ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ଶିବଶଙ୍କର ଫେରିପାଇଲେ ଓମ୍‌ଫେଡ଼ ବୁଥ୍‌

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ବିଶିଷ୍ଟ ସମାଜସେବୀ ଶିବଶଙ୍କର ଜେନାଙ୍କ ଓମ୍‌ଫେଡ଼୍ ବୁଥ୍ ଆଚାର୍ଯ୍ୟ ବିହାରସ୍ଥିତ ଆର.ଟି.ଓ. ଅଫିସ୍ ସମ୍ମୁଖରେ ଉଦ୍‌ଘାଟିତ ହୋଇଯାଇଛି । ଏଠାରେ ପ୍ରକାଶଥାଉକି ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଶିବଶଙ୍କର ବାପା ଆରଟିଓ ଅଫିସ୍ ସମ୍ମୁଖରେ ଚା ଦୋକାନ କରି ନିଜର ଗୁରୁରାଣ ମେଣ୍ଟାଉଥିଲେ । ବାପାଙ୍କ ମୃତ୍ୟୁପରେ ଚା ଦୋକାନର ଦାୟିତ୍ୱ ନେଇଥିଲେ ଶିବଶଙ୍କର । ଶିବଶଙ୍କର ଆଜକୁ ୨୦ବର୍ଷ ଧରି ଚା ଦୋକାନ କରି, ସେଥିରୁ ଉପାର୍ଜନ କରୁଥିବା ଅର୍ଥକୁ ସମାଜସେବାରେ ବିନିଯୋଗ କରିବା ସହିତ, ଗରିବ ନିଃସହାୟ ଲୋକଙ୍କ ସେବାରେ ନିୟୋଜିତ କରି ଆସୁଥିଲେ । କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ଗତ ଦୁଇବର୍ଷ ତଳେ ବିଏମ୍‌ସି, ବିଡ଼ିଏ, ଜିଏ ଓ ପୋଲିସ୍ ପ୍ରଶାସନର ମିଳିତ ଉଦ୍ୟମରେ ଶିବଶଙ୍କର ଚା ଦୋକାନଟିକୁ ଭାଙ୍ଗି ମାଟିରେ ମିଶାଇ ଦେଇଥିଲେ । ମାଟିରେ ମିଶିଯାଇଥିବା ଚା ଦୋକାନକୁ ଦେଖି ଶିବଶଙ୍କର ଗଭୀର ମର୍ମାହତ ହୋଇପଡ଼ିଥିଲେ । ଏହାପରେ ନିରୁପାୟ ହୋଇ ଶିବଶଙ୍କର ପ୍ରଶାସନିକ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସହାୟତା ମିଳିନଥିଲା । ପରେ ସେ ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସହଯୋଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଘଟଣାକୁ ବିଚାର କରି ଶିବଶଙ୍କରଙ୍କୁ ତାଙ୍କ ଚା ଦୋକାନକୁ ଫେରାଇ ଦେବା ପାଇଁ ବିଏମ୍‌ସିକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ପରେ ବିଏମ୍‌ସିର ଅଫିସରମାନେ ଆସି ଶିବଶଙ୍କରଙ୍କୁ ଭେଟି ତାଙ୍କୁ ଦୋକାନ ତିଆରି କରିବା ପାଇଁ ଜାଗା ଚିହ୍ନଟ କରିଥିଲେ । ଚିହ୍ନଟ ପରେ ମାନ୍ୟବର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହ କିଛି ସହୃଦୟ ବ୍ୟକ୍ତି ମଧ୍ୟ ଶିବଶଙ୍କରକୁ ସହଯୋଗର ହାତ ବଢାଇଥିଲେ । ସେହି ଅନୁଦାନ ଅର୍ଥରେ ଶିବଶଙ୍କର ଆଜି ତାଙ୍କର ଓମ୍‌ଫେଡ଼ ବୁଥ୍‌ଟିକୁ ଭୁବନଶ୍ୱେର ମଧ୍ୟ ବିଧାୟକ ମାନ୍ୟବର ଅନନ୍ତ ନାରାୟଣ ଜେନାଙ୍କ କରକମଳରେ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ, ଓମ୍‌ଫେଡ଼ର ମାର୍କେଟିଂ ନିର୍ଦ୍ଦେଶକ ଡ୍ୟୁରେଜ ଅହମ୍ମଦ, ସୁପରିଟେଣ୍ଡେଣ୍ଟ ମାର୍କେଟିଙ୍ଗ ଶଶିକାନ୍ତ ସ୍ୱାଇଁ, ରୋଡ଼ ଇନ୍‌ଚାର୍ଜ ଅଲେଖ ଚନ୍ଦ୍ର ମଲ୍ଲିକ, ସଦସ୍ୟ ମନୋରଞ୍ଜନ ମିଶ୍ର, ପୂର୍ବତନ କର୍ପୋରେଟର ଶେଖ୍ ନିଜାମୁଦ୍ଦିନ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ମହାନ୍ତି, ନାରୀନେତ୍ରୀ ଅନୁ ଅପା, ଉତ୍କଳ ୟୁନିଭରସିଟି ବାଣିବିହାର ସଭାପତି ତଥା ବିଜୁ ଜନତା ଦଳର ଯୁବ ସମ୍ପାଦକ ତନ୍ମୟ ସ୍ୱାଇଁ ସମାଜସେବୀ ଆର. ସନ୍ତୋଷ ଦୋରା ଏବଂ ୱାର୍ଡ଼ ନଂ-୨୯ର ୱାର୍ଡ଼କମିଟି ସଦସ୍ୟମାନେ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ