ବାଲେଶ୍ୱରରେ ୮୭ ତମ ପୁଲିସ ପ୍ରତିଷ୍ଠା ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱରେ ୮୭ତମ ପୁଲିସ ପ୍ରତିଷ୍ଠା ଦିବସ ସ୍ଥାନୀୟ ରିଜର୍ଭ ପୁଲିସ ପଡ଼ିଆରେ ଗୁରୁବାର ପାଳିତ ହୋଇଯାଇଛି । ଆୟୋଜିତ ଉତ୍ସବକୁ ଜିଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଉଦଘାଟନ କରିବା ସହ ଆଭ୍ୟନ୍ତରୀଣ ଶୃଙ୍ଖଳା ରକ୍ଷାରେ ପୁଲିସର ଦାୟିତ୍ୱବୋଧତା ସମ୍ପର୍କରେ ଆଲୋଚନା କରିଥିଲେ । ୧୯୩୬ ମସିହା ୧ତାରିଖରୁ ବିହାର ପୁଲିସରୁ ପୃଥକ ହୋଇ ଓଡ଼ିଶା ପୁଲିସ ଗଠନ ହୋଇଥିବା କାରଣରୁ ପ୍ରତିବର୍ଷ ଏହି ଦିନକୁ ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଉଥିବା ସେ କହିଥିଲେ । ତେବେ ଜନସାଧାରଣଙ୍କୁ ପୁଲିସ ସେବା ପ୍ରଦାନ ଓ ଆଇନ ଶୃଙ୍ଖଳା ରକ୍ଷା ସମୟରେ ନିଷ୍ଠାପୂର୍ଣ୍ଣ କର୍ତ୍ତବ୍ୟ ଉପରେ ଅଧିକ ଯତ୍ନବାନ ହେବାକୁ ଶ୍ରୀ ମିଶ୍ର ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ରିଜର୍ଭ ପୁଲିସ ପକ୍ଷରୁ ଆୟୋଜିତ ସାମୂହିକ ପ୍ୟାରେଡ଼ ଅଭିବାଦନ ସେ ଗ୍ରହଣ କରିଥିଲେ । ଏହି ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରେରିତ ବାର୍ତ୍ତାକୁ ଶ୍ରୀ ମିଶ୍ର ପାଠ କରିଥିଲେ । ଏଥି ସହିତ ବ୍ୟକ୍ତିଗତ କାରଣ ଯୋଗୁଁ ଉତ୍ସବରେ ଅନୁପସ୍ଥିତ ଥିବା ମୁଖ୍ୟଅତିଥି ପୂର୍ବାଞ୍ଚଳ ଆଇଜିଙ୍କ ବାର୍ତ୍ତା ମଧ୍ୟ ସେ ପାଠ କରିଥିଲେ । ୨୦୨୧-୨୨ ବର୍ଷର ଉଲେଖନୀୟ କାର୍ଯ୍ୟ ଦକ୍ଷତା ପାଇଁ ଉପ-ଆରକ୍ଷୀ ନିରୀକ୍ଷକ ରବି ନାରାୟଣ ଭୂୟାଁ, ସହ ଉପ-ଆରକ୍ଷୀ ନିରୀକ୍ଷକ ସୁରେଶ ଚନ୍ଦ୍ର ମହାଳିକ, ହାବିଲଦାର କରୁଣାକର ଲେଙ୍କା, କନଷ୍ଟେବଳ ତପନ କୁମାର ହାଜରା, ମାନସ କୁମାର ମହାଳିକ ଓ ସ୍ୱପ୍ନାଶ୍ରୀ ସିଂଙ୍କୁ ଏହି ଉତ୍ସବରେ ପୁରସ୍କୃତ କରାଯାଇଥିଲା । ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦୀପକ କୁମାର ରଥ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ଉପ ଆରକ୍ଷୀ ଅଧୀକ୍ଷକ କ୍ଷିତୀଶ କୁମାର ଜେନା ସକ୍ରିୟ ସହଯୋଗ କରିଥିଲେ । ଆରଆଇ ସଦାଇ ଶଙ୍କର ଟୁଡୁଙ୍କ ନେତୃତ୍ୱରେ ଅନୁଷ୍ଠିତ ସାମୂହିକ ପ୍ୟାରେଡ୍କୁ ସର୍ଜେଣ୍ଟ ରାଜୀବ ମାରାଣ୍ଡି ପରିଚାଳନା କରିଥିଲେ । ଜିଲା ପୁଲିସ ଓ ପ୍ରଶାସନର ଅଧିକାରୀ ଓ କର୍ମଚାରୀଙ୍କ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଉପସ୍ଥିତ ଥିଲେ ।


