ସର୍ବପୁରାତନ ମକରମେଳା ମା’ରାଇମଣି ପୀଠ
ବନ୍ତ, (ଚାନ୍ଦିନୀ ମହାନ୍ତି) :ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତର ଶେଷସୀମା ଅରଞ୍ଜି ଠାରେ ଅବସ୍ଥିତ ମା’ରାଇମଣି ପୀଠରେ କୋଭିଡ୍ କଟକଣା ମଧ୍ୟରେ ମକରମେଳା ଆରମ୍ଭ ହୋଇଛି । ଏହି ମେଳା ୩ ଦିନ ଧରି ଚାଲିବ । ଏହି ମେଳାରେ ମୀନା ବଜାର, ଦୋଳି, ରଙ୍ଗମଞ୍ଚ ଅନୁଷ୍ଠିତ ହେଉଛି । ଉକ୍ତ ପୂଜା ପ୍ରତି ବର୍ଷ ଧୂମଧାମରେ ପାଳିତ ହେଉଥିବା ବେଳେ କୋଭିଡ୍ କଟକଣା ପାଇଁ ଏହା ନିରାଡମ୍ବର ଭାବେ ପାଳିତ ହେଉଛି । ମା’ଙ୍କୁ ଦର୍ଶନ କରିବା ସହ ମାନସିକ ପୂରଣ ପାଇଁ ଶହ ଶହ ଶ୍ରଦ୍ଧାଳୁ ଏଠାରେ ରୁଣ୍ଡିଭୂତ ହୋଇଥାନ୍ତି । ଏହି ପୂଜା ପ୍ରାୟ ଶହେ ବର୍ଷ ଧରି ଚାଲୁ ରହିଛି । ଏଠାରେ ଭଦ୍ରକ, କେନ୍ଦୁଝର ଓ ବାଲେଶ୍ୱର ଜିଲାର ଶ୍ରଦ୍ଧାଳୁ ମାନେ ଆସିଥାନ୍ତି । ଏଠାରେ ସମସ୍ତ ପ୍ରକାରର ଘରକରଣା ଜିନିଷ ସମେତ ସୁସ୍ୱାଦୁ ଖାଦ୍ୟ ମିଳିଥାଏ । କୋଭିଡ୍ କଟକଣା ପାଇଁ ଉକ୍ତ ପୂଜା ଅଞ୍ଚଳକୁ ସାନିଟାଇଜ୍ କରାଯିବା ସହିତ ସାମାଜିକ ଦୂରତ୍ୱ ଅବଲମ୍ବନ କରାଯାଉଛି । ଉକ୍ତ ପୂଜାରେ ପୁଜକ ଗଣେଶ ଦୀକ୍ଷିତ, ମାନସ ପଣ୍ଡା, ରାମ ଚନ୍ଦ୍ର ପତି ପୂଜା କାର୍ଯ୍ୟ ସଂପାଦନ କରୁଛନ୍ତି । ଏହି ପୂଜା ପାଇଁ ଗଣିଜାଙ୍ଗ, ଦୈସିଂ, କାଉପୁର, କାଦବରାଙ୍ଗ, ରାନ୍ଦିଆ ଆଦି ପଞ୍ଚାୟତର ଗ୍ରାମବାସୀ ମାନେ ସହାୟତା କରିଥାନ୍ତି । କାର୍ଯ୍ୟକ୍ରମ ପରିଚାଳନାରେ ସଭାପତି ପ୍ରତାପ ମହାପାତ୍ର, ସଂପାଦକ ଅମୂଲ୍ୟ ମହାପାତ୍ର, ଅରଞ୍ଜି ଗ୍ରାମର ଉଦୀୟମାନ ଯୁବକ ମାନେ ସହାୟତା କରୁଛନ୍ତି ।


