ଛତ୍ରପୁର ରେ ଆଜିଠୁ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ

ଛତ୍ରପୁର, (ଦେବଦତ୍ତ ମହାରଣା) :ଗଞ୍ଜାମ ଜିଲ୍ଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା ୨୧ ଦିନ, ୧୮ ଦିନ, ୧୧ ଦିନ ଧରି ଚାଲିଥାଏ । ଏହି ଯାତ୍ରା ଆସନ୍ତା ମେରୁ ସଂକ୍ରାନ୍ତିରେ ଉଦଯାପିତ ହୋଇଥାଏ । ଭୁକୁତା ମାନେ ମା ଦଣ୍ଡକାଳୀ ଓ ଶିବଙ୍କୁ ସାଥିରେ ଧରି ଗାଁ କୁ ଗାଁ ଘରକୁ ଘର ବୁଲି ମାନସିକଧାରୀ ମାନଙ୍କ ଘର ସମ୍ମୁଖରେ ମାଙ୍କ ଯାତ୍ରା କରି ମାନସିକଧାରୀଙ୍କ ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ବିଶ୍ୱାସ ରହିଛି ମାଙ୍କୁ ପୂଜା କଲେ ସମସ୍ତ ଦୁଃଖ ଦୂର ହୋଇଥାଏ । ୨୧ ଦିନ ଧରି ପାଟ ଭୁକୁତାଙ୍କ ନିର୍ଦ୍ଦେଶ ଅନୁସାରେ ମାଙ୍କ ଯାତ୍ରା ପାଳନ ହୋଇଥାଏ । ସକାଳୁ ସକାଳୁ ମାନସିକ ଧାରୀ ମାନଙ୍କ ଘରେ ମାଙ୍କୁ ସାଥିରେ ଧରି ପହଂଚି ମା ଦଣ୍ଡକାଳୀ ଓ ଶିବଙ୍କୁ ବରଣ କରାଯାଏ । ପରେ ମଧ୍ୟାହ୍ନରେ ଧୂଳି ଦଣ୍ଡ, ପାଣି ଦଣ୍ଡ, ଅଗ୍ନି ଦଣ୍ଡ ଇତ୍ୟାଦି ସମ୍ପନ୍ନ ହୋଇଥାଏ । ସନ୍ଧ୍ୟାରେ ମାଙ୍କ ରିତିନିତି ଅନୁଯାୟୀ ଆଳତି ଓ ପୂଜାର୍ଚ୍ଚନା କରିବା ପରେ ଅଧ ରାତିରେ ମାଙ୍କୁ ଅନ୍ନ ପ୍ରସାଦ ଲାଗି କରାଯାଇଥାଏ । ରାତିରେ ସାଂସ୍କୃତିକ ନୃତ୍ୟ ପରିବେଶଣ କରାଯାଇଥାଏ । କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ମାଙ୍କ ଏହି ଯାତ୍ରା ବନ୍ଦ ଥିବା ବେଳେ ଚଳିତ ବର୍ଷ ମାଙ୍କ ଯାତ୍ରା ପାଳନ ହେଉଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଛତ୍ରପୁର ସହର ଆଖପାଖ ଅଂଚଳରେ ଥିବା ବିଭିନ୍ନ ଦଣ୍ଡକାଳୀ ମନ୍ଦିର ରେ ମାଙ୍କ ଯାତ୍ରାର ଶୁଭାରମ୍ଭ ହୋଇଛି । ଛତ୍ରପୁର ବ୍ଲକର ଲଣ୍ଡାବାଉଁଶ, କୁମାରବେଗପଲ୍ଲୀ, ବିପୁଳିଙ୍ଗି ପ୍ରଭୃତି ଅଂଚଳରେ ଥିବା ପାରମ୍ପରିକ ଦଣ୍ଡଯାତ୍ରାର ଶୁଭାରମ୍ଭ ହୋଇଛି । ପ୍ରତ୍ୟୁଷରେ ୧୩ ଭୁକୁତା ମାନେ ଗ୍ରାମର ପୋଖରୀକୁ ଯାଇ ସ୍ନାନାଦି କର୍ମ ସାରିବା ପରେ ସୁର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ସାରି ଗ୍ରାମ ପରିକ୍ରମା କରିବା ପରେ ଦଣ୍ଡକାଳୀ ମନ୍ଦିରକୁ ଫେରିଥିଲେ । ତେବେ କୋଭିଡ୍ କଟକଣା ଯୋଗୁଁ ବନ୍ଦ ହୋଇଥିବା ଦଣ୍ଡଯାତ୍ରା ପୁନର୍ବାର ଆରମ୍ଭ ହେବା ଫଳରେ ଦଣ୍ଡଯାତ୍ରା ପ୍ରେମୀ ଲୋକଙ୍କ ମନରେ ଆନନ୍ଦ ପ୍ରକାଶ ପାଇଛି । କୋଭିଡ୍ କଟକଣା ହଟିବା ପରେ ଦଣ୍ଡଯାତ୍ରା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ବିଭିନ୍ନ ନୃତ୍ୟ ପ୍ରଦଶର୍ଶନ କରାଯାଇଥାଏ । ମାନସିକ ଦଣ୍ଡଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଲଣ୍ଡାବାଉଁଶ ଗ୍ରାମରେ ୨୧ ଦିନିଆ ଦଣ୍ଡଯାତ୍ରା ଆରମ୍ଭ ହୋଇଥିବା ବେଳେ ଅନ୍ୟାନ୍ୟ ସ୍ଥାନରେ ପର୍ଯ୍ୟୟ କ୍ରମେ ଯାତ୍ରା ଆରମ୍ଭ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ