ଚଳିତ ପୌର ନିର୍ବାଚନ ନାମାଙ୍କନର ତୃତୀୟ ଦିନ

ବାଲେଶ୍ୱର, (ସରୋଜ ପଣ୍ଡା) :ଚଳିତ ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶୁକ୍ରବାର ତୃତୀୟ ଦିନରେ ପହଞ୍ଚିଛି । ୩ ଦିନରେ ବାଲେଶ୍ୱର ପୌରପାଳିକା ଅଧ୍ୟକ୍ଷ ପଦ ପାଇଁ ଜଣେ ହେଲେ ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନ ଥିବା ବେଳେ କାଉନସିଲର ପଦରେ ଅଦ୍ୟାବଧି ୭ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏହି ତିନିଦିନରେ ମୋଟ ୧୧୯ ସେଟ ନାମାଙ୍କନ ଫର୍ମ ପ୍ରାର୍ଥୀମାନେ ନେଇଥିବା ବେଳେ ତୃତୀୟ ଦିନରେ ୫ଜଣ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ କରିଥିବା ବ୍ୟକ୍ତିମାନେ ହେଲେ ୧୬ ନଂ ୱାର୍ଡ଼ କାଉନସିଲର ପଦ ପାଇଁ ସୁଷମା ବେହେରା, ୧୫ ନଂ ୱାର୍ଡ଼ ପାଇଁ ପଙ୍କଜିନୀ ଶତପଥୀ, ୨୨ ନଂ ୱାର୍ଡ଼ ପାଇଁ ଅଞ୍ଜନା ଦାସ, ୧୪ ନଂ ୱାର୍ଡ଼ ପାଇଁ ବିକାଶ ବନସଲ ବେହେରା, ୧୧ନଂ ୱାର୍ଡ଼ ପାଇଁ ସଞ୍ଜୀବ ବେହେରା । ଦାଖଲ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଅନେକଙ୍କୁ ବିଭିନ୍ନ ଦଳରୁ ଟିକଟ ମିଳିବାର ଆଶା ଥିଲେ ବି ନିଜର ରାଶି ଓ ଶୁଭ ନିର୍ଘଣ୍ଟକୁ ଦୃଷ୍ଟିରେ ରଖି ସେମାନେ ଏବେ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିବା କେତେକ କହିଛନ୍ତି । ସବୁଠାରୁ ବଡ଼କଥା ହେଲା ଦଳୀୟ ପତାକା ଧରି ପ୍ରାର୍ଥୀମାନେ ଦର କର୍ମୀ ଓ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ସ୍ୱାଧୀନ ଭାବେ ନାମାଙ୍କନ ପତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା । ଟକଟ ମିଳିବା ପରେ ସେମାନେ ତାହାକୁ ନିର୍ବାଚନ ଅଧିକାରୀଙ୍କଠାରେ ପଇଠ ସହ ଦଳୀୟ ଚିହ୍ନରେ ପ୍ରତିଦ୍ୱନ୍ଦିତା କରିପାରିବେ ବୋଲି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ନାମାଙ୍କନ ପ୍ରକ୍ରିୟାକୁ ୩ଦିନ ବିତିବାକୁ ବସିଥିବା ବେଳେ ପ୍ରମୁଖ ରାଜନୈତିକ ଦଳମାନଙ୍କ ପକ୍ଷରୁ ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ହୋଇ ପାରିନଥିବା କର୍ମୀମହଲରେ ଆଲୋଚନା ହେଉଛି । ବିଶେଷ କରି ନୂତନ ପୌର ପଦ ସଂରକ୍ଷଣ ନିୟମ ଅନୁସାରେ ବିଭିନ୍ନ ଦଳର ସାଂଗଠନିକ ଭାର ତୁଲାଇ ଆସୁଥିବା କିଛି କର୍ମୀ ପ୍ରାର୍ଥିତ୍ୱରୁ ବାଦ ପଡ଼ିବା, ଅସନ୍ତୁଷ୍ଟଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରମୁଖ ଦଳର ନେତା ତଥା କର୍ମକର୍ତ୍ତାମାନେ ପ୍ରାର୍ଥୀ ଚୟନକୁ ବେଶ ଗୁରୁତ୍ୱର ସହ ପରିଚାଳନା କରୁଛନ୍ତି । ୭ ତାରିଖ ନାମାଙ୍କନ ଦାଖଲର ଶେଷଦିନ ଥିବା ବେଳେ ତା ପୂର୍ବରୁ ବାଲେଶ୍ୱର ପୌରପାଳିକାର ୩୧ ଗୋଟି ୱାର୍ଡ଼ର କାଉନସିଲର ସମେତ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ହେବା ନେଇ ଦଳୀୟ କର୍ମୀମାନେ ଆଶା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ