ମୁଖ୍ୟ ରାସ୍ତା ଭୁଷୁଡିବାରେ ଲାଗିଛି : ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ନାହିଁ

ପାରଳାଖେମୁଣ୍ଡି, (ପାରଳାଖେମୁଣ୍ଡି) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଲାଇଫଲାଇନ କୁହା ଯାଉଥିବା ମୁଖ୍ୟରାସ୍ତା ଯଥା ଶଙ୍କୁରୀ ପୋଖରୀ ଠାରୁ ବସଷ୍ଟାଣ୍ଡ ରାସ୍ତାରେ ଥିବା ଏସାର ପେଟ୍ରୋଲ ପମ୍ପ ସମ୍ମୁଖ ଭୁଷୁଡିବାରେ ଲାଗିଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ନଥିବା ଭଳି ଲାଗୁଛି । ସୂଚନା ଯୋଗ୍ୟ ଯେ, ୪ବର୍ଷ ପୂର୍ବେ ଶଙ୍କୁରି ପୋଖରୀର ଉନ୍ନୟନ ନାମରେ ଖନନ କରାଯାଇଥିଲା । ତେବେ ଉକ୍ତ ପଖୋରୀ ଉନ୍ନୟନ ନାମରେ ଶଙ୍କୁଚିତ କରି ଦିଆଯାଇଛି । ଏହାପରେ ରାସ୍ତା ପ୍ରଶସ୍ତିକରଣ ପାଇଁ ଗତ ୨ବର୍ଷ ମଧ୍ୟରେ ଜବର ଦଖଲ ହଟାଯିବା, ବୃକ୍ଷ କଟାଯିବା, ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତରିତ କରାଯିବା ଆଦି କାର୍ଯ୍ୟ ହୋଇଥିଲେ ହେଁ ଏହି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଅଟକି ରହିଛି । ତେବେ ଶଙ୍କୁରୀ ପୋଖରୀର ପୁନଃ ଉଦ୍ଧାର ସମୟରେ ନାଳ ଓ ରାସ୍ତା ପାଇଁ ଖନନ କରାଯାଇଥିଲା ତାହା ଏବେ ବିପଦ ଡାକି ଆଣିବା ଭଳି ହୋଇପଡିଛି । ରାସ୍ତାକଡଟି ଆସ୍ତେ ଆସ୍ତେ ଭୁଷୁଡିବାରେ ଲାଗିଛି । ଏହି ସ୍ଥାନଟି କେତେବେଳେ ଯେ ଭୁଷିଡି ଯିବ ଅନୁମାନ କରିବା ମୁସ୍କିଲ ଅଟେ । ସହରର ଏକ ମାତ୍ର ଏହି ମୁଖ୍ୟ ରାସ୍ତାରେ ଦୈନନ୍ଦିନ ଦୁଇଚକିଆ, ତିନି ଚକିଆ ସମେତ ବସ୍‌, ଟ୍ରକ ଭଳି ଭାରୀଯାନ ଗୁଡାକ ଯାତାୟତ କରିଥାନ୍ତି । ଯଦି ଅସାବଧାନବଶତଃ ରାସ୍ତା ଭୁଷୁଡୁ ଥିବା ସ୍ଥାନ ଦେଇ କୌଣସି ଗାଡି ଗଢିଗଲେ ନିଶ୍ଚିତ ଏକ ବଡଧରଣ ଦୁର୍ଘଟଣାର ସମ୍ମୁଖୀନ ହେବାର ଅନୁମାନ କରାଯାଇପାରେ । ଉକ୍ତ ରାସ୍ତା ଦେଇ ଜିଲ୍ଲାମୁଖିଆ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ଉଚ୍ଚପଦସ୍ତ ଅଧିକାରୀ, ବିଭାଗୀୟ କର୍ତ୍ତୃପକ୍ଷ ଯାଉଥିଲେ ମଧ୍ୟ ଦୃଷ୍ଟି ପଡୁଥିଲେ ମଧ୍ୟ ଅଣ ଦେଖା କରି ଚାଲିଯାଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଅଛି । ସବୁ ଠାରୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଲା ଏପରି ଏକ ବିପଦପୂର୍ଣ୍ଣ ସ୍ଥାନରେ ପୂର୍ତ୍ତ ବିଭାଗ ପକ୍ଷରୁ ବିପଦ ସଙ୍କେତ ମଧ୍ୟ ଲଗାଯାଇ ନାହିଁ । ଅନ୍ୟପକ୍ଷରେ ପୋଖରୀର ଉନ୍ନୟନ ତଥା ରାସ୍ତା ପ୍ରଶସ୍ତିକରଣ ବେଳେ ଯେଉଁ ଜବର ଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଥିଲା ବର୍ତ୍ତମାନ ଧିରେ ଧିରେ ଏହା ପୁଣି ଅସ୍ଥାୟୀ ଦୋକାନମାନ ଗଢି ଉଠିଛି । ହୁଏତ ଆଗାମୀ ଦିନରେ ଏହି ଅସ୍ଥାୟୀ ଦୋକାନୀମାନ ସ୍ଥାୟୀ ଦୋକାନ ନିର୍ମାଣ କରି ପୁଣି ଜବରଦଖଲ କରି ନିଜ ଅକ୍ତିଆରକୁ ନେବାର ସମ୍ଭାବନା ରହିଛି । ଇତିମଧ୍ୟରେ ପାରଳା ପୌରପରିଷଦ ୨୦୧୯ମସିହାର ଶେଷ ଭାଗରେ ନିର୍ବାଚିତ ଶାସନ ଭଙ୍ଗ ହୋଇ ପ୍ରଶାସନ ହାତକୁ ଯିବାପରେ ମଧ୍ୟ କୌଣସି ଆଖିଦୃଶିଆ ଉନ୍ନୟନ କାମ ହୋଇନଥିବାର ମଧ୍ୟ ସାଧାରଣରେ ଆଲୋଚନା ହେଉଛି । ସେ ରାସ୍ତା କାମ ହେଉ ଅବା ପୋଖରୀ ଉନ୍ନୟନ କାମ ବର୍ତ୍ତମାନ ଦୁଇଟି କାମ ଅଧପନ୍ତରିଆ ଭାବେ ପଡିରହିଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନିକ୍ଷେପ କରି ଉଭୟ କାର୍ଯ୍ୟକୁ ତୁରନ୍ତ ସମାପନ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ