ଆହାକି ବଡିଆ ରାଜନୀତି : ସରପଞ୍ଚଙ୍କ ବଦଳରେ ସ୍ୱାମୀ ହେଲେ ମୁଖ୍ୟ ଅତିଥି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : କଥାରେ ଅଛି ଆହାକି ବଡିଆ ରାଜନୀତି । ରାଜନୀତିରେ ଥିବା ଲୋକେ ବିଭିନ୍ନ ଭିନ୍ନ ଭିନ୍ନ ଭାବେ ସୁଯୋଗ ହାତେଇ ଚାଲିଛନ୍ତି । ଏପରିକି ସ୍ତ୍ରୀ ରାଜନେତ୍ରୀ ଥିଲେ ମଧ୍ୟ ତାଙ୍କ ଅନୁପସ୍ଥିତି ସମୟରେ ସ୍ୱାମୀ ସରକାରୀ କିମ୍ବା ବେସରକାରୀ ବିଭିନ୍ନ କାର୍ଯ୍ୟକ୍ରମକୁ ସମ୍ଭଳି ନେଇଥାନ୍ତି । ଏପରି ଏକ ରାଜନେତ୍ରୀ ଥିବା ସ୍ତ୍ରୀ କୌଣସି ସଭା ସମିତିରେ ମୁଖ୍ୟ ଅତିଥି ଥାଇ ସ୍ୱାମୀଙ୍କ ଇଙ୍ଗିତରେ ଅନୁପସ୍ଥିତ ରହିଲେ ସେଠାରେ ନିର୍ବାଚିତ ରାଜନେତ୍ରୀଙ୍କ ସ୍ୱାମୀ ହଠାତ ମୁଖ୍ୟ ଅତିଥି ପାଲଟି ଯାଆନ୍ତି । ଏପରି ଏକ ଘଟଣା ଗଜପତି ଜିଲ୍ଲା ମୋହନା ବ୍ଲକ ଲିଲିଗଡ ପଞ୍ଚାୟତରେ ଦେଖିବାକୁ ମିଳିଛି । ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ ସରପଞ୍ଚଙ୍କୁ ଦିଆଯାଇଥିଲା । ହେଲେ ସରପଞ୍ଚ ଆସିନଥିଲେ । ତାଙ୍କ ବଦଳରେ ତାଙ୍କ ସ୍ୱାମୀ ଆସି ଆସନ ଅଳଙ୍କୃତ କରିଥିବାର ଦେଖିବାକୁ ମିଳିଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି । ଗତ ଶୁକ୍ରବାର ଉତ୍କଳ ଦିବସ ପାଇଁ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ଲିଲିଗଡ ପଞ୍ଚାୟତର ସରପଞ୍ଚ ବାସନ୍ତୀ ମଲ୍ଲିକଙ୍କୁ ମୁଖ୍ୟ ଅତିଥି ବାବେ ନିମନ୍ତ୍ରଣ କରାଯାଇଥିଲା । ହେଲେ ତାଙ୍କ ସ୍ଥାନରେ ତାଙ୍କ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆସନ ଅଳଙ୍କୃତ କରିଥିଲ । ମହରିଳା ଶସକ୍ତିକରଣ ଏବଂ ମହିଳାଙ୍କୁ ସମାଜର ଆଗ ଧାଡିକୁ ଆଣିବାକୁ ସରକାର ବହୁ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ଏପରିକି ସେମାନଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାପାଇଁ ସ୍ଥାନ ସଂରକ୍ଷଣ କରି ଅଗ୍ରାଧିକାର ଦେଉଛନ୍ତି । ନିର୍ବାଚିତ ହେବା ପରେ ଏହି ମହିଳା ଜନ ପ୍ରତିନିଧିମାନେ ନିଜ ନିଜ ସ୍ୱାମୀଙ୍କ ହାତରେ ରହିଯାନ୍ତି । ଫଳରେ ମହିଳା ଜନପ୍ରତିନିଧି ମାନେ ମୋହରା ହିସାବରେ କାମ କରୁଛନ୍ତି ବୋଲି ଚର୍ଚ୍ଚା ଯୋର ଧରିଛି । ତେବେ ଲିଲିଗଡ ପଞ୍ଚାୟତରେ ଏହି ଘଟଣା ପରେ ମହିଳା ପ୍ରତିନିଧିମାନେ ସେମାନଙ୍କ ସ୍ୱାମୀଙ୍କ ଦ୍ୱାରା ପରିଚାଳିତ ହେଉଥିବାର ସ୍ପଷ୍ଟ ହୋଇଯାଇଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ