ରାଜ୍ୟସ୍ତରୀୟ ଦୃଷ୍ଟିବାଧିତ ମହିଳା କ୍ରିକେଟ ଖେଳାଳି ପ୍ରଶିକ୍ଷଣ ଶିବିର ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା) :ଉତ୍କଳ ଦିବସ ଅବସରରେ ରାଜ୍ୟସ୍ତରୀୟ ଦୃଷ୍ଟିବାଧିତ ମହିଳା କ୍ରିକେଟର ପ୍ରଶିକ୍ଷଣ ଶିବିର ଶୁକ୍ରବାର ବାଲେଶ୍ୱରରେ ଉଦଘାଟିତ ହୋଇଯାଇଛି । ସହରର ରାଣୀପାଟସ୍ଥା ସ୍ଥିତ ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟ ପରିସରରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ରେବତୀ ପତ୍ରିକା ସମ୍ପାଦିକା ସମାଜସେବୀ ସୁବାସିନୀ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଏଭଳି ନିଆରା ପ୍ରୟାସ ପାଇଁ ଆୟୋଜକମାନଙ୍କୁ ସାଧୁବାଦ ଜଣାଇଥିଲେ । ଦିବ୍ୟାଙ୍ଗ ମହିଳାଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆଗକୁ ନେବାରେ ଏହି ଉଦ୍ୟମ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ ବୋଲି ସେ କହିିଥିଲେ । ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏହି ପ୍ରଶିକ୍ଷଣ ଶିବିରକୁ ନେଇ ବେଶ ସନ୍ତୋଷ ପ୍ରକାଶ କରିଥିଲେ । କ୍ରୀଡ଼ା କ୍ଷେତ୍ରରେ ଦୃଷ୍ଟିବାଧିତ ପାଇଁ ସରକାରୀ ସ୍ତରରେ ଉପଲବ୍ଧ ସମସ୍ତ ପ୍ରକାର ସହଯୋଗ ନିଶ୍ଚିତ ଉଦ୍ୟମ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଦୃଷ୍ଟିବାଧିତ କ୍ରିକେଟ ସଂଘ ସଭାପତି ତଥା ଆନ୍ତର୍ଜାତିକ ଦୃଷ୍ଟିବାଧିତ କ୍ରିକେଟ ଖେଳାଳି ମହମ୍ମଦ ଇକବାଲ ଜାଫର ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟର ନିର୍ଦ୍ଦେଶକ ଦିବାକର ସ ଏଥିରେ ଅଧ୍ୟକ୍ଷତା କରିବା ସହିତ ଆରମ୍ଭ ହୋଇଥିବା ରାଜ୍ୟ ସ୍ତରୀୟ ଦୃଷ୍ଟିବାଧିତ ମହିଳା କ୍ରିକେଟ ଖେଳାଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଶିବିର ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଜିଲାସ୍କୁଲ ପଡ଼ିଆରେ ଚାଲିବ । ଉତ୍ତର ଓଡ଼ିଶାର ବିଭିନ୍ନ ଜିଲା ଓ ଖୋର୍ଦ୍ଧା ଜିଲାରୁ ମୋଟ ୩୦ ଜଣ ଦୃଷ୍ଟି ବାଧିକ ମହିଳା କ୍ରିକେଟ ଖେଳାଳି ଏଥିରେ ଅଂଶଗ୍ରହଣ କରୁଛନ୍ତି । ଏଥିରୁ ପ୍ରଶିକ୍ଷଣ ପାଇଁ ଆଗାମୀ ଦିନରେ ଏହି ଖେଳାଳିମାନେ ରାଜ୍ୟ ଓ ଜାତୀୟ ସ୍ତରର ଟୁର୍ଣ୍ଣାମେଣ୍ଟରେ ସଫଳତା ପ୍ରଦର୍ଶନ କରିବେ ବୋଲି ଶ୍ରୀ ସ ଆଶା ପ୍ରକାଶ କରିଥିଲେ । ଏହି ଅବସରରେ ଆନ୍ତର୍ଜାତିକ ଦୃଷ୍ଟିବାଧିତ କ୍ରିକେଟ ଖେଳାଳି ମହମ୍ମଦ ଇକବାଲ ଜାଫରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉଦଘାଟନୀ କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ସଙ୍ଗୀତ ଶିକ୍ଷକ ଗୌରାଙ୍ଗ ପାତ୍ର ଓ ସଞ୍ଜୀବ ବେହେରା ତଥା ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ଶିକ୍ଷକ ସୁନୀଲ କୁମାର ବିଶ୍ୱାଳ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


