ଡୋଳାରେ ଥିବା କଳାଦାଗରୁ ହୋଇପାରେ କ୍ୟାନସର୍
କିଛି ଲୋକଙ୍କ ଆଖି ଡୋଳାରେ କଳା ଦାଗ ଦେଖିବାକୁ ମିଳିଥାଏ । କେହି କେହି ଏହି ଦାଗକୁ କଳାଜାଇ ବୋଲି କହିଥା’ନ୍ତି । ତେବେ ଚିକିତ୍ସା ବିଜ୍ଞାନରେ ଏହି ଦାଗକୁ “ଆଇ ଫ୍ରେକଲସ୍’ ବୋଲି କୁହାଯାଏ । ଏହି ଦାଗକୁ ସାଧାରଣତଃ ସମସ୍ତେ ସାମାନ୍ୟ ବୋଲି ଭାବନ୍ତି । କିନ୍ତୁ ସମସ୍ତ କଳାଦାଗ ସାମାନ୍ୟ ନୁହେଁ । ଭବିଷ୍ୟତରେ ଏହା କ୍ୟାନସର୍ର କାରଣ ବି ହୋଇପାରେ । ଏଥିପାଇଁ ଆଖିରେ କୌଣସି କଳା ଦାଗ ଦେଖିଲେ, ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ ଏହାର ଯାଞ୍ଚ କରନ୍ତୁ ।
ଆଇ ଫ୍ରେକଲସ୍ ହେବାର କାରଣ
ଆଇ ଫ୍ରେକଲସ୍ ଅନେକ କାରଣରୁ ହୋଇଥାଏ । ଅନେକଙ୍କ କ୍ଷେତ୍ରରେ ଜନ୍ମରୁ ଆଖି ଡୋଳାରେ କଳା ଦାଗ ରହିଥାଏ । ବୟସ ବିବା ସହିତ ଏହି କଳା ଦାଗର ଆକାର ବି ବୃଦ୍ଧି ପାଇଥାଏ । ସେହିପରି ଅନ୍ୟ ଏକ କାରଣ ହେଉଛି, ଯେଉଁମାନେ ଅତ୍ୟଧିକ ସୂର୍ୟ୍ୟକିରଣରେ ରହନ୍ତି, ସେମାନଙ୍କ ଆଖି ଡୋଳାରେ ଏପରି ଦାଗ ସୃଷ୍ଟି ହୋଇଥାଏ । ଡୋଳାର ଯେକୌଣସି ସ୍ଥାନରେ ଏହା ହୋଇପାରେୟ ସେହିପରି କିଛି କିଛି ଆଇ ଫ୍ରେକଲସ୍ ଦୃଶ୍ୟମାନ ହୁଅନ୍ତି ନାହିଁ । ପରୀକ୍ଷା ପରେ ଡାକ୍ତର ଏଗୁଡ଼ିକୁ ଧରିପାରନ୍ତି ।
ଲକ୍ଷଣ : ମହିଳାଙ୍କ କ୍ଷେତ୍ରରେ ଆଖିରେ ଥିବା ଏହି ଦାଗ ଗର୍ଭାବସ୍ଥା ସମୟରେ ରଙ୍ଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଥାଏ । ଯେଉଁମାନଙ୍କର ଆଖି ନୀଳ ସେମାନଙ୍କ ଆଖି ଚେକ୍ କରିବା ପରେ ଏହି ଫ୍ରେକଲ୍ସ ସମ୍ପର୍କରେ ଜଣାପଡ଼େ ।
ଉପଚାର : ଅଧିକାଂଶ ଆଇ ଫ୍ରେକଲସ୍ କୌଣସି କ୍ଷତି ପହଞ୍ଚାଇ ନ ଥା’ନ୍ତି । କିନ୍ତୁ ଏହା ଜରୁରୀ ଯେ ଆଖିରେ ଫ୍ରେକଲ୍ଲ ଦେଖିଲା ମାତ୍ରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ଏହା ଯୋଗୁ ଦୃଷ୍ଟି ଶକ୍ତି ପ୍ରଭାବିତ ହେବା ସହିତ କ୍ୟାନସର୍ ହେବାର ଆଶଙ୍କା ମଧ୍ୟ ରହିଛି । ଏଥିଯୋଗୁ ଯେଉଁ କ୍ୟାନ୍ସର ହୋଇଥାଏ, ତାକୁ “ମେଲୋନୋମା’ କୁହାଯାଏ ।


