍ ସିଲିଣ୍ଡର ବ୍ୟବହାର ହୋଇ ଖାଦ୍ୟ ତିଆରି ହେଉଛି। ସବସିଡି ଲୁଟି ସାଧାରଣ ଲୋକଙ୍କ ପେଟକୁ ହାଣି ଦିଆଯାଉଛି । କିଛି ମାସ ପୂର୍ବେ ଏହି ଖବର ପ୍ରକାଶ କରିବା ପରେ ଜିଲ୍ଲା ଯୋଗାଣ ବିଭାଗର ଟିମ୍ ଆସି କେତେ ଗୋଟି ଦୋକାନରେ ଚଢାଉ କରି ଘରୋଇ ଗ୍ୟାସ୍ ଜବତ କରିଥିଲେ । ହୋଟେଲ ମାଲିକଙ୍କୁ ନୋଟିସ୍ ବି ଯାଇଥିଲା । କିନ୍ତୁ ତାହା ପରେ ଆଜି ପର୍ଯ୍ୟନ୍ତ ସେ ଫାଇଲ୍ ବନ୍ଦ । କାର୍ଯ୍ୟାନୁଷ୍ଠାନ ଶୂନ୍ । ପ୍ରଶାସନର ଢିଲା ନୀତି ପାଇଁ ମାଫିଆମାନଙ୍କ ସାହସ ଆକାଶ ଛୁଇଁଲାଣି। ଯେଉଁଠି ଚଢାଉ ହେଲା, ସେଠି ୨ ଦିନ ପାଇଁ ଦୋକାନ ବନ୍ଦ କଲେ, ପୁଣି ଆଗ ପରି ଚାଲୁଛି। ଲାଞ୍ଚ ଦେଇ ସବୁ ମ୍ୟାନେଜ୍। ଫଳରେ ଘରୋଇ ଗ୍ୟାସ୍ କଳାବଜାରୀ ଏବେ ଅସ୍ତରଙ୍ଗର ଓ କାକଟପୁରରେ ଗୋଟିଏ ବଡ ନେଟୱାର୍କ ପାଲଟିଛି। ସ୍ଥାନୀୟ ଲୋକେ ଭୟରେ କମ୍ପୁଛନ୍ତି। ସେମାନେ କହୁଛନ୍ତି ଆମେ ଜୀବନ ହାତରେ ଧରି ବଜାର କରୁଛୁ। ପ୍ରଶାସନ ଶୋଇଛି କି? କେବେ ଜାଗିବ ଆଗରୁ ଅନ୍ୟ ଅଞ୍ଚଳ ରେ ଗ୍ୟାସ୍ ଲିକେଜ୍ ହୋଇ ଶହ ଶହ ଲୋକ ମରିଛନ୍ତି। ଅସ୍ତରଙ୍ଗ ଓ କାକଟପୁରରେ ବି ସେହିପରି ଏକ ବଡ ଦୁର୍ଘଟଣା କୁ ଅପେକ୍ଷା କରିଛି । ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ବିଭାଗ ଓ ଯୋଗାଣ ମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ ଦାବି କରୁଛନ୍ତି ଉଭୟ ଅଞ୍ଚଳବାସୀ । ସ୍ପେସିଆଲ୍ ଟାସ୍କଫୋର୍ସ ଗଠନ କରି ଅସ୍ତରଙ୍ଗ ଓ କାକଟପୁର ମୁଖ୍ୟ ବଜାର, ବିଭିନ୍ନ ହୋଟେଲ, ମିଷ୍ଟାନ ଭଣ୍ଡାର, ଅସ୍ତରଙ୍ଗ ହାଟ ଗଳି,ଆଳସାହି, ପୋଟଳ ଛକ, କଣମଣ ଛକ, ନଗର ଛକ ସମେତ ସମସ୍ତ ଅବୈଧ ଗ୍ୟାସ୍ ଡିପୋ ସିଲ୍ କରାଯାଉ। କଳାବଜାରୀଙ୍କୁ ଗିରଫ କରି କଡା ଆଇନ୍ ଅନୁଯାୟୀ ଦଣ୍ଡ ଦିଆଯାଉ। ହୋଟେଲରେ ଘରୋଇ ଗ୍ୟାସ୍ ବ୍ୟବହାର କରୁଥିବା ଦୋକାନୀଙ୍କ ନାମରେ ମାମଲା ରୁଜୁ ହେବା ସହ ଲାଇସେନ୍ସ ରଦ୍ଦ ହେଉ। ନଚେତ୍ ଅସ୍ତରଙ୍ଗ ବଜାର ଗୋଟିଏ ଦିନ ବମ୍ ବିସ୍ଫୋରଣରେ ଉଡିଯିବ। ପ୍ରଶାସନ କେବେ ଶୁଣିବ ?


