“କିଏ ହେବ ମୋ ହିରୋଇନ୍’ରେ ଅସିତ
ଅସିତ ଏବେ ଦାଛକିରେ ପଡ଼ିଯାଇଛନ୍ତି । କାହାକୁ ମନର ମାନସୀ ଭାବରେ ବାଛିବେ । କଥାଟି ଏମିତି ହୋଇଛି ଯେ, ଏଣୁ ମାରିଲେ ଗୋ ହତ୍ୟା ତେଣୁ ମାରିଲେ ବ୍ରହ୍ମହତ୍ୟା । ତେଣୁ ଏଭଳି ସମୟରେ କି ନିଷ୍ପତ୍ତି ନେବେ ସେ ଜାଣିପାରୁନାହାନ୍ତି । ତେବେ ତାଙ୍କର ପ୍ରେମର ମିଶନ କିପରି ଶେଷ ହେଉଛି ଆଉ ଦୁଇ ଜଣ ରୂପସୀଙ୍କ ମଧ୍ୟରୁ କାହାକୁ ସେ ଆପଣେଇ ନେଉଛନ୍ତି ତାହା ସିନେମା ଦେଖିଲେ ହିଁ ଜାଣିପାରିବେ । ହଁ, ଏପରି ଏକ ସସପେନ୍ସ ଥ୍ରୀଲର କାହାଣୀ ରଚନା କରିଛନ୍ତି ବିଜୟଲକ୍ଷ୍ମୀ ପଣ୍ଡା, ଯାହାକୁ ଆଧାର କରି ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା “କିଏ ହେବ ମୋ ହିରୋଇନ୍’? ଏକସେଲ ମୁଭିଜ ବ୍ୟାନରରେ ଏହା ହେଉଛି ଅଷ୍ଟମ ଚଳଚ୍ଚିତ୍ର । ଚିତ୍ରଟିର ପ୍ରଯୋଜନା ରବୀନ୍ଦ୍ର ପଣ୍ଡା କରୁଥିବା ବେଳେ ନିର୍ଦ୍ଦେଶନା ଦେବେ ନବାଗତ ପ୍ରଶାନ୍ତ ଲେଙ୍କା । ଡ. ରଜନୀ ରଞ୍ଜନ ସଂଳାପ ରଚନା କରିଛନ୍ତି ଏବଂ ଗୀତଗୁଡ଼ିକୁ ସ୍ୱର ଦେଉଛନ୍ତି ଅଗ୍ନିରାଜ କିଶୋର । କୋରିଓଗ୍ରାଫି ଦାୟିତ୍ୱ ତୁଲାଇବେ ଲୁବୁନ-ଟୁବୁନ୍ । “ଭୈରବ’ ଏବଂ “ନାୟକର ନାଁ ଦେବଦାସ’ ପରେ ଅସିତଙ୍କର ଏହା ହେଉଛି ତୃତୀୟ ଚଳଚ୍ଚିତ୍ର । ଅନ୍ୟପକ୍ଷରେ ତାଙ୍କ ଅପୋଜିଟରେ ନାୟିକା ଭାବରେ ଡେବ୍ୟୁ କରିବାକୁ ଯାଉଛନ୍ତି ସୋନମ୍ । ଚଳଚ୍ଚିତ୍ରର ଅନ୍ୟତମ ଫିମେଲ ଲିଡରେ ଅଛନ୍ତି “ଚାଲ୍ ଟିକେ ଦୁଷ୍ଟ ହେବା’ ଏବଂ “ଲଭ୍ ୟୁ ପ୍ରିୟା’ର ନାୟିକା ମହିମା । ଏମାନଙ୍କ ବ୍ୟତୀତ ଶ୍ରୀତମ ଦାସ, ପିଣ୍ଟୁ ନନ୍ଦ, କେକେ, ବିଦୁସ୍ମିତା, ପୁଷ୍ପା ପଣ୍ଡା, ଦୀପାଙ୍କୁ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିବ । “ଏହାର କାହାଣୀ ଭିନ୍ନ ଧରଣର । ଏଥିରେ ବିଶେଷ ଭାବରେ କିନ୍ନରମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି କହନ୍ତି ପ୍ରଯୋଜକ ରବୀନ୍ଦ୍ର ।’


