୯ ନମ୍ବର ୱାର୍ଡରେ ମୋ ପୋଖରୀ ମୋ ଦାୟିତ୍ୱ କାର୍ଯ୍ୟକ୍ରମ : ଶପଥ ପୂର୍ବରୁ ସକ୍ରିୟ
ଛତ୍ରପୁର, (ଦେବଦତ୍ତ ମହାରଣା) :ଗଂଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନଏସିର ନିର୍ବାଚନ ଶେଷ ହେବା ସହ ଗତ ୨୬ ତାରିଖ ଦିନ ଫଳାଫଳ ମଧ୍ୟ ଘୋଷଣା ହୋଇଯାଇଛି । ଏନଏସିର ୯ ନମ୍ବର ୱାର୍ଡରୁ ବିଜୁ ଜନତା ଦଳରୁ କାଉନସିଲର ଭାବେ ବିଜୟୀ ହୋଇଛନ୍ତି ବିଜୁ ଜନତା ଦଳର ପ୍ରିତିଛନ୍ଦା ସାମଲ । ତେବେ କାଉନସିଲର ଭାବେ ସେ ଶପଥ ଗ୍ରହଣ କରିନଥିଲେ ମଧ୍ୟ ନିଜ ୱାର୍ଡରେ ସକ୍ରୀୟ ହୋଇ ଲୋକଙ୍କ ସମସ୍ୟା ବୁଝିବା ସହିତ ୱାର୍ଡର ସର୍ବାଙ୍ଗୀନ ଉନ୍ନତି କାର୍ଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ୱାର୍ଡର ସଫେଇ କାର୍ଯ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସେ ସାମିଲ ହୋଇଛନ୍ତି । ଅଂଚଳରେ ଥିବା ସମସ୍ୟା ଗୁଡିକୁ ଲୋକଙ୍କୁ ପଚାରି ବୁଝିବା ସହ ଏହାର ସମାଧାନ କିପରି କରାଯାଇପାରିବ ସେନେଇ ସ୍ଥାନୀୟ ବାସିନ୍ଦା ମାନଙ୍କ ସହ ଆଲୋଚନା ମଧ୍ୟ କରୁଥିବା ଦେଖିବାକୁ ମିଳିଛି । ଏନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ଅବଗତ ମଧ୍ୟ କରୁଛନ୍ତି । ଗତ ନିର୍ବାଚନର ପ୍ରଚାର ବେଳେ ଅଂଚଳର ଉନ୍ନତୀ କରିବା ନେଇ ଭୋଟରଙ୍କୁ ଯେଉଁ ପ୍ରତିଶ୍ରୃତି ଦେଇଥିଲେ ସେଗୁଡିକୁ ବର୍ତ୍ତମାନ କାର୍ଯ୍ୟକାରୀ କରୁଛନ୍ତି ନବନିର୍ବାଚିତ କାଉନସିଲର ପ୍ରିତିଛନ୍ଦା ସାମଲ । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ପ୍ରତି ସୋମବାର ବିଭିନ୍ନ ସହରାଂଚଳ ମାନଙ୍କରେ ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା ଓ ମୋ ସ୍ୱାଭିମାନ ସ୍ୱଚ୍ଛ ଗଞ୍ଜାମର ମିଳିତ ଆନୁକୁଲ୍ୟରେ ପୋଖରୀ ଗୁଡିକୁ ସଫେଇ କରାଯାଉଥିବା ବେଳେ ଆଜି ଏନଏସି ଅନ୍ତର୍ଗତ ୯ ନମ୍ବର ୱାର୍ଡର ନୁଆ ସାହି ସ୍ଥିତ ପୋଖରୀକୁ ମୋ ପାଖରୀ ମୋ ଦାୟିତ୍ୱ କାର୍ଯ୍ୟକ୍ରମରେ ନବନିର୍ବାଚିତ କାଉନସିଲର ଶ୍ରୀମତି ସାମଲ ସାମିଲ ହୋଇ ନିଜେ ହାତରେ ଝାଡୁ ଧରି ପୋଖରୀ ଚାରିପାଶ୍ୱର୍କୁ ସଫେଇ କରିବା ସହିତ ଅନ୍ୟମାନଙ୍କୁ ଏହି କାର୍ଯ୍ୟରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍. ଗଣେଷ ବାବୁ, ପୂର୍ବତନ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ପ୍ରଦୋଶ କୁମାର ବେହେରା, ପୂର୍ବତନ କାଉନସିଲର ବି. ରାଜିବାବୁ, ବବୁଲ ନାୟକ, ଯୁବନେତା ସରୋଜ କୁମାର ସାମଲ, କନିଷ୍ଠ ଯନ୍ତ୍ରୀ ଜୋସ୍ନାମୟୀ ଜେନା, ସୁଶାନ୍ତ କୁମାର ଷଡଙ୍ଗୀଙ୍କ ସମେତ ବହୁ ସ୍ୱଚ୍ଛ ସାଥି ଓ ଏସଏଚଜି ମହିଳା ମାନଙ୍କ ସମେତ ବହୁ ସାହି ବାସିନ୍ଦା ମାନେ ସାମିଲ ଥିଲେ ।