୨୮ତମ ବିମ୍ବାଧର ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଇଲେଭେନ ଷ୍ଟାର ଯାଜପୁର ଫାଇନାଲରେ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ଼ ମେଡିକାଲ ପଡ଼ିଆ ଠାରେ ଆଜି ମହାବୀର ୟୁଥ କ୍ଲବ ଆନୁକୂଲ୍ୟରେ ୨୮ତମ ବିମ୍ବାଧର ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ କ୍ୱାଟରଫାଇନାଲ ମ୍ୟାଚ ଓ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଚତୁର୍ଥ କ୍ୱାଟରଫାଇନାଲ ମ୍ୟାଚ ଆରସିସି ୟଙ୍ଗ ଷ୍ଟାର କଟକ ଓ ମର୍ନିଂ ଷ୍ଟାର ବାଲେଶ୍ଵର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମର୍ନିଂ ଷ୍ଟାର ବାଲେଶ୍ଵର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ଓଭରରେ ୫ଉଇକେଟ ହରାଇ ୧୯୧ରନ ସଂଗ୍ରହ କରିଥିଲା। ଦଳପକ୍ଷରୁ ରାଜୀଵ ଲୋଚନ ସାହୁ ସର୍ବାଧିକ ୫୮ରନ ଓ ଦିବ୍ୟଶକ୍ତି ୫୬ରନ ସଂଗ୍ରହ କରିଥିଲେ। ଅପରପକ୍ଷ ବୋଲର ସତ୍ୟ ତ୍ରିପାଠୀ ଓ ଅଜୟ ନାୟକ ୨ଗୋଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଆରସିସି ୟଙ୍ଗ ଷ୍ଟାର କଟକ ନିର୍ଦ୍ଧାରିତ ଓଭରରେ ୬ଉଇକେଟ ହରାଇ ୧୫୦ରନ କରି ପରାଜୟ ବରଣ କରିଥିଲା । ଦଳପକ୍ଷରୁ ଅଶ୍ୱିନୀ ଖଣ୍ଡାଇ ସର୍ବାଧିକ୪୧ରନ ସଂଗ୍ରହ କରିଥିବା ବେଳେ ଅପରପକ୍ଷ ବୋଲର ଆକାଶ ଦାସ ସର୍ବାଧିକ ୨ଗୋଟି ଉଇକେଟ ଅକ୍ତିଆର କରିଥିଲେ । ଅମ୍ପେୟାର ଭାବେ ସଞ୍ଜୟ ଶତପଥୀ ଓ ସତ୍ୟବ୍ରତ ଜେନା ଖେଳ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ଅଜୟ ବାରିକ, ସନ୍ତୋଷ ଖଣ୍ଡାଇ, ଭାଷ୍ୟକାର ଭାବେ ପ୍ରତ୍ୟୁଷ ସାହୁ ଓ ଶ୍ରୀକାନ୍ତ ଖଣ୍ଡାଇ ଦାୟିତ୍ୱ ତୁଲାଇଥିଲେ । ଅପରାହ୍ନରେ ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଇଲେଭେନ ଷ୍ଟାର ଯାଜପୁର ସହିତ ମର୍ନିଂ ଷ୍ଟାର ବାଲେଶ୍ଵର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମର୍ନିଂ ଷ୍ଟାର ବାଲେଶ୍ଵରକୁ ହରାଇ ଇଲେଭେନ ଷ୍ଟାର ଯାଜପୁର ଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ମର୍ନିଂ ଷ୍ଟାର ବାଲେଶ୍ଵର ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ଓଭରରେ ୮ଉଇକେଟ ହରାଇ ୧୩୪ରନ ସଂଗ୍ରହ କରିଥିଲା। ଦଳପକ୍ଷରୁ ଅଜୟ କୁମାର ପ୍ରଧାନ ବ୍ୟକ୍ତିଗତ ୩୩ରନ ସଂଗ୍ରହ କରିଥିବା ବେଳେ ଅପରପକ୍ଷ ବୋଲର ମୁରଲୀ ନାୟକ ୨ଗୋଟି ଉଇକେଟ ଅକ୍ତିଆର କରିଥିଲେ । ଜବାବରେ ଇଲେଭେନ ଷ୍ଟାର ଯାଜପୁର ୧୪ଓଭରରେ ୫ଉଇକେଟ ହରାଇ ୧୩୫ରନ କରି ବିଜୟୀ ହୋଇଥିଲା । ଦଳପକ୍ଷରୁ ମାନଭ ଭଟାଚାର୍ଯ୍ୟ ସର୍ବାଧିକ୩୮ରନ ସଂଗ୍ରହ କରିଥିବା ବେଳେ ଆକାଶ ଦାସ ସର୍ବାଧିକ ଦୁଇ ଗୋଟି ଉଇକେଟ ନେଇଥିଲେ । ଅମ୍ପେୟାର ଭାବେ କାଳନ୍ଦୀ ପଣ୍ଡା ଓ ଚିନ୍ମୟ ସେନାପତି ଖେଳ ପରିଚାଳନା କରିଥିଲେ ।


