କାର୍ଯ୍ୟକ୍ଷମ ହେଉନି ଲିଜ ବାଲିଘାଟ : ଲିଜଧାରୀ ହତାସ : ବଢ଼ୁଛି ଚୋରା ଚାଲାଣ
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ତହସିଲ ଅଧିନସ୍ଥ ବାଲି ସୈରାତ ଗୁଡିକର ଲିଜ ପ୍ରକ୍ରୀୟା ଦୀର୍ଘ ଦେଢ଼ବର୍ଷ ହେଲା ସରିଥିଲେ ମଧ୍ୟ ପରିବେଶ ମଞ୍ଜୁରୀ ମିଳି ନଥିବାରୁ ଆଜି ପର୍ଯ୍ୟନ୍ତ ବାଲିଘାଟ ଗୁଡିକ କାର୍ଯ୍ୟକ୍ଷମ ହୋଇ ପାରୁନି । ଫଳରେ ସମଗ୍ର ଅଞ୍ଚଳରେ ବାଲିର ଘୋର ଅଭାବ ଦେଖା ଦେଇଛି । । ଏପରିକି ଲିଜଧାରୀ ମାନେ ସରକାରଙ୍କ ନିକଟରେ ଏନେଇ କୋଟି କୋଟି ଟଙ୍କା ଜମା କରି ଥିବାବେଳେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇପାରୁ ନଥିବାରୁ ସେମାନେ ହତାଶ ହୋଇପଡିଛନ୍ତି । ଏବେ ଆବାସ ଯୋଜନା ଠାରୁ ଆରମ୍ଭ କରି ଗାଁ ଗହଳିରେ ବିଭିନ୍ନ ସରକାରୀ ଯୋଜନାରେ କାର୍ଯ୍ୟସବୁ ଚାଲିଥିବାବେଳେ ଏଥିପାଇଁ ବାଲିର ଆବଶ୍ୟକତା ରହିଛି । କିନ୍ତୁ ବାଲି ସୈରାତ ଗୁଡିକ ଚାଲୁ ନଥିବାରୁ ଆବାସ ଯୋଜନା ହିତାଧିକାରୀ ଓ ଗାଁ ଗହଳିର କୁଜି ଠିକାଦାର ମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଯାହାଦ୍ୱାରା ଗରିବ ଆବାସ ଯୋଜନା ହିତାଧିକାରୀ ମାନେ ଉପଯୁକ୍ତ ସମୟରେ ଘରକାମ ସମ୍ପୁର୍ଣ୍ଣ କରିପାରୁ ନାହାନ୍ତି । ଫଳରେ ଲୋକମାନେ ଚଢ଼ା ଦରରେ ବାଲି କିଣିବାକୁ ବାଧ୍ୟ ହେଉଛନ୍ତି । ବାଲି ସୈରାତ ଗଡିକ ବନ୍ଦ ଥିବାରୁ ଏହାର ଫାଇଦାନେଇ ବାଲି ମାଫିଆମାନେ ବିଭିନ୍ନ ସ୍ଥାନରେ ଶହଶହ ଟ୍ରିପ ବାଲି ଚୋରା ଚାଲାଣ କରୁଛନ୍ତି । ତହସିଲ ପ୍ରଶାସନ ପକ୍ଷରୁ ଏହି ବାଲି ଚୋରା ଚାଲାଣ ରୋକିବାକୁ ଯେତେ ପ୍ରକାର ଚେଷ୍ଟା କରୁଥିଲେବି ସେଥିରେ ସଫଳ ହୋଇ ପାରୁ ନାହାନ୍ତି । ଯଦି ବାଲି ଉତ୍ସ ଗୁଡିକ କାର୍ଯ୍ୟକ୍ଷମ ହୁଅନ୍ତା ତେବେ ବାଲି ଚୋରା ଚାଲାଣ ବନ୍ଦ ହେବା ସହ ସାଧାରଣ ଲୋକମାନେ ଟୁପଯୁକ୍ତ ଦରରେ ବାଲି ପାଇ ପାରନ୍ତେ । ଏ ସମ୍ପର୍କରେ ତହସିଲଦାର ଦିଲ୍ଲିପ କୁମାର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି ଯେ ହାଟଡିହି ତହସିଲ ଅଧିନରେ ଥିବା ଡିମିରିଆ, ଅମୃତପୁର, ସମଣା, ଗିରିଗାଁ ଭଳି ୬ଟି ବାଲିଉତ୍ସ ପାଇଁ ନିଲାମ କାର୍ଯ୍ୟ ଦେଢ଼ବର୍ଷ ପୁର୍ବରୁ ସରିଛି । ଗୋଟିଏ ବାଲିଘାଟ ମାମଲା କୋର୍ଟରେ ବିଚରାଧିନ ଅଛି । ମାତ୍ର ପରିବେଶ ମଞ୍ଜୁରି ମିଳିପାରି ନଥିବାରୁ ଅନ୍ୟ ବାଲିଘାଟ ଗୁଡିକ କାର୍ଯ୍ୟକାରୀ ହେବାରେ ବିଳମ୍ବ ଘଟିଛି । ଏଥିରେ ଆମ ହାତରେ କିଛି ନାହିଁ । ସିଆର ମଞ୍ଜୁରୀ ମିଳୁନଥିବାରୁ ବାଲି ଉତ୍ସ ଗୁଡିକ କାର୍ଯ୍ୟକ୍ଷମ ହୋଇପାରୁନି ବୋଲି କହିଛନ୍ତି । ତେଣୁ ଯେବେ ମଞ୍ଜୁରୁ ମିଳିବ ସେହି ଅନୁସାରେ ଘାଟ ଗୁଡିକ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ।


