ଦଲକି ୟୁଜିୟୁପି ସ୍କୁଲରେ ଶିକ୍ଷକ ଅଭାବକୁ ନେଇ ଶିକ୍ଷାଦାନ ବାଧାପ୍ରାପ୍ତ

ହାଟଡିହି, (ବିକାଶ ବିଶ୍ୱାଳ ) :ଦୀର୍ଘ ଦିନର ବ୍ୟବଧରାନ ପରେ ଖୋଲିଲା ସ୍କୁଲ । ପିଲାମାନେ ବହି ବସ୍ତାନିଧରି ଗଲେ ପାଠ ପଢ଼ିବାକୁ । ହେଲେ ପାଠ ପଢ଼ାର ନାଁ ଗନ୍ଧ ନାହିଁ ବସିବସି ଘରକୁ ଫେରିବା ସାର ହେଉଛି । ଏପରି ଅବସ୍ଥା ଦେଖିବାକୁ ମିଳିଛି ବଣପାହାଡ ଘେରା ଆଦିବାସୀ ଅଧ୍ୟୁଷିତ ଦଲକି ୟୁଜିୟୁପି ସ୍କୁଲରେ । ଏହି ସ୍କୁଲରେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ୨୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସରକାରୀ ନିୟମାନୁଯାଇ ବିଦ୍ୟାଳୟରେ ୮ଜଣ ଶିକ୍ଷକଙ୍କ ଆବଶ୍ୟକତା ଥିବାବେଳେ ଏବେ ମାତ୍ର ତିନିଜଣ ଶିକ୍ଷକ ନିଯୁକ୍ତ ଅଛନ୍ତି । ପୁର୍ବରୁ ନିଯୁକ୍ତ ଥିବା ପ୍ରଧାନ ଶିକ୍ଷକ ପିତାବସ ପ୍ରଧାନଙ୍କୁ ବେନିୟମ ଭାବେ ନିଲମ୍ବିତ କରାଯାଇ ବଦଳି କରାଯିବା ପରେ ଆଉ ପ୍ରଧାନ ଶିକ୍ଷକ ନିଯୁକ୍ତ କରାଗଲା ନାହିଁ । ପରବର୍ତ୍ତି ସମୟରେ ଜଣେ ସହକାରୀ ଶିକ୍ଷୟତ୍ରୀଙ୍କୁ ବଦଳି କରି ଅଣାଗଲା ଓ ଅନ୍ୟ ଜଣେ ଶିକ୍ଷୟତ୍ରୀଙ୍କୁ ଡେପୁଟେସନରେ ଆଣି ତାଙ୍କ ବଦଳରେ ମଧ୍ୟ କାହାକୁ ନିଯୁକ୍ତି ଦିଆଗଲା ନାହିଁ । ଫଳରେ ଏବେ ମାତ୍ର ତିନିଜଣ ଶିକ୍ଷକ ଏଠାରେ ଶିକ୍ଷାଦାନ କରୁଥିବାବେଳେ ତନ୍ମଧ୍ୟରୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଣକ ଅନେକ ସମୟରେ ଅଫିସ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ମାତ୍ର ଦୁଇଜଣ ଶିକ୍ଷକଙ୍କ ଦ୍ୱାରା ଶିକ୍ଷାଦାନ ହେଉଛି । ଫଳରେ ସବୁ ଶ୍ରେଣୀର ପିଲାମାନେ ନିୟମିତ ଶିକ୍ଷାଲାଭରୁ ବଞ୍ଚିତ ହେଉଥିବା ନେଇ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ଶିକ୍ଷକ ନିଯୁକ୍ତି କରିବାକୁ ସୁରେଶ ନାୟକ, ଚକ୍ରଧର ହୋ, ଜୟରାମ ମହାକୁଡ, ବାଗୁନ ହୋ, ଲଦର ହୋ, ଅବଳା ନାଏକ, ସୁରୁ ହୋ, ଚାନ୍ଦୁ ହୋ ପ୍ରମୁଖ ଅଭିଭାବକ ମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ଅଭୟ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ମୁଁ ନୁଆକରି କାର୍ଯ୍ୟରେ ଯୋଗଦେଇଛି, ତେଣୁ ମୋ ପାଖରେ ଏନେଇ କିଛି ସୁଚନା ନଥିଲା, ତେଣୁ ଏ ବାବଦରେ ଡିଇଓଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ