ଆଜି ବିଶ୍ୱ ହୃତ୍ପିଣ୍ଡ ଦିବସ
ଆସିକା (ୱାଇଏନ୍ଏସ୍):ଆଜି ଅର୍ଥାତ୍ ସେପ୍ଟେମ†ର ମାସ ୨୯ ତାରିଖରେ ପାଳିତ ହୋଇଥାଏ ବିଶ୍ୱ ହୃତପିଣ୍ଡ ଦିବସ । ହୃଦରୋଗର କାରଣ, ଲକ୍ଷ୍ୟଣ ଓ ପ୍ରତିକାର ବିଷୟରେ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସ ୨୯ ତାରିଖକୁ ବିଶ୍ୱ ହୃତପିଣ୍ଡ ଦିବସ ରୂପେ ପାଳନ କରାଯାଇଆସୁଛି । ବିଶ୍ୱ ହୃତପିଣ୍ଡ ଦିବସ ଅବସରରେ ଆସିକା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ସହରାଞ୍ଚଳ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର)ର ଚିକିତ୍ସାଧିକାରୀ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ପରାମର୍ଶ ଦେଇ କହିଛନ୍ତି ଯେ ସାଂପ୍ରତକ ପରିସ୍ଥିତିରେ ଯେଉଁ କେତେକ ସ୍ୱାସ୍ଥ୍ୟଗତ ସମସ୍ୟା ପ୍ରମୁଖ ଭାବରେ ବିଭିିନ୍ନ ସମୟରେ ଆମେ ସମ୍ମୁଖୀନ ହେଉଛେ । ସେଥି ମଧ୍ୟରୁ ହୃଦ୍ଜନିତ ସମସ୍ୟା ଅନ୍ୟତମ । ଆମର ହାତମୁଠା ଆକାର ହୃତପିଣ୍ଡଟି ଛାତିର ବାମପଟେ ତୀର୍ଯକ ଭାବେ ଅବସ୍ଥିତ । ଏହା ଗର୍ଭ ସଞ୍ଚାରର ଦୁଇ ମାସ ଠାରୁ ଆରମ୍ଭ କରି ଜୀବନର ଶେଷ ପର୍ଯ୍ୟନ୍ତ ନିରବିଚ୍ଛିନ୍ନ ଭାବେ କାମ କରିଥାଏ । ସହିପରି ଶରୀରର ଦକ୍ଷିଣ ପଟ ହୃତପିଣ୍ଡଟି ଅମ୍ଳଜାନ୍ ସଂଯୁକ୍ତ ହେବା ପାଇଁ ରକ୍ତ ଫୁସ୍ଫୁସ୍କୁ ଯାଏ ଏବଂ ତାପରେ ଏହା ଫୁସ୍ଫୁସୀୟ ଶିରା ଦ୍ୱାରା ପ୍ରଭାହିତ ହୋଇ ବାମପଟକୁ ଆସି ସାରା ଶରୀରକୁ ଯାଇଥାଏ । ମନୁଷ୍ୟ ଶରୀରରେ ହୃତପିଣ୍ଡ କାମ କରିବା ବନ୍ଦ ହୋଇଗଲେ ଲୋକଟି ମୃତ୍ୟୁମୁଖରେ ପଡିଥାଏ । ହୃଦ୍ରୋଗର ହେବାର ପ୍ରମୁଖ ବିପଦ ସୃଷ୍ଟିକାରୀ କାରଣଗୁଡିକ ହେଉଛି ଧୂମପାନ ଓ ମଦ୍ୟପାନ ଏବଂ ନିଶାସେବନ, ଅତ୍ୟନ୍ତ ମେଧବହୁଳତା, ମଧୁମେହ, ଅତ୍ୟଧିକ ରକ୍ତରେ ଚର୍ବି, ଅସନ୍ତୁଳିତ ଉଚ୍ଚ ରକ୍ତଚାପ, ଅତ୍ୟଧିକ ମାନସିକ ଅବସାଦ ସମେତ ଅନେକ କାରଣ ହୋଇଥିଲା ବେଳେ ଧୁମପାନ ଓ ମଦ୍ୟପାନକୁ ନା କରି ସୁସ୍ଥ ଖାଦ୍ୟ ଭକ୍ଷଣ ଓ ନିୟମିତ ସ୍ୱାସ୍ଥ ପରୀକ୍ଷା ଏବଂ ନିୟମିତ ବ୍ୟାୟାମ କରିବା ନିତାନ୍ତ ଆବଶ୍ୟକ । ହୃଦ୍ରୋଗରୁ ଦୂରେଇ ରହିବା ପାଇଁ ସଦାସର୍ବଦା ସୁସ୍ଥ ଖାଦ୍ୟପେୟ ଓ ନିୟମିତ ବ୍ୟାୟାମ ଏବଂ ଧ୍ରୁମପାନ ତଥା ନିଶାସେବସକୁ ବର୍ଜନ କରିବା, ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଓ ଅଧିକ କୋଲେଷ୍ଟଲ୍ ଭଳି ବିପଦମୁକ୍ତ କାରଣଗୁଡିକୁ ନିୟନ୍ତ୍ରଣ ପାଇଁ ସର୍ବାଧିକ ଗୁରୁତ୍ୱ ଦେବା, ହୃଦ୍ରୋଗର ଚିକିତ୍ସା ଏବଂ ସଠିକ୍ ପରାମର୍ଶର ସୁୂବିଧାକୁ ସୁନିଶ୍ଚିତ କରିବା, ହୃତପିଣ୍ଡକୁ ସଦାସର୍ବଦା ସୁସ୍ଥ ରଖିବା ପାଇଁ କିପରି ଖାଦ୍ୟ ଖାଇବାକୁ ହେବ ସେ ସଂପର୍କରେ ଯତ୍ନବାନ୍ ହେବା ନିୟମିତ ଅତି କମ୍ରେ ୩୦ ମିନଟ୍ ଚାଲିବା କିମ୍ବା ସାଇକେଲ ଚାଳନା କରିବାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ । ହୃଦ୍ରୋଗର ରୋଗର କାରଣ ଓ ଲକ୍ଷ୍ୟଣ ସଂପର୍କରେ ଜନସାଧାରଣ ସଚେତନ ହେବା ନିତାନ୍ତ ଆବଶ୍ୟକ ରହିଛି ବୋଲି ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ପରାମର୍ଶ ଦେଇଛନ୍ତି ।


