ଗଞ୍ଜାମ ହକି ଆସୋସିଏସନ ପକ୍ଷରୁ ଶୁଭେଚ୍ଛା ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଆସନ୍ତା ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳରେ ଅନୁଷ୍ଠିତ ହେବାକୁ ଥିବା ଓଡିଶା ନାଭାଲ ଟାଟା ହକି ଏଚପିସି ଟୁର୍ଣ୍ଣାମେଣ୍ଟରେ ଛତ୍ରପୁର ଅଂଚଳର ଗ୍ରାସରୁଟ ସେଣ୍ଟରର ଜୁନିୟର ବର୍ଗର ବାଳକ ଓ ବାଳିକା ସମେତ ଦୁଇଟି ଭାଗ ନେବା ପାଇଁ ଢେଙ୍କାନାଳ ଯିବେ । ଏନେଇ ଶୁକ୍ରବାର ଛତ୍ରପୁର ଷ୍ଟାଡିୟମ ପରିସରରେ ସମସ୍ତ ପ୍ରତିଯୋଗିତା ମାନଙ୍କୁ ଗଞ୍ଜାମ ହକି ଆସୋସିଏନ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି । ପୂର୍ବରୁ ଛତ୍ରପୁର ଅଂଚଳର ବାଳକ ଦଳ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ଚଳିତ ଥର ପ୍ରଥମ କରି ବାଳିକା ଦଳ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ଏହି ଦୁଇଟି ଦଳରେ ୩୨ ଜଣ ବାଳକ ଓ ବାଳିକା ଭାଗ ନେଇଛନ୍ତି । ଏମାନଙ୍କ ସହିତ କୋଚ୍ ଭାବେ ସନ୍ତୋଷ କୁମାର ଗୌଡ, ମନୋଜ କୁମାର ସ୍ୱାଇଁ ଓ ଏମ. ସୁନୀଲ ରାଓ ରହିଛନ୍ତି । ସୂଚନା ଥାଉ କି, ଢେଙ୍କାନାଳରେ ଆୟୋଜିତ ଏହି ଲିଗ୍ ମ୍ୟାଚ୍ ରେ ଏମାନେ ବିଜୟୀ ହେବା ପରେ ଆସନ୍ତା ଦିନରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ରେ ଆୟୋଜିତ ହେବାକୁ ଥିବା କ୍ୱାର୍ଟର ଫାଇନାଲ, ସେମି ଫାଇନାଲ ଓ ଫାଇନାଲ ମ୍ୟାଚ୍ ରେ ଅଂଶ ଗ୍ରହଣ କରିବେ । ଏଥି ନିମନ୍ତେ ଗଞ୍ଜାମ ହକି ଆସୋସିଏସନ୍ ର ଉପସଭାପତି ଟି. ଚନ୍ଦ୍ରଶେଖର ରାଓ, ସମ୍ପାଦକ ଶତୃଘନ ନାହାକ, କୋଷାଧ୍ୟକ୍ଷ ବାଦଲ ପାଣ୍ଡି, କାର୍ଯ୍ୟକାରୀ ସଦସ୍ୟ ଦୁର୍ଗାମାଧବ ସାହୁ ଓ ଏ. ମୋହନ ରାଓ ପ୍ରମୁଖ ଉପସ୍ଥିତ ରହି ଏହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ଶୁଭେଚ୍ଛା ପ୍ରଦାନ କରିଥିଲେ ।


