ଡାକ୍ତରୀ ଶିକ୍ଷାଦାନ ସିଟ୍ ବୃଦ୍ଧିପାଇଁ ଦାବି

ବାଲେଶ୍ୱର, (ସରୋଜ ପଣ୍ଡା) :ଓଡ଼ିଶାରେ ସମସ୍ତ ସରକାରୀ ଓ ଘରୋଇ ମେଡିକାଲ୍ କଲେଜ୍‌ରେ ଚଳିତ ବର୍ଷ ଡାକ୍ତରୀ ଶିକ୍ଷା ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ବହୁ ମେଡିକାଲ୍ କଲେଜ୍‌ରେ ଡାକ୍ତରୀ ସିଟ୍ ବୃଦ୍ଧି କରାଯାଇଥିଲେ ମଧ୍ୟ ଚଳିତବର୍ଷ ବାଲେଶ୍ୱରସ୍ଥିତ ଫକୀରମୋହନ ମେଡିକାଲ୍ କଲେଜର ସିଟ୍ ସଂଖ୍ୟା ବୃଦ୍ଧି କରାନଯିବାରୁ କ୍ରିୟାନୁଷ୍ଠାନ କମିଟି ଉଦ୍‌ବେଗ ପ୍ରକାଶ କରିଛି । ବିଗତ ତିନୋଟି ଶିକ୍ଷାବର୍ଷ ଧରି ଏମ୍‌.ସି.ଆଇ ଦ୍ୱାରା ଅନୁମୋଦିତ ୧୦୦ ସିଟ୍‌କୁ ବହୁ ଦାବି ପରେ ବି ଚଳିତ ଶିକ୍ଷାବର୍ଷରେ ବୃଦ୍ଧି କରାନଯାଇ ବାଲେଶ୍ୱର ପ୍ରତି ଅବିଚାର କରାଯାଇଛି ବୋଲି କ୍ରିୟାନୁଷ୍ଠାନ କମିଟି ମତବ୍ୟକ୍ତ କରିଛି । ବାଲେଶ୍ୱରରେ ଡାକ୍ତରୀ ଶିକ୍ଷାଦାନ ପାଇଁ ଏମ୍‌.ସି.ଆଇ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ଭିତ୍ତିଭୂମି ଥିବାରୁ ଚଳିତବର୍ଷ ବାଲେଶ୍ୱରରେ ଅନ୍ୟୁନ ଅଧିକ ୫୦ଟି ଡାକ୍ତରୀ ସିଟ୍ ବୃଦ୍ଧିପାଇଁ ଦାବି କରାଯାଇଛି । ଆସନ୍ତା ସପ୍ତାହରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟବିଭାଗକୁ ଜିଲ୍ଲାବାସୀଙ୍କ ଏହି ଅସନ୍ତୋଷ ଲିଖିତ ଭାବେ ଜଣାଇବାକୁ ଶନିବାର ଦିନ ଅପରାହ୍ନରେ ମମତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆମ ରାଜ୍ୟରେ ଅନେକ ଡାକ୍ତରୀ ପଦବୀ ଖାଲି ପଡ଼ିଥିବାବେଳେ ଡାକ୍ତରୀ ଶିକ୍ଷାଦାନ ପାଇଁ ଅଧିକ ସିଟ୍ ବୃଦ୍ଧିର ଜରୁରୀ ଆବଶ୍ୟକତାକୁ ସରକାର ଉପଲବ୍‌ଧି କରିବା ଉଚିତ୍ ବୋଲି ମତପ୍ରକାଶ ପାଇଛି । ଉକ୍ତ ବୈଠକରେ ସର୍ବଶ୍ରୀ ନିରଞ୍ଜନ ପରିଡ଼ା, ଡା. ତାରାକାନ୍ତ ନନ୍ଦ, ଯଶୋଦା ନନ୍ଦନ ଆସ୍‌, ଗୌରାଙ୍ଗ ପାଣିଗ୍ରାହୀ, ସୀତାରାମ ପ୍ରଧାନ, ପୁରୁଷୋତ୍ତମ ବେହେରା, ବିଜନ ଦେ, ଇଂ. ବିନୋଦ ଦାସ, ଡ. କେଶବ ଚରଣ ପଣ୍ଡା ଓ ଯତୀନ୍ ପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଭାକାର୍ଯ୍ୟ ଆରମ୍ଭରେ ବିଶିଷ୍ଟ ଅନୁବାଦକ, ସୁସାହିତ୍ୟିକ, ସମାଜସେବୀ, ଇଂ. ପ୍ରଶାନ୍ତ ଦତ୍ତଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଶେଷରେ ବନ୍ଦନା ବିଶ୍ୱାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ