ଜଙ୍ଗଲ ଧାରାବାହିକ ର ଏକାଦଶ ଅଧ୍ୟାୟ ଲୋକାର୍ପିତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ସ୍ଥିତଧୀ ରଥ ଫିଲ୍ମ ବେନର ରେ ନିର୍ମିତ ଧାରାବାହିକ ଅରଣ୍ୟର ଏକାଦଶ ଅଧ୍ୟାୟ ଲୋକାର୍ପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ “ଜଙ୍ଗଲ” ଧାରାବାହିକର ଏକାଦଶ ଅଧ୍ୟାୟକୁ ଲୋକାର୍ପଣ କରିଥିଲେ । ମୁଖ୍ୟବକ୍ତା ଭାବରେ ଡକ୍ଟର ବ୍ରଜକିଶୋର ପାଢ଼ୀ ଯୋଗଦେଇଥିଲେ । କାର୍ଯ୍ୟକ୍ରମ କୁ ଅଧ୍ୟାପକ ବିଭୁତି ଭୂଷଣ ମିଶ୍ର ସଂଯୋଜନା କରିଥିଲେ । ଏହି ଧାରାବାହିକରେ ପାହାଡ଼ ସିଂ ଭୂମିକା ରେ ଦିଲୀପ କୁମାର ଓ ତୁମ୍ବା ଭୂମିକାରେ ରବି ରହିଥିବା ବେଳେ ଅନ୍ୟାନ୍ୟ ଭୂମିକାରେ ଗୀତା ସାହୁ, ଆଦିତ୍ୟ ପ୍ରସାଦ, ମନୋରଞ୍ଜନ ଦାଶ, ଜିତେନ୍ଦ୍ର କୁମାର ସାହୁ, ରଞ୍ଜିତ ପରିଡା, ନୃସିଂହ ଦାଶ, ଦୁର୍ଲ୍ଲଭ ବିଷୋୟୀ, ଦିଲୀପ ଖାଡଙ୍ଗା, ସମୀର ପାତ୍ର, ନିଳାଞ୍ଚଳ ସାହୁ, ପୁରୁଷୋତ୍ତମ ମହାରଣା, ଲକ୍ଷ୍ମଣ ବିଷୋୟୀ, ସନ୍ତୋଷ, ଭାସ୍କର ଓ ଶିଶୁ କଳାକାର ଅନିକେତ, ସୁଚେତା, ସିଦ୍ଧାର୍ଥ, ପ୍ରିୟଂସୁ, ସହିଲ ଓ ଆଦି ନିଜ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତ କଳାକାର , ସାମ୍ବାଦିକ ଓ ବୁଦ୍ଧିଜୀବୀ ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ଧାରାବାହିକରେ ବୁଗୁଡା ଅଞ୍ଚଳର କିମ୍ବଦନ୍ତୀ କୁ ନେଇ ପ୍ରସ୍ତୁତ କରାଯାଉଅଛି ଓ ଏହାର ପ୍ରତ୍ୟକ ଭାଗରେ ପ୍ରକୃତିକୁ ନଷ୍ଟ ନ କରିବା ପାଇଁ ଜନସଚେତନା ମୂଳକ ସୂଚନା ପ୍ରଦାନ କରାଯାଇଅଛି । ଏହା ମାଧ୍ୟମରେ ବୁଗୁଡା ଅଞ୍ଚଳର ବହୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଲୋକଲୋଚନକୁ ଆସି ପାରିବା ସହ ବହୁ ଲୁକାୟିତ ପ୍ରତିଭାବାନ କଳାକାର ନିଜର ଅଭିନୟ ଦକ୍ଷତା ପ୍ରଦର୍ଶନ କରିପାରିବେ ବୋଲି ନିର୍ଦ୍ଦେଶକ ତଥା ଆନ୍ତର୍ଜାତୀୟ ଚିତ୍ରଶିଳ୍ପୀ ସ୍ଥିତଧୀ ରଥ ପ୍ରକାଶ କରିଛନ୍ତି । ସବୁବେଳେ କିଛି ଭିନ୍ନ ପ୍ରୟାସ ଦ୍ୱାରା ଚମତ୍କାର କରି ନିଜ ଅଞ୍ଚଳକୁ ବିଶ୍ୱପ୍ରସିଦ୍ଧ କରିବାରେ ରୁଚି ରଖୁଥିବା ଚିତ୍ରଶିଳ୍ପୀ ସ୍ଥିତଧୀ ଏହି ଧାରାବାହିକର ଚିତ୍ରଗ୍ରହଣକୁ ନିଜ ମୋବାଇଲ ଦ୍ୱାରା ସଠିକ ରୂପେ ପ୍ରତିପାଦନ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । କରୋନା ସମୟରେ ଶ୍ରୀ ରଥଙ୍କ ଦ୍ଵାରା ନିର୍ମିତ କରୋନା ସଚେତନ ବାର୍ତ୍ତା ବହନ କରୁଥିବା କ୍ଷୁଦ୍ର ଚଳଚ୍ଚିତ୍ର “ମର୍ତ୍ତ୍ୟପୁରରେ ଯମରାଜ ” ଓ “କରୋନା ତୁ ଫେରିଯା” ଆନ୍ତର୍ଜାତୀୟ ପୁରସ୍କାର ଲାଭ କରି ଗଞ୍ଜାମ ଜିଲ୍ଳାରେ କ୍ଷୁଦ୍ର ଚଳଚ୍ଚିତ୍ର ଜଗତରେ ବିପ୍ଳବ ସୃଷ୍ଟି କରିଥିଲା । ଚଳିତ ବର୍ଷ ସ୍ଥିତଧୀ ଙ୍କ ଦ୍ଵାରା ନିର୍ମିତ କରୋନା ସଚେତନ କ୍ଷୁଦ୍ର ଚଳଚ୍ଚିତ୍ର “କରୋନା ପୁଣି ଫେରୁଛି ” ଦର୍ଶକ ଙ୍କ ଦ୍ଵାରା ବହୁ ପ୍ରଶଂସିତ ହୋଇଥିଲା । ନିଜର ଚିତ୍ରକଳା ମାଧ୍ୟମରେ ଗଞ୍ଜାମର ସଂସ୍କୃତି, ପରମ୍ପରା, ଲୋକକଳା ଓ ଲୋକନୃତ୍ୟ ସମେତ ଅଞ୍ଚଳରେ ଥିବା ପ୍ରାକୃତିକ ଓ ଐତିହାସିକ ସ୍ଥାନ ଗୁଡିକୁ ବିଶ୍ଵଦରବାରରେ ପରିଚିତ କରାଇବା ଶ୍ରୀ ରଥଙ୍କ ମୁଖ୍ୟ ଉଦ୍ଦେଶ୍ୟ। ଏହି କ୍ଷୁଦ୍ର ପ୍ରୟାସ ପାଇଁ ଦିନେ ବୁଗୁଡାର ମାନଚିତ୍ର ବିଶ୍ଵଦରବାରରେ ସ୍ବତନ୍ତ୍ର ସ୍ଥାନ ପାଇବ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ବୃନ୍ଦ ମତ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ