ଚଳିତ ବର୍ଷ ଜିଲ୍ଲାବାସି ସତର୍କ ରହିବା ଜରୁରୀ : ଜିଲ୍ଲାପାଳ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ପୂର୍ବାହ୍ନରେ ଓସ୍ୱାନ ହଲ ଠାରେ ବୈଠକ ଆଗତ କରି ଜନ ସାଧାରଣଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକୁ ବ୍ୟାପକ କରିବାକୁ ଜଣାଇଥିଲେ । ଜିଲ୍ଲାର ସମସ୍ତ ଚିକିତ୍ସାଳୟ ଗୁଡିକରେ ଅକ୍ସିଜେନ ରହିତ ଶଯ୍ୟା ପ୍ରସ୍ତୁତ କରି ରଖାଯାଇଥିବା ଜିଲ୍ଲାପାଳ ଅବଗତ କରାଇଥିଲେ । ଜିଲ୍ଲାରେ ଅକ୍ସିଜେନ ଏବଂ ସିଲିଣ୍ଡରର ଅଭାବ ନାହିଁ । ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଏବଂ ଟିକାକରଣ ଯେପରି ଶତପ୍ରତିଶତ ହେବ ତା ଉପରେ ଗୁରୁତ୍ୱ ଦେଇଥିଲେ । ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଘରକୁଘର ବୁଲି ମାସ୍କ ପରିଧାନ ଏବଂ ଟିକା କରଣ ଉପରେ ସମସ୍ତଙ୍କୁ ବୁଝାଇବା ସହ ଥଣ୍ଡା, ଜ୍ୱର, କାଶ ଆଦି ଲକ୍ଷଣ ଥିବା ବ୍ୟକ୍ତି ବିଶେଷଙ୍କ ଚିକିତ୍ସା ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଓମିକ୍ରନ୍ ଉପରେ ଜନସଚେତନତା ସୃଷ୍ଟି ଦିଗରେ ଗୁରୁତ୍ୱ ଆରୋପ କରିଥିଲେ । ଟେଲି ମେଡିସିନ୍ ଏବଂ ଆର୍.ଆର୍.ଟି. ଉପରେ ସମସ୍ତଙ୍କୁ ସଚେତନ କରାଇବା ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ କହିବା ସହ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଆର୍.ଆର୍.ଟି. ଟିମ୍ ର ଫୋନ୍ ନମ୍ବର ଜନସାଧାରଣଙ୍କୁ ଅବଗତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମକର ସଂକ୍ରାନ୍ତୀ ଉପଲକ୍ଷେ ଦୋକାନ ବଜାରରେ, ସର୍ବ ସାଧାରଣ ସ୍ଥାନ ମାନଙ୍କରେ, ସୁମୁଦ୍ର ବେଳାଭୂମିରେ, ମନ୍ଦିର ଗୁଡିକରେ ଯେପରି ଗହଳି ନହେବ ସେଥିପ୍ରତି କଡାନଜର ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଅକ୍ସିଜେନ୍ ରହିତ ଶଯ୍ୟା ପ୍ରସ୍ତୁତ କରି ରଖିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଦୈନିକ ୨୫୦୦ ଲେଖାଏଁ ଆର୍.ଟି.ପି.ସି.ଆର୍. ଏବଂ ଆଣ୍ଟିଜେନ୍ ପରୀକ୍ଷା କରାଯାଉଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବୈଠକରେ ଅବଗତ କରାଇଥିଲେ । କୋଭିଡ୍ ଲକ୍ଷଣଥିବା ବ୍ୟକ୍ତି ବିଶେଷଙ୍କର ପରୀକ୍ଷା କରିବାପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଖଲ୍ଲିକୋଟ, ରଙ୍ଗେଇଲୁଣ୍ଡା, ଚିକିଟି, ପାତ୍ରପୁର, ସାନଖେମୁଣ୍ଡି ବ୍ଲକ୍ ରେ ଶତକଡା ୮୦ ପ୍ରତିଶତ ଟିକାକରଣ ହୋଇଛି ଏଣୁ ଏହି ବ୍ଲକ୍ ଗୁଡିକରେ ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ବୀତ କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ଆମପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ବୁଷ୍ଟର ଡୋଜ୍ ଚଳିତ ସପ୍ତାହରେ ଯେପରି ଶତପ୍ରତିଶତ ପୂରଣ ହୋଇପାରିବ ସେଥିପ୍ରତି ନଜର ରଖିବାକୁ କହିଥିଲେ । ବିଜୁସ୍ୱାସ୍ଥ୍ୟକାର୍ଡ ବଣ୍ଟନ, ଧାନ ସଂଗ୍ରହଣ ପ୍ରକ୍ରିୟା, ବିଦ୍ୟାଳୟ ରୂପାନ୍ତରୀ କରଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା । ହିଞ୍ଜିଳି ଓ ଶେରଗଡ ବ୍ଲକ୍ ର ରୂପାନ୍ତରୀକରଣ ହୋଇଥିବା ବିଦ୍ୟାଳୟ ଗୁଡିକର ସ୍ଥିତି ଅନୁଧ୍ୟାନ କରିବାପାଇଁ ବରିଷ୍ଠ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସିନ୍ଦେ ଦତ୍ତାତ୍ରେୟ ଭାଉ ସଦାହେବ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ, ଛତ୍ରପୁର ଉପଜିଲ୍ଲାପାଳ ନୀଳ ମାଧବ ଭୋଇ, ଅନ୍ୟାନ୍ୟ ଅଧିକାରୀ ଗଣ ଭିଡିଓ କନଫରେନ୍ସି ଜରିଆରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ