ଶିକ୍ଷକଙ୍କ ୫ମ ସ୍ମାରକୀ ବକ୍ତୃତାମାଳା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଓଡିଶାର ବିପ୍ଳବୀ ସାହିତ୍ୟକୁ ଜନାଦୃତି ଦେବାରେ ଅତୁଳନୀୟ ଅବଦାନ ପାଇଁ ପ୍ରାଧ୍ୟାପକ ଭଗବାନ ଜେନା ସବୁଦିନ ପାଇଁ ମନେରହିବେ ବୋଲି ସଂଗ୍ରାମୀ ଭଗବାନ ଜେନାଙ୍କ ୫ମ ପୂଣ୍ୟତିଥି ଉପଲକ୍ଷେ ଆୟୋଜିତ ବକ୍ତୃତାମାଳାରେ ଆଲୋଚକ ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ଡଃ. ବାସୁଦେବ ଦାସ ମତ ପ୍ରକାଶ କରିଛନ୍ତି । ସଂଗ୍ରାମୀ ଭଗବାନ ଜେନା ସ୍ମୃତି କମିଟି ପକ୍ଷରୁ ଗୋକୁଳ ଚନ୍ଦ୍ର ସଂଗୀତ ସଦନ ପରିସରରେ ସଂଗଠନର ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ପରିଚାଳନାରେ ଅନୁଷ୍ଠିତ ସ୍ମାରକୀ ବକ୍ତୃତାମାଳାରେ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଗବାନବାବୁଙ୍କ ସାହିତ୍ୟର ସାମୁହିକ ଆବେଦନ ଏବଂ ଓଡିଶାର ଶିକ୍ଷା ଆନ୍ଦୋଳନ ପ୍ରତି ତାଙ୍କର ସ୍ମରଣୀୟ କାର୍ଯ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସଂଗଠନର ସମ୍ପାଦକ ଆଦିକନ୍ଦ ରାଉଳ ସ୍ମାରକୀ ବକ୍ତୃତାର ଉଦେଶ୍ୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶୈଳଜା ଶଙ୍କର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ଗାଳ୍ପିକା ଅବନ୍ତୀ ବେହେରା, ଅବସରପ୍ରାପ୍ତ ଡେପୁଟୀ କଲେକ୍ଟର ବିଜୟ ନାୟକ, ଗୟାଧର ଧଳ, ନିରଞ୍ଜନ ପରିଡା, ଶୁଭାଂଶୁ ଦାସ, ଅଶୋକ ସାହୁ, ସ୍ୱପ୍ନାଂଶୁ ଦାସ, ଶରତ ରାଉତ, ମଧୁସୁଦନ ନାଥ, ଭାଗୀରଥି ଜେନା, ଆଶିଷ ସେନାପତି, ଫକିର ଓଝା ପ୍ରମୁଖ ଯୋଗଦେଇ ସଂଗ୍ରାମୀ ଜେନାଙ୍କ ଶିକ୍ଷକ ଆନ୍ଦୋଳନ କାଳର ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଡଃ. ବାସୁଦେବ ଦାସଙ୍କୁ ଭଗବାନ ଜେନା ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ସୁରେଶ ପଟ୍ଟନାୟକଙ୍କ ଦ୍ୱାରା ସୁର ସାମ୍ରାଜ୍ଞି ଲତା ମଙ୍ଗେସ କରଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା ।


