ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ପ୍ରତୀକ୍ଷା-୨ ଶିବିରର ଉଦ୍ଯାପନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼ସ୍ ଦ୍ୱାରା ଗତ ୨୧ତାରିଖରୁ ଆରମ୍ଭ ହୋଇଥିବା ପ୍ରତୀକ୍ଷା-୨ ଶିବିର ଆଜି ସଂଧ୍ୟାରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବ ମାଧ୍ୟମରେ ଉଦ୍ଯାପନ ହୋଇଯାଇଛି । ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳି ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସ୍କାଉଟ୍ର ସଭାପତି ତଥା ମାନ୍ୟବର ବିଧାୟକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ପିଲାମାନଙ୍କର ବ୍ୟକ୍ତିତ୍ୱ ଏବଂ ପାଠପଢ଼ା ଉପରେ କିପରି ସୁପ୍ରବାହ ପକାଇଥାଏ, ତା’ର ବର୍ଣ୍ଣନା କରିଥିଲେ । ଉତ୍ସବରେ ଅଧ୍ୟକ୍ଷତା କରି ଶ୍ରୀଯୁକ୍ତ ମିଶ୍ର କରୋନାର ପରବର୍ତ୍ତୀ କାଳରେ ଏହି ଶିବିର ପିଲାମାନଙ୍କ ନିମନ୍ତେ କିପରି ଏକ ମାର୍ଗଦର୍ଶକ ଭାବରେ କାମ କରିପାରିବ ତା’ର ରୂପରେଖ ପ୍ରସ୍ତୁତି ବିଷୟରେ ବ୍ୟାଖ୍ୟା କରିଥିଲେ । ସମ୍ମାନୀତ ଅତିଥି ଭାବରେ ମାଧ୍ୟମିକ ବୋର୍ଡ ଉପସଭାପତି ଶ୍ରୀ ନିହାର ରଂଜନ ମହାନ୍ତି ଏବଂ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ବୃନ୍ଦାବନ ଶତପଥୀ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ଓଡ଼ିଶାର ୧୫ଟି ଜିଲ୍ଲାରୁ ୫୧୩ଜଣ ସ୍କାଉଟ୍, ଗାଇଡ଼୍, ସ୍କାଉଟ୍ ମାଷ୍ଟର ଓ ଗାଇଡ଼୍ କ୍ୟାପଟେନ୍ ଯୋଗ ଦେଇ ଶିବିରର ବିଭିନ୍ନ ଦିବସରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ଯଥା ଶାରୀରିକ କ୍ରୀଡ଼ା କୌଶଳ, ସାମରିକ କ୍ରୀଡ଼ା, କଲରପାର୍ଟି, ଦଳଗତ ନୃତ୍ୟ, ବକ୍ତୃତା, ଫୁଡ଼ଭିଲ୍ଲା, ର୍ୟାମ୍ପ ୱାକ୍, କୌତୁକ ପୋଷାକ ପରିଧାନ, ଯୋଗାସନ, ବିପି, କ୍ରୀଡ଼ା କୌଶଳ ପ୍ରଭୃତି ପ୍ରତିଯୋଗିତାରେ ଭାଗ ନେଇଥିଲେ । ପିଲାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ପ୍ରଦର୍ଶନ ସହିତ ସେମାନଙ୍କର ପୂର୍ଣ୍ଣାଙ୍ଗ ବିକାଶ ନିମନ୍ତେ ଶିବିର ବିଭିନ୍ନ ଦିବସରେ ବିଭିନ୍ନ ଅତିଥିମାନେ ଆସି ଯୋଗଦାନ କରି ପିଲାମାନଙ୍କୁ ବିଭିନ୍ନ ପ୍ରକାର ସଦ୍ ଉପଦେଶ ପ୍ରଦାନ କରିଥିଲେ । ଅପରାହ୍ଣ ୪ଟା ସମୟରେ ମାନସିକ ସ୍ନାୟୁ ରୋଗ ବିଶେଷଜ୍ଞ ଡଃ ପ୍ରଣବ ମହାପାତ୍ର ଯୋଗଦାନ କରି ପିଲାମାନଙ୍କର ମାନସିକ ବିକାଶ ଉପରେ ଗୁରୁତ୍ୱ ଦେଇ ଭବିଷ୍ୟତରେ ଭଲ ନାଗରିକ ହେବା ସେ ବିଷୟରେ ଆଲୋକପାତ କରିଥିଲେ । ଅତିଥିମାନେ ବିଭିନ୍ନ ଜିଲ୍ଲା ଦ୍ୱାରା ଆୟୋଜିତ “ଗ୍ରାମ୍ୟ ବଜାର”ରେ ବୁଲି କିଣାକିଣି କରିବା ସହିତ ବିଭିନ୍ନ ସ୍ୱାଦର ଖାଦ୍ୟପଦାର୍ଥକୁ ଉପଭୋଗ କରିଥିଲେ । ରାଜ୍ୟ ଗାଇଡ଼୍ ସଂଗଠିକା ତଥା ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅନାମିକା ଦାସଙ୍କ ନେତୃତ୍ୱରେ ଏହି ଶିବିର ପରିଚାଳିତ ହୋଇଥିଲା । ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ଭବାନୀ ପ୍ରସାଦ ମିଶ୍ର ରାଜ୍ୟ ଯୁଗ୍ମ ସଂପାଦକ ଶ୍ରୀ ମିହିର ରଂଜନ ପଟ୍ଟନାୟକ, ରାଜ୍ୟ ସ୍କାଉଟ୍ ତାଲିମ କମିସନର ଶ୍ରୀ ସୁରଜିତ ସେନ, ରାଜ୍ୟ ଗାଇଡ଼୍ ତାଲିମ କମିସନର ପ୍ରିୟଦର୍ଶିନୀ ମହାପାତ୍ର ଓ ରାଜ୍ୟ ମୁଖ୍ୟାଳୟର ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରଭୃତି ସହଯୋଗ କରିଥିଲେ । ପରିଶେଷରେ ରାଜ୍ୟ ସଂପାଦକ ଶ୍ରୀ ଶରତ ଚନ୍ଦ୍ର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ ।


