ନୂତନ ଗୋଶାଳା ଓ ପ୍ରାଣୀ ଆମ୍ବୁଲାନ୍ସ ସେବା ପାଇଁ ପ୍ରସ୍ତୁତି ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) :ପ୍ରାଣୀ ସେବା ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ନିଷ୍ପତି ନିମନ୍ତେ ଏକ ଜିଲାସ୍ତରୀୟ ବୈଠକ ସ୍ଥାନୀୟ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲାରେ ନୂତନ ଗୋଶାଳା ପ୍ରତିଷ୍ଠା, ଗୋଶାଳାର ବିକାଶ, ପ୍ରାଣୀ ସେବା ନିମନ୍ତେ ଆମ୍ବୁଲାନ୍ସ ବ୍ୟବହାର, ବୁଲା କୁକୁରମାନଙ୍କ ବନ୍ଧ୍ୟାକରଣ ଓ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବିଶେଷ କରି ଗୋଶାଳା ପ୍ରତିଷ୍ଠା ଓ ବିକାଶ ପାଇଁ ଆବେଦନ କରିଥିବା ବେସରକାରୀ ଅନୁଷ୍ଠାନ(ଏନଜିଓ)ମାନଙ୍କର ଆବେଦନ ଉପରେ ବିଚାର କରାଯାଇ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡକୁ ନାମ ସୁପାରିଶ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଜିଲାରେ ପ୍ରାଣୀ ଆମ୍ବୁଲାନ୍ସ ସେବା ଏବଂ ବାଲେଶ୍ୱର ପୌରପାଳିକା ଅଞ୍ଚଳରେ ବୁଲା କୁକୁରମାନଙ୍କ ବନ୍ଧ୍ୟାକରଣ ଓ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ ଢଙ୍ଗରେ ତୁରନ୍ତ ଆରମ୍ଭ କରିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଏଥିପାଇଁ ଆବଶ୍ୟକ ଭିତିଭୂମି ପ୍ରସ୍ତୁତ ସହ କର୍ମଚାରୀଙ୍କୁ ନିୟୋଜିତ କରି ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବାକୁ ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ପିଡି ଡିଆରଡିଏ ରବୀନ୍ଦ୍ର କୁମାର ସାହୁ, ବାଲେଶ୍ୱର ଉପ-ଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଜିଲା ମୁଖ୍ୟ କୃଷି ଅଧିକାରୀ ନିକୁଞ୍ଜ କିଶୋର ରାଉତ, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବନମାଳୀ ସାହୁ ପ୍ରମୁଖ ମଂଚାସୀନ ଥିବା ବେଳେ ଅନ୍ୟାନ୍ୟ ଅଧିକାରୀ, ଜୀବମଙ୍ଗଳ କର୍ମକର୍ତ୍ତା, ରେମୁଣା ଓ ସୋର ଗୋଶାଳାର ସମ୍ପାଦକ ଉପସ୍ଥିତ ଥିଲେ । ଡା. ଅଜିତ କୁମାର ସାମଲ, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ (ଜୀବ ମଙ୍ଗଳ) କାର୍ଯ୍ୟକ୍ରମର ସଂଚାଳନ କରିଥିବା ବେଳେ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ (ପ୍ରାଣୀଧନ ଉତ୍ପାଦନ) ଡା. ରଞ୍ଜନ କୁମାର ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


