ବଜେଟରେ ବ୍ୟବସ୍ଥା ନାହିଁ : ସମାଜବାଦୀ ପାର୍ଟି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ୩୯.୪୫ଲକ୍ଷ କୋଟି ଟଙ୍କାର ବାର୍ଷିକ ଆୟବ୍ୟୟର ବିବରଣୀ ଆଜି ସଂସଦରେ ଆଗତ କରିଛନ୍ତି । ଏହି ବଜେଟରେ ଆଶା କରାଯାଉଥିବା ଦରଦାମ ବୃଦ୍ଧି କମିବ, ମୁଦ୍ରାସ୍ଫୀତିକୁ ଆୟତରେ ରଖିବା ପାଇଁ ଅର୍ଥମନ୍ତ୍ରୀ ପଦକ୍ଷେପ ନେବେ, ପାନାମା ପେପର୍ସ ଓ ପାରାଡ଼ାଇଜ ପେପର୍ସ ଭଳି କଳାଟଙ୍କା ଉପରେ ସରକାର କଠୋର ପଦକ୍ଷେପ ନେବେ ବୋଲି ଦେଶବାସୀ ଆଶା ରଖିଥିଲେ । ସେହିଭଳି ସରକାର ଯେହେତୁ ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରିଛନ୍ତି, ତେଣୁ କୃଷକମାନଙ୍କୁ କିଛିଟା ସହଯୋଗର ହାତ ବଢାଇବେ ବୋଲି ସମସ୍ତେ ଆଶା କରିଥିଲେ । କିନ୍ତୁ ଆଜିର ବଜେଟ ଆଗତ ପରେ ସମସ୍ତ ସାଧାରଣ ଜନତା ଓ ବେକାର ଯୁବକ ଯୁବତୀ ନିରାଶ ହୋଇଛନ୍ତି ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ବଜେଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କୁହାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ବଜେଟ ଉପରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏନ୍ଡ଼ିଏ ସରକାର କ୍ଷମତାକୁ ଆସିବା ପୂର୍ବରୁ ବର୍ଷକୁ ୨କୋଟି ଚାକିରୀ ଦେବାର ପ୍ରତଶ୍ରୁତ ଦେଇଥିଲେ । କିନ୍ତୁ ଦୁଃଖର କଥା ଆଜିର ବଜେଟରେ ଅର୍ଥମନ୍ତ୍ରୀ ୫ ବର୍ଷରେ ୬୦ ଲକ୍ଷ ଚାକିରୀ ଦେବେ ବୋଲି ସ୍ୱପ୍ନ ଦେଖାଇଛନ୍ତି । ପେଟ୍ରୋଲ ୧୦୦ ଟଙ୍କା ଉପରେ, ଡ଼ିଜେଲ ପାଖାପାଖି ୧୦୦ ଟଙ୍କା ଏବଂ ଜାଳେଣି ଗ୍ୟାସ ପାଖାପାଖି ୧୦୦୦ଟଙ୍କାରେ ପହଂଚିଛି । ଯାହାର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ ଦୈନନ୍ଦିନ ଜିନିଷପତ୍ର ଉପରେ ଓ ଖାଦ୍ୟ ପଦାର୍ଥ ଉପରେ ପଡୁଛି । ଏହା ସାଧାରଣ ଲୋକଙ୍କ ପାଇଁ ‘ବୋଝ ଉପରେ ନଳିତାବିଡ଼ା’ ସଦୃଶ ହୋଇଛି । ଦରଦାମ ରୋକିବା ପାଇଁ ଅର୍ଥମନ୍ତ୍ରୀ କୌଣସି ବଳିଷ୍ଠ ପଦକ୍ଷେପ ନେଇନାହାଁନ୍ତି । ମୁଦ୍ରାସ୍ଫୀତି ପାଖାପାଖି ୭ ପ୍ରତିଶତ ହୋଇଥିଲା ବେଳେ ବଜେଟ ମୁଦ୍ରାସ୍ଫୀତିକୁ ରୋକିବାକୁ ବ୍ୟର୍ଥ ହୋଇଛି । ସରକାର ବଜେଟରେ ହୀରା ଗହଣା, ଇମିଟେସନ ଉପରେ ଟିକସ ହଟାଇଛନ୍ତି । ‘ବେଲ ପାଚିଲେ କାଉର କି ଯାଏ’ ନ୍ୟାୟରେ ଏହା ସାଧାରଣ ମଣିଷର ଦୈନନ୍ଦିନ ଜୀବନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ସର୍ବୋପରି ଏହି ବଜେଟ ଗରିବ ଓ ବେକାର ବିରୋଧୀ । ସେହିଭଳି କୃଷି କ୍ଷେତ୍ରରେ ସରକାର ‘ଡ୍ରୋନ’ର ବ୍ୟବହାରକୁ ବ୍ୟାପକ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଯେଉଁ ଦେଶରେ କୃଷି ପାଇଁ ମୌଳିକ ଆବଶ୍ୟକତା, ଜଳସେଚନ ନାହିଁ, ସାର, ମଞ୍ଜି ଓ ରୋଗପୋକ ନିୟନ୍ତ୍ରଣ ପାଇଁ ପୋକମରା ଔଷଧର କଳାବଜାରୀ ରୋକିବାରେ ସରକାର ବ୍ୟର୍ଥ । ସେହି କୃଷି କ୍ଷେତ୍ରରେ ଡ୍ରୋନର ବ୍ୟବହାର ଏକ ହାସ୍ୟାସ୍ପଦ କଥା । ମୋଟ ଉପରେ ଏହି ବଜେଟ ମଧ୍ୟବିତ୍ତଙ୍କୁ ମଧ୍ୟ ନିରାଶ କରିଛି । ଆୟକର ସୀମାକୁ ଅର୍ଥମନ୍ତ୍ରୀ ବଢାଇବା ଉପରେ ନୀରବତା ପ୍ରଦର୍ଶନ କରିଛନ୍ତି । ସରକାର ଏହି ବଜେଟ ଆଗତ କରି ଘରୋଇକରଣକୁ ଆହୁରି ତ୍ୱରାନ୍ୱିତ କରିଛନ୍ତି ଯାହା ୩ ଦିନ ତଳେ ଏୟାର ଇଣ୍ଡିଆକୁ ବିକ୍ରି କରି ସରକାର ଦେଶବାସୀଙ୍କ ଆଗରେ ଘରୋଇକରଣର କବାଟ ମେଲା କରିଦେଇଥିଲେ । ଏୟାର ଇଣ୍ଡିଆକୁ କିଣିଥିବା ଟାଟା କମ୍ପାନୀ, ଷ୍ଟେଟବ୍ୟାଙ୍କ ଓ ବ୍ୟାଙ୍କ ଅଫ ବରୋଦାରୁ ଯଥାକ୍ରମେ ୧୦ ହଜାର କୋଟି ଓ ୫ ହଜାର କୋଟି ଟଙ୍କା ଋଣକୁ ୪ଟଙ୍କା ୨୫ପଇସା ସୁଧରେ ନେଇଥିବା ବେଳେ ଏ ଦେଶର ଗରିବ କୃଷକଙ୍କୁ ସରକାର ୧୨ ଟଙ୍କାରୁ ୧୪ ଟଙ୍କାରେ କୃଷିଋଣ ଯୋଗାଇ ଦେଉଛନ୍ତି । ତେଣୁ ସରକାର ଗରିବଙ୍କ ପାଇଁ କେତେ ଦରଦୀ ଓ କୃଷକଙ୍କ ପାଇଁ କେତେ ସମ୍ବେଦନଶୀଳ ଏଥିରେ ସହଜରେ ପ୍ରତିଫଳିତ ହୁଏ । ସର୍ବୋପରି ଏହି ବଜେଟ ଗରିବ ବିରୋଧୀ, ମଧ୍ୟବିତ୍ତ ବିରୋଧୀ ଓ ବେକାରୀ ବିରୋଧୀ ତଥା ଦରଦାମ ନିୟନ୍ତ୍ରଣ ଓ କଳାଟଙ୍କା ରୋକିବାରେ ବ୍ୟର୍ଥ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।


