ଟିପିଏନଓଡିଏଲ ପକ୍ଷରୁ ଜାତୀୟ ନିରାପତ୍ତା ସପ୍ତାହ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱରର ବିଦ୍ୟୁତ ଯୋଗାଣ ସଂସ୍ଥା ‘ଟାଟା ପାୱାର ନର୍ଦ୍ଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ’ (ଟିପିଏନଓଡିଏଲ) ପକ୍ଷରୁ ୫୧ତମ ଜାତୀୟ ନିରାପତ୍ତା ସପ୍ତାହ ଶୁକ୍ରବାର ଦିବସବ୍ୟାପୀ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଦ୍ୟୁତ ବିଭାଗର କର୍ମଚାରୀ ଓ ଅଧିକାରୀଙ୍କୁ ନେଇ ଏକ ସଚେତନତା ଶୋଭ।।ଯାତ୍ରା ସହର ପରିକ୍ରମା କରିଥିଲା । ପରେ ହୋଟେଲ ହରିପ୍ଲାଜାଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ଟିପିଏନଓଡିଏଲର ମୁଖ୍ୟ ନିର୍ବାହୀ ଅଧିକାରୀ ଭାସ୍କର ସରକାର ବିଭାଗୀୟ ପତାକା ଉତ୍ତୋଳନ ପୂର୍ବକ ଉଦଘାଟନ କରଇଥିଲେ । ନିରାପତ୍ତା ଦିବସ ପାଳନର ଆଭିମୁଖ୍ୟ ଓ ଯଥାର୍ଥତା ସମ୍ପର୍କରେ ଆଲୋକପାତ ସହ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ଅଧିକାରୀଙ୍କ ଜୀବନ ରକ୍ଷା ପାଇଁ ଟାଟା ପାୱାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସେ ସୂଚନା ଦେଇଥିଲେ । ଏହି ପଦକ୍ଷେପ ଦ୍ୱାରା କର୍ମଚାରୀ ଓ ଅଧିକାରୀଙ୍କ ସମେତ ସେମାନଙ୍କ ପରିବାର ବି ଆଜି ସୁରକ୍ଷିତ ରହିପାରିଛନ୍ତି ବୋଲି ଶ୍ରୀ ସରକାର ମତ ପ୍ରକାଶ କରିଥିଲେ । ଟାଟା ପାୱାରର ବିଦ୍ୟୁତ ବିତରଣ କ୍ଷେତ୍ରରେ ଲାଇନ ମ୍ୟାନମାନେ ପ୍ରମୁଖ ଅଙ୍ଗ ହୋଇଥିବା ବେଳେ ସେମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ସମସ୍ତ ପ୍ରକାର ନିରାପତ୍ତା ବ୍ୟବସ୍ଥା କରାଯାଇଥିବା ସେ କହିଥିଲେ । ମାର୍ଚ୍ଚ ୪ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା ୫୧ତମ ଜାତୀୟ ନିରାପତ୍ତା ସପ୍ତାହର ପ୍ରଥମ ଦିନକୁ ଲାଇନ ମ୍ୟାନ ଦିବସ ରୂପେ ଟାଟା ପାୱାର ପାଳନ କରୁଛି ବୋଲି ଶ୍ରୀ ସରକାର ସୂଚନା ଦେଇଥିଲେ । ଟାଟା ପାୱାରରେ କାର୍ଯ୍ୟରତ ଯୁବଗୋଷ୍ଠୀଙ୍କୁ ସୁରକ୍ଷା ନିୟମକୁ ଏକ ସଂସ୍କୃତି ବା ପରମ୍ପରାରେ ପରିଣତ ସହ ଅନ୍ୟ ସାଥୀମାନଙ୍କୁ ଉତ୍ସାହିତ ପାଇଁ ଆହ୍ୱାନ ଦେଇଥିଲେ । ଟାଟା ପାୱାର ଅପରେସନ ମୁଖ୍ୟ ଦୁଷ୍ୟନ୍ତ କୁମାର ତ୍ୟାଗୀ, ମାନବ ସମ୍ବଳ ବିଭାଗ ମୁଖ୍ୟ ଶ୍ରୀବଲ୍ଲଭ ସିଂହ, ଅର୍ଥ ବିଭାଗ ମୁଖ୍ୟ ଶୀଲାଦିତ୍ୟ ସେନଗୁପ୍ତ, କାର୍ଯ୍ୟପ୍ରଣାଳୀ ବିଭାଗ ମୁଖ୍ୟ ସନ୍ଦୀପ ପାଲ, ବାଲେଶ୍ୱରର ଅଧୀକ୍ଷଣ ଯନ୍ତ୍ରୀ ସନ୍ଦୀପ ମିଶ୍ର, ନିର୍ବାହୀ ଯନ୍ତ୍ରୀ ଅମରେଶ୍ୱର ଶତପଥି, କେନ୍ଦ୍ରୀୟ ଇଲେକ୍ଟ୍ରିକାଲ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଦେବାଶିଷ ପୁହାଣ, ଟିପିଏନଓଡିଏଲ ଲୋକ ସମ୍ପର୍କ ଅଧିକାରୀ ଚିତ୍ତରଞ୍ଜନ ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସଂସ୍ଥା ପକ୍ଷରୁ କର୍ମଚାରୀଙ୍କ ମୌଳିକ ଆବଶ୍ୟକତା ଓ ନିରାପତ୍ତା ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ଲାଇନମ୍ୟାନମାନେ କାର୍ଯ୍ୟ କ୍ଷେତ୍ରରେ ନିଜ ଜୀବନ ରକ୍ଷା ପ୍ରତି ସର୍ବଦା ସଚେତନ ରହିବା ସହ ଟାଟା ପାୱାର ପକ୍ଷରୁ ପ୍ରଦାନ କରାଯାଉଥିବା ନିରାପତ୍ତା ଉପକରଣର ସଠିକ ବ୍ୟବହାର ପାଇଁ ସେମାନେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଟାଟା ପାୱାର ଅଧନରେ କାର୍ଯ୍ୟରତ ବିଭିନ୍ନ ଡିଭିିଜନର ବହୁ ଲାଇନମ୍ୟାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସୁରକ୍ଷା ନିୟମ ପାଳନ ପାଇଁ ଶପଥ ପାଠ କରିଥିଲେ ।


