ଧାନ କ୍ରୟକୁ ନେଇ ଅସନ୍ତୋଷ ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚୌଧୁରୀ . ଟିକରପଡା ମାଁ ବଜରଙ୍ଗୀ ଆତ୍ମ ସହାୟକ ସଂଘ ମଣ୍ଡି ମାଧ୍ୟମରେ ଧାନ କ୍ରୟ ନ କରାଯିବା ନେଇ ବୁଧବାର ଦିନ ଭ୍ରମରପୁର ଗ୍ରାମର ଶତାଧିକ ଅସନ୍ତୋଷ ଚାଷୀ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏପରିକି ବିକ୍ଷୋଭକାରୀ ମାନେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବରଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି । ଚଳିତ ବର୍ଷ ଦୁଇ ଦୁଇଟି ଲଘୁଚାପ ଜନିତ ବର୍ଷା ପ୍ରଭାବରେ ଦିଗପହଣ୍ଡି ବ୍ଲକ ଅଧିନସ୍ଥ ବିଭିନ୍ନ ପଞ୍ଚାୟତରେ ବାସ କରୁଥିବା ବହୁ ଚାଷୀଙ୍କ ଜମିରେ ପାଣି ଜମି ଧାନଫସଲ ନଷ୍ଟ ହୋଇଯାଇଥିଲା । ତେବେ ଚାଷୀଙ୍କ ଅକ୍ଳାନ୍ତ ପରିଶ୍ରମ କରି ବଳକା ଧାନଶସ୍ୟ ଅମଳ କରି ସ୍ଥଗିତ ରଖିଥିଲେ ମଧ୍ୟ ଆଜି ଯାଏଁ ତାହା ମଣ୍ଡିରେ କ୍ରୟ ହୋଇ ପାରୁନଥିବା ଜଣାପଡିଛି । ଏଭଳି ସ୍ଥିତିରେ ପ୍ରଶାସନ ନିକଟସ୍ଥ ମଣ୍ଡି ମାଧ୍ୟମରେ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯିବା ନେଇ ଜାନୁଆରୀ ମାସରୁ ବ୍ୟବସ୍ଥା କରିଥିଲେ ମଧ୍ୟ ଆଜି ଯାଏଁ ଚୌଧୁରୀ I ଟିକରପଡାରେ ଥିବା ସେବା ସମବାୟ ସମିତି ଚାଷୀଙ୍କ ଠାରୁ ଧାନ କ୍ରୟ କରିବାକୁ ସକ୍ଷମ ହୋଇପାରୁନାହିଁ ଏବଂ ଚାଷୀଙ୍କୁ ସୁଚାଉଥିବା ମେସେଜ ମାଧ୍ୟମରେ ଟୋକେନ ଦିଆଯାଉନଥିବା ଅଭିଯୋଗ ହୋଇଛି । ଏହି ଅବସରରେ କିଛି ଚାଷୀଙ୍କ ଠାରେ ଟୋକେନ ରହିଥିଲେ ମଧ୍ୟ ସେମାନଙ୍କ ଧାନ ତୁରନ୍ତ କ୍ରୟ କରାଯାଉ । ଯଦି କୌଣସି କାରଣରୁ ଟୋକେନର ସମୟ ସିମା ଚାଲିଯାଇଥାଏ ତେବେ ଧାନ କ୍ରୟର ଧାର୍ଯ୍ୟ ବୃଦ୍ଧି କରାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ କରିବା ସହ ବିଡ଼ିଓଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଯଦି ଆଗାମୀ ଦିନରେ ଏହାର କୈାଣସି ଉଚିତ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଭ୍ରମରପୁର ଗ୍ରାମର ଚାଷୀବୃନ୍ଦ ରାଜରାସ୍ତାରେ ଧାନ ବସ୍ତା ରଖି ଆନ୍ଦୋଳନ କରିବା ପାଇଁ ଦୃଢ଼ ଚେତାବନୀ ଦେଇଥିବା ଜଣାପଡିଛି । ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ଚାଷୀ ଦିଲିପ କୁମାର ହୋତା, ଦିଲିପ କୁମାର ପ୍ରଧାନ, ରାଘବ ସାହୁ, ଅଶ୍ବିନୀ ଭଟ୍ଟ , ପ୍ରମଦା ଭଟ୍ଟ , ରଞ୍ଜିତ କୁମାର ଭଟ୍ଟ , ଭଗବାନ ପ୍ରଧାନ , କମଳଲୋଚନ ସାହୁ , ହେମନ୍ତ କୁମାର ପ୍ରଧାନ ସମେତ ବହୁ ଚାଷୀ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ