ରାୟଗଡ ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ସମାପନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରାୟଗଡ ବ୍ଲକ ଠାରେ ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଯାଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ସମ୍ପୂର୍ଣ୍ଣ ସୁବନ୍ଦୋବସ୍ତ କରିବା ସହ ଶାନ୍ତି ଶୃଙ୍ଖଳାରେ କିପରି ନିର୍ବାଚନ ପରିଚାଳନା ହେବ ସେଥିପାଇଁ ସମସ୍ତ ବନ୍ଦୋବସ୍ତ କରିିଥିଲେ । ବ୍ଲକର ୨ଗୋଟି ଜିଲ୍ଲାପରିଷଦ ଜୋନ୍ ଏବଂ ୨୧ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡମେମ୍ବର ପାଇଁ ନିର୍ବାଚନ ହୋଇଯାଇଛି । ୫୨ହଜାର ୬୩୬ ଭୋଟର ମୋଟ ୨୪୯ଗୋଟି ବୁଥରେ ମତଦାନ ବ୍ୟବସ୍ଥା ହୋଇଥିଲା । ଏହି ଭୋଟରଙ୍କ ମଧ୍ୟରେ ପୁରଷ ଭୋଟରଙ୍କ ସଂଖ୍ୟା ୨୫ ହଜାର ୪୩୪ ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୨୭ହଜାର ୨୦୨ ରହିଛି । ଏହି ସଂଖ୍ୟାକୁ ଦେଖିଲେ ମୋଟ ଭୋଟରଙ୍କ ମଧ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକା ରହିଛି । । ୨ଗୋଟି ଜିଲ୍ଲାପରିଷଦ ଆସନ ପାଇଁ ମୋଟ ୬ ପ୍ରାର୍ଥୀିନୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ସେହିପରି ବ୍ଲକରେ ୨୧ଗୋଟି ସରପଞ୍ଚ ପଦବୀ ପାଇଁ ୯୪ଜଣ ପ୍ରାର୍ଥୀ/ପ୍ରାର୍ଥିନୀ, ୨୧ଗୋଟି ସମିତି ପାଇଁ ୬୨ଜଣ ଓ ୨୪୯ଟି ୱାର୍ଡ ମେମ୍ବର ପାଇଁ ୪୫ ଗୋଟି ୱାର୍ଡରେ ପ୍ରତିଦ୍ୱନ୍ଦିତା ହୋଇଥିଲା । ଅବଶିଷ୍ଟ ୨୦୪ଗୋଟି ୱାର୍ଡ ରେ ପ୍ରାୟତଃ ଅପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ରହିଥିବା ବେଳେ କେତେକ ୱାର୍ଡ ନିମନ୍ତେ ନାମାଙ୍କନ ଭରିନଥିବାର ମଧ୍ୟ ଜଣାପଡିଛି । ନିର୍ବାଚନ ସରିବାପରେ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ନିର୍ବାଚନ ସମ୍ବନ୍ଧୀୟ ସାମଗ୍ରୀ ବିତରଣ ଓ ଗ୍ରହଣ କେନ୍ଦ୍ର ଏବଂ ଷ୍ଟ୍ରଙ୍ଗରୁମ୍, ପଞ୍ଜୀକରଣ କେନ୍ଦ୍ର ଆଦି ଠାରେ ସୁରକ୍ଷା ବଳୟରେ ରଖାଯାଇଛି । ଖବର ଲେଖିବା ସୁଦ୍ଧା ୭୦ପ୍ରତିଶତ ମତଦାନ ହୋଇଥିବାର ସୂଚନା ମିଳିଛି ।


