୪ରୁ ଖୋଲିବ ଜିଲ୍ଲାର ସମସ୍ତ ଧର୍ମୀୟ ଅନୁଷ୍ଠାନ
ବାଲେଶ୍ୱର, (ସରୋଜ ପଣ୍ଡା) :-ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଧର୍ମାନୁଷ୍ଠାନ ଖୋଲାଯିବା ସମ୍ପର୍କିତ ଏକ ବୈଠକସ୍ଥାନୀୟ ସଦଭାବନା ସଭାଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଧର୍ମୀୟ ଅନୁଷ୍ଠାନ ଯଥା ମନ୍ଦିର, ମସଜିଦ୍, ଚର୍ଚ୍ଚ, ଗୁରୁଦ୍ୱାର ଇତ୍ୟାଦିର ପ୍ରତିନିଧିମାନଙ୍କ ସହ ଆଲୋଚନା କରାଯାଇଥିଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ମାସରେ ଧର୍ମାନୁଷ୍ଠାନଗୁଡିକୁ ଜନସାଧାରଣଙ୍କ ଦର୍ଶନ ନିମନ୍ତେ ବନ୍ଦ ରଖାଯାଇଥିଲା । କେବଳ ବିଧି-ବିଧାନ ଓ ନୀତିକାନ୍ତି ପାଇଁ ସୀମିତ ସଂଖ୍ୟକ ବ୍ୟକ୍ତିଙ୍କୁ ପ୍ରବେଶ ଅନୁମତି ଦିଆଯାଇଥିଲା । ଏବେ ସଂକ୍ରମଣ ହ୍ରାସ ପାଉଥିବାରୁ କିଛି କଟକଣା ସହିତ ଜନସାଧାରଣଙ୍କ ପାଇଁ ଆସନ୍ତା ଫେବୃଆରୀ ୪ତାରିଖରୁ ଧର୍ମାନୁଷ୍ଠାନଗୁଡିକୁ ଖୋଲାଯିବା ପାଇଁ ଏହି ବୈଠକରେ ନିଷ୍ପତି ନିଆଯାଇଛି । ଜିଲ୍ଲାରେ ଧର୍ମାନୁଷ୍ଠାନଗୁଡିକ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ନିମନ୍ତେ ଖୋଲା ରହିବ । ତେବେ ଧର୍ମାନୁଷ୍ଠାନକୁ ପ୍ରବେଶ ବେଳେ ଜନସାଧାରଣଙ୍କୁ କୋଭିଡ ନିୟମର ଅନୁପାଳନ କରିବାକୁ ହେବ । ସେମାନେ ନିଶ୍ଚିତ ଭାବେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବେ । ଧର୍ମାନୁଷ୍ଠାନ ପରିଚାଳନା ଦାୟିତ୍ୱରେ ଥିବା ସଦସ୍ୟମାନଙ୍କୁ ତାହା ସୁନିଶ୍ଚିତ କରିବାକୁ ପଡିବ । ଏ ନେଇ ବୈଠକରେ ଉପସ୍ଥିତ ଧର୍ମୀୟ ଅନୁଷ୍ଠାନଗୁଡିକର ପ୍ରତିନିଧିମାନେ ସହମତି ପ୍ରକାଶ କରିଥିଲେ । ଜିଲାରେ ସଂକ୍ରମଣ ହ୍ରାସ ପାଉଥିଲେ ହେଁ ଏ କ୍ଷେତ୍ରରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ବୈଠକରେ ଜିଲା ସଂସ୍କୃତି ଅଧିକାରୀ ଅନନ୍ତ ସେଠୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ଧର୍ମାନୁଷ୍ଠାନ ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


