ସରକାରୀ ଉପଖଣ୍ଡ ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତି ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା) :ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପରିସରରେ ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କମିଟିର ଅଧ୍ୟକ୍ଷ ତଥା ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ ଅଧ୍ୟକ୍ଷତା କରି ଡାକ୍ତରଖାନାରେ ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଡାକ୍ତର ଓ କର୍ମଚାରୀମାନେ ନିଜର ମନୋବଳ ଦୃଢ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଡାକ୍ତରଖାନା ପରିସରରେ ଥିବା ତ୍ରିନାଥ-ସୁନ୍ଦରୀ ସ୍ୱତନ୍ତ୍ର କ୍ୟାବିନ୍ ଏବଂ ରେଡ୍‌କ୍ରସ୍‌ର ଥିବା ସ୍ୱତନ୍ତ୍ର କ୍ୟାବିନ୍ ଗୁଡିକର ମରାମତି ନିମନ୍ତେ ଖର୍ଚ୍ଚ ହେବାକୁ ଥିବା ଅନୁଦାନ ଉପରେ ଆଲୋଚନା କରିଥିଲେ । ଡାକ୍ତରଙ୍କ କ୍ୱାଟର୍ସ ଇ-ଡି-ଏଫ୍ ଟାଇପ୍ କ୍ୱାଟର୍ସ ମଧ୍ୟରୁ ଇ-ଟାଇପ୍ କ୍ୱାର୍ଟସ୍ ପାଇଁ ମଞ୍ଜୁରି ଆସୁଥିବା ବେଳେ ଏହାର କାମ ତୁରନ୍ତ ଆରମ୍ଭ କରିବାକୁ କୁହାଯାଇଛି । ନିରାୟମ ୨୪ ଘଣ୍ଟା କାର୍ଯ୍ୟକ୍ରମ ନିମନ୍ତେ ଆବଶ୍ୟକ ଥିବା ଫାର୍ମାସିଷ୍ଟ ପଦବି ପୂରଣ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ସ୍ଥିର ହୋଇଛି । ସେହିପରି ଡାକ୍ତରଖାନା ପରିସରରେ ସ୍ଥାପନ ହୋଇଥିବା ଅକ୍ସିଜନ୍ ପ୍ଲାଣ୍ଟରୁ ଶିଶୁ ଚିକିତ୍ସା ୱାର୍ଡ, ପୁରୁଷ ୱାର୍ଡ ଏବଂ କାଜୁଆଲଟିକୁ ଅକ୍ସିଜନ୍ ପାଇପ୍ ସଂଯୋଗ କାମ ଜାନୁଆରି ଶେଷ ସୁଦ୍ଧା ସମ୍ପନ୍ନ କରିବାକୁ କୁହାଯାଇଛି । ଡାକ୍ତରଖାନାରେ ‘ମୋ ସରକାର କକ୍ଷ’ ନିୟମିତ କାର୍ଯ୍ୟକ୍ଷମ ନିମନ୍ତେ ଆନୁଷଙ୍ଗିକ ସାମଗ୍ରୀ ଏବଂ ଷ୍ଟାପ୍ ଯୋଗାଇବା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରାଯିବ । ମାର୍ଚ୍ଚ ମାସ ପରେ ରୋଗୀମାନଙ୍କୁ ଯୋଗାଇ ଦିଆଯାଉଥିବା ରନ୍ଧା ଖାଦ୍ୟ କିମ୍ବା ଶୁଖିଲା ଖାଦ୍ୟ ପାଇଁ ମହିଳା ସ୍ୱୟଂ ସହାୟକମାନଙ୍କୁ ନିୟୋଜିତ କରିବା ପାଇଁ ଆଲୋଚନା ହୋଇଛି । ଏହାସହ ଜଣେ କିମ୍ବା ଦୁଇଜଣ ଡାକ୍ତର ନିହାତି ଭାବେ ହେଡ୍ କ୍ୱାର୍ଟରରେ ରହିବା ପାଇଁ ଆଲୋଚନା ହୋଇଥିଲା । ଖାଲି ପଡିଥିବା ଭେଷଜ ଓ ସର୍ଜରୀ ବିଭାଗର ଡାକ୍ତର ପଦବି ପୂରଣ ବିଷୟରେ ଆଲୋଚନା ହୋଇଥିଲା । ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିସନ୍ ଅଧୀନରେ ୱାର୍ଡ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି, ଝୁମ୍ପୁଡି ବସ୍ତିରେ ସ୍ୱାସ୍ଥ୍ୟ ଶିବିର ଏବଂ ପରିମଳ କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ବ୍ୟବସ୍ଥା କରିବା ଗାଇଡ୍ ଲାଇନ୍‌କୁ ଅନୁଧ୍ୟାନ କରି କାର୍ଯ୍ୟ କରିବା ପାଇଁ ଆଲୋଚନା ହୋଇଥିଲା । ଉପଖଣ୍ଡ ଡାକ୍ତରଖାନାର ଅଧୀକ୍ଷକ ଡାକ୍ତର ପ୍ରଫୁଲ ଚନ୍ଦ୍ର ଗୌଡ ସ୍ୱାଗତଣ ଭାଷଣ ପ୍ରଦାନ କରିଥିବା ବେଳେ ଡାକ୍ତରଖାନା ମ୍ୟନେଜର ସନ୍ତୋଷ କୁମାର ପଣ୍ଡା କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନା କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆସିଷ୍ଟାଣ୍ଟ କଲେକ୍ଟର ବିକ୍ରମ କୁମାର ଦୋରା, ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ପୁର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଅଶୋକ କୁମାର ବେହେରା, ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ କାଳୁ ଚରଣ ପାତ୍ର, ଜିଇଡି ଯନ୍ତ୍ରୀ ପଙ୍କଜ ରଣା,ଏବିଇଓ ନୃସିଂହଚରଣ ମିଶ୍ର, ବ୍ଲକ ଜିପିଇଓ ଅଶୋକ କୁମାର ପଣ୍ଡା, ବିଜୟ କୃଷ୍ଣ ପଟ୍ଟନାୟକ, କୃପାସିନ୍ଧୁ ପଣ୍ଡା, ଏସ୍‌.ରେଖା ମହାନ୍ତି, ବସନ୍ତ କୁମାର ମହାରଣା ପ୍ରମୁଖ କମିଟି ସଦସ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ