ଆନ୍ଧ୍ର ପ୍ରରୋଚନାରେ ପରାଜିତ ପ୍ରାର୍ଥୀ ସୃଷ୍ଟି କରୁଛନ୍ତି ବିବାଦ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : -ଆନ୍ଧ୍ର ସୀମା ବିବାଦ ଏବେ ଗଙ୍ଗାବାଡ ପଞ୍ଚାୟତ ନିର୍ବାଚନରେ ଅର୍ନ୍ତଦ୍ୱନ୍ଦ ସୃଷ୍ଟି କରିଛି, ସୀମାନ୍ତରେ ପଞ୍ଚାୟତ ନିର୍ବାଚନକୁ ଭଣ୍ଡୁର କରିବା ପ୍ରୟାସ ବିଫଳ ହେବା ପରେ ଆନ୍ଧ୍ର ପ୍ରରୋଚନାରେ ବିବାଦ ମୁଣ୍ଡ ଟେକିଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ ସୀମାନ୍ତ ଗଙ୍ଗାବାଡ ପଞ୍ଚାୟତରେ। ପରାଜିତ ପ୍ରାର୍ଥୀ ଉନୟନ ମୁଳକ କାର୍ଯ୍ୟରେ ବାଧା ସୃଷ୍ଟି କରିବା ପାଇଁ ରାସ୍ତା ଘାଟ ଖୋଳି ବିବାଦ ସୃଷ୍ଟି କରିଛି । ରାୟଗଡ ବ୍ଳକର ଆନ୍ଧ୍ର ସୀମାନ୍ତ ପଞ୍ଚାୟତ ଗଙ୍ଗାବାଡ , ଏଠାରେ ଗତ ନିର୍ବାଚନରେ ବାରିକ ଶବର ଏବଂ ହରିବନ୍ଧୁ କାର୍ଯୀ ଉଭୟ ସରପଞ୍ଚ ପ୍ରାର୍ଥୀ ହୋଇଥିଲେ । ବାରିକ ଶବର ନିର୍ବାଚନରେ ହାରିବା ପରେ ଆନ୍ଧ୍ରର କିଛି ନେତାଙ୍କ ପ୍ରରୋଚନାରେ ପଞ୍ଚାୟତର ଉନୟନ କାର୍ଯ୍ୟକୁ କରାଇ ନଦେବାକୁ ହୀନ ଚକ୍ରାନ୍ତ ଆରମ୍ଭ କରିଛି, ସୀମାକୁ ଲାଗି ରହିଥିବା ପାଞ୍ଚଟି ଗାଁର ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ପଥର ପକାଇ ଅବରୋଧ କରିଛନ୍ତିତ ଆଉ କେଉଁଠି ରାସ୍ତା ଖୋଳି ଦିଆଯାଇଛି । ତେବେ ଏହାକୁ ନେଇ ସରପଞ୍ଚ ହରିବନ୍ଧୁ କାର୍ଯୀ ଗାରାବନ୍ଧ ଥାନାରେ ବାରିକ ଶବରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ସେମାନଙ୍କ କହିବା ହେଲା ଆନ୍ଧ୍ର ନିର୍ବାଚନ ରେ ହସ୍ତକ୍ଷେପ କରି ନପାରି ପରାଜିତ ପ୍ରାର୍ଥୀକୁ ଅସ୍ତ୍ର କରି ବିଶୃଙ୍ଖଳା ସୃଷ୍ଟି କରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ବିଜୟୀ ସରପଞ୍ଚ ହରିବନ୍ଧୁ କାର୍ଯ୍ୟୀ କହିଛନ୍ତି ଯେ, ପଞ୍ଚାୟତ ବାସୀଙ୍କ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲା ଗାରାବନ୍ଧ ପୋଲିସ ସେହି ସମୟରେ ପରାଜିତ ପ୍ରାର୍ଥୀଙ୍କ ସମର୍ଥକମାନେ ପୋଲିସକୁ ଗାଳି ଗୁଲଜ କରିଥିଲେ । ଘଟଣାର ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଥାନା ଅଧିକାରୀ ସର୍ବଶ୍ୱର ସାମନ୍ତରାୟ । ଆନ୍ଧ୍ର ହାତରେ ନ ପାରି ଭାତରେ ମାରିବା ପ୍ରୟାସ ଆରମ୍ଭ କରିଛି ଆନ୍ଧ୍ର । ଯାହା ପ୍ରଶାସନ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି । ତେବେ ଆଗକୁ ଏହା କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା ।


