ଆଠବର୍ଷ ଧରି ବନ୍ଦ ରହିଛି ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ!
ଆସିକା (ୱାଇଏନ୍ଏସ୍) :ଦୀର୍ଘପ୍ରାୟ ୮ବର୍ଷ ଧରି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଛାତ୍ର ସଂସଦ ନିର୍ବାଚନ ହୋଇପାରିନଥିବା ଯୋଗୁଁ ଶିକ୍ଷାନୁଷ୍ଟାନ ଗୁଡିକରେ ଛାତ୍ରଛାତ୍ରୀଙ୍କ ପ୍ରତିନିଧିତ୍ୱ ରହୁନଥିବା ଅଭିଯୋଗ ହେଉଛି। ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡିକର ବିଭିନ୍ନ ସମସ୍ୟା ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ମାନଙ୍କର ବହୁବିଧ ସମସ୍ୟାକୁ ବୁଝି ଶିକ୍ଷାନୁଷ୍ଟାନ କତ୍ତୃପକ୍ଷଙ୍କ ସହ ବିଚାର ବିମର୍ଶ କରି ତାହାକୁ ସମାଧାନ କରିବା ଛାତ୍ର ସଂସଦର କାମ। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧିନରେ ପରିଚାଳିତ ହେଉଥିବା ମହାବିଦ୍ୟାଳୟ ଗୁଡିକରେ ଗତ ୨୦୧୮ମସିହା ଠାରୁ ଦୀର୍ଘ ୮ବର୍ଷ ଧରି ନାନା କାରଣରୁ ଛାତ୍ର ସଂସଦ ନିର୍ବାଚନ ହୋଇପାରି ନାହିଁ। ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଆଗାମୀ ଦିନରେ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଏବେଠୁ ଚର୍ଚ୍ଚା ଜୋର୍ ଧରିଥିବା ଲକ୍ଷ୍ୟ କରାଯାଇଛି । ଛାତ୍ର ସଂସଦ ନିର୍ବାଚନକୁ ନେଇ ଆଶାୟୀ ଛାତ୍ର ନେତା ଓ ବିଭିନ୍ନ ଛାତ୍ର ସଂଗଠନ ବର୍ତ୍ତମାନ ଠାରୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଲକ୍ଷ୍ୟ କରାଯାଇଛି। ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟ, ଆସିକା ବିଜ୍ଞାନ ମହାବିଦ୍ୟାଳୟ ଓ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର କଲେଜରେ ଶେଷ ଥର ପାଇଁ ୨୦୧୭ମସିହାରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା ବେଳେ ୨୦୧୮ମସିହାରୁ ବର୍ତ୍ତମାନ ସୁଦ୍ଧା ଦୀର୍ଘ ୮ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ହୋଇପାରି ନାହିଁ। ଚଳିତ ବର୍ଷ ନିର୍ବାଚନ ହେବ କି ନାହିଁ ତାହାକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ଚିତ୍ର ମିଳିପାରୁ ନାହିଁ। ଆସିକା ବ୍ଳକ ଓ ଏନଏସି ଅଧିନସ୍ଥ ଅଞ୍ଚଳରେ ଥିବା ତିନୋଟି ମହାବିଦ୍ୟାଳୟରେ ଦୀର୍ଘ ପ୍ରାୟ ୮ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନ ହୋଇପାରି ନଥିବା ଯୋଗୁଁ ମହାବିଦ୍ୟାଳୟ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟା ଶିକ୍ଷାନୁଷ୍ଟାନ କତ୍ତୃପକ୍ଷଙ୍କ ନିକଟରେ ପହଞ୍ଚି ପାରୁନଥିବା ଆଲୋଚିତ ହେଉଛି । କ୍ୟାମ୍ପସ ନିର୍ବାଚନ ବନ୍ଦ ହେବା କାରଣରୁ ଛାତ୍ରଛାତ୍ରୀ ମାନେ କଲେଜର ବିଭିନ୍ନ ସମସ୍ୟା ସଂପର୍କରେ ସ୍ୱର ଉତ୍ତୋଳନ କରିପାରୁ ନାହାନ୍ତି । ଛାତ୍ର ସଂସଦ ନିର୍ବାଚନ ଦୀର୍ଘ ପ୍ରାୟ ୮ବର୍ଷ ହେଲା ବନ୍ଦ ଥିବାରୁ ବିଦ୍ୟାର୍ଥୀଙ୍କ ମଧ୍ୟରେ ନେତୃତ୍ୱ ବିକାଶ ହେଉନଥିବା କେତେକ ଆଶାୟୀ ପ୍ରାର୍ଥୀ ପ୍ରକାଶ କରିଛନ୍ତି। ଆସନ୍ତା ସେପ୍ଟେମ୍ବର ମାସରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଦୀର୍ଘ ୮ ବର୍ଷ ପରେ ପୁଣି କ୍ୟାମ୍ପସ୍ ରାଜନୀତି ଉଷ୍ମ ହେବାର ସମ୍ଭାବନା ରହିଛି । ୨୦୧୭ ମସିହାରେ ଶେଷ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା । ତାପର ଠାରୁ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ହୋଇନାହିଁ । ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିବାରୁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀଙ୍କ ପ୍ରତିନିଧିତ୍ୱ କମିବାରେ ଲାଗିଛି । ଆଗାମୀ ଛାତ୍ର ସଂସଦ ନିର୍ବାଚନକୁ ନେଇ ବର୍ତ୍ତମାନ ଠାରୁ ଆଶାୟୀ ଛାତ୍ରନେତାଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ତୁରନ୍ତ ଧ୍ୟାନ ଦେଇ ବନ୍ଦ ହୋଇରହିଥିବା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡିକର ଛାତ୍ର ସଂସଦ ନିର୍ବାଚନ କରିବା ଦିଗରେ ପଦକ୍ଷେପ ନେବାକୁ ପଦକ୍ଷେପ ନେବାକୁ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ବରିଷ୍ଠ ଆଇନଜୀବୀ ତଥା ଆସିକା ଓକିଲ ସଂଘର କୋଷାଧ୍ୟକ୍ଷ ରାଘବ କୁମାର ନାହାକ, ଆସିକା ପୌର ପରିଷଦର କାଉନସିଲର ନିଗମାନନ୍ଦ ରାଉତ, ପୂର୍ବତନ କାଉନସିଲର କୈଳାଶ ଚନ୍ଦ୍ର ପ୍ରଧାନ,ଯୁବ ବିଜେଡି ନେତା ଜିତେନ୍ଦ୍ର କୁମାର ମହାରଣା ଏବଂ ଶିବପ୍ରସାଦ ଶତପଥୀ ଅନୁରୋଧ କରିଛନ୍ତି ।


