ଛତ୍ରପୁର ଏନଏସିର ୨୨ ଟି ବୁଥ ରେ ଚାଲିଛି ମତଦାନ କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା) :ଗଞ୍ଜାମ ଜିଲ୍ଲାର ୧୬ ଟି ପୌର ପରିଷଦ, ଗୋଟିଏ ପୌର ପାଳିକା ଓ ଗୋଟିଏ ମହାନଗର ନିଗମ ପାଇଁ ଗୁରୁବାର ମତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ଉଭୟ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନଏସିରେ ମଧ୍ୟ କଡା ସୁରକ୍ଷା ବଳୟ ମଧ୍ୟରେ ନିର୍ବାଚନ କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି । ଛତ୍ରପୁର ଏନଏସିର ୧୪ ଟି ୱାର୍ଡ ମଧ୍ୟରୁ ୬ ନଂ ୱାର୍ଡ ଟି ଅପ୍ରତିଦ୍ୱନ୍ଦି ରହିଥିବା ବେଳେ ବଳକା ଥିବା ୧୩ ଟି ୱାର୍ଡର କାଉନସିଲର ପଦବୀ ଓ ଛତ୍ରପୁର ଏନଏସି ଅଧ୍ୟକ୍ଷା ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିଲାଗି ଏନଏସି ରେ ଗୋଟିଏ ପିଙ୍କ ବୁଥ୍ ସମେତ ୨୨ ଟି ବୁଥ୍ କରାଯାଇଛି । ପ୍ରତି ବୁଥ୍ ରେ ଗୋଟିଏ ପ୍ରିଜାଇଡିଂ ଅଫିସର, ୪ ଟି ପୋଲିଂ ଅଫିସର ଓ ଗୋଟିଏ ପୋଲିସ୍ କର୍ମଚାରୀ ରହିଛନ୍ତି । ଭୋଟର ମାନେ ଯେପରି ଶାନ୍ତି ଶୃଙ୍ଖଳାର ସହ ମତଦାନ କରିବେ ସେଥି ନିମନ୍ତେ ପ୍ରଶାସନ ପକ୍ଷରୁ ପିଇବା ପାଣି ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହା ସହ ଦିବ୍ୟାଙ୍ଗ ମାନଙ୍କ ହ୍ୱିଲ ଚେୟାରର ବ୍ୟବସ୍ଥା ମଧ୍ୟ କରାଯାଇଛି । ଫଳରେ ଭୋଟର ମାନେ ମଧ୍ୟ ଆଗ୍ରହ ସହକାରେ ଧାଡିରେ ଠିଆ ହୋଇ ନିଜ ନିଜ ମତଦାନ କରିଛନ୍ତି । ଯେପରି କୌଣସି ପ୍ରକାର ଅପ୍ରତିକର ପରିସ୍ଥିତି ସୃଷ୍ଟି ନ ହେବ ସେଥି ନିମନ୍ତେ ପୋଲିସ୍ ପକ୍ଷରୁ ପ୍ରତି ବୁଥ୍ ସମ୍ମୁଖରେ ପୋଲିସ୍ ମୃତୟନ କରାଯାଇଛି । ଏହା ବ୍ୟତୀତ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍. ଗଣେଷ ବାବୁ, ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ପ୍ରମୁଖ ପ୍ରତି ବୁଥ୍ କୁ ବୁଲି ମତଦାନ କାର୍ଯ୍ୟର ତଦାରଖ କରିଛନ୍ତି । ସୂଚନା ଥାଉ କି, ଛତ୍ରପୁର ଏନଏସି ଅଧ୍ୟକ୍ଷା ପଦବୀ ପାଇଁ ୩ ପ୍ରମୁଖ ଦଳର ପ୍ରାର୍ଥିନୀ ମାନେ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ୧୪ ଟି ୱାର୍ଡ ପାଇଁ ୩୬ ଜଣ ପ୍ରାର୍ଥୀ ମାନେ ପ୍ରତିଦ୍ୱନ୍ଦିତା କରୁଛନ୍ତି ।


