ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ଶୈକ୍ଷିକ ଉପକରଣ ବଣ୍ଟନ
ଛତ୍ରପୁର, (ଦେବଦତ୍ତ ମହାରଣା) :ସମସ୍ତ ଶିଶୁର ସ୍ୱତନ୍ତ୍ରତାକୁ ଅନୁଧ୍ୟାନ କରି ଶ୍ରେଣୀଗୃହରେ ଉପଯୁକ୍ତ ସୁଯୋଗ ଏବଂ ଅନ୍ତର୍ନିବେଶୀ ପରିବେଶ ସୃଷ୍ଟି କରି ଶିଶୁମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ସାଇଟସେଭର୍ସ ତରଫରୁ ବିଭିନ୍ନ ଅଭିନବ ପ୍ରୟାସ କରାଯାଉଛି । ଗଞ୍ଜାମ ଜିଲ୍ଲା ଛତ୍ରପୁର ସମଗ୍ରଶିକ୍ଷା କାର୍ଯ୍ୟାଳୟ ସଭାଗୃହରେ ବୁଧବାର ଦୃଷ୍ଟିବାଧିତ ଶିକ୍ଷାର୍ଥୀଙ୍କୁ ପ୍ରଯୁକ୍ତିବିଦ୍ୟା ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନରେ ଅଧ୍ୟୟନତ ୫୦ ଜଣ ଦୃଷ୍ଟିବାଧିତ ଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ । ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ସେମାନଙ୍କୁ ପାଠପଢ଼ା ପାଇଁ ବ୍ରେଲ୍ ଶିକ୍ଷା ତଥା ଆଇସିଟି(ପ୍ରଯୁକ୍ତିବିଦ୍ୟା) ଉପକରଣ ବ୍ୟବହାର କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହାକୁ ଭିତ୍ତି କରି ସାଇଟସେଭର୍ସ ୫ ଜଣ ଶିକ୍ଷାର୍ଥୀଙ୍କୁ ଲାପଟପ୍, ୨୦ ଜଣ ଶିକ୍ଷାର୍ଥୀଙ୍କୁ ସ୍ମାର୍ଟଫୋନ୍ ଏବଂ ୨୫ ଜଣ ଶିକ୍ଷାର୍ଥୀଙ୍କୁ ଡେଜି ପ୍ଲେୟାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓସେପାର ଯୁଗ୍ମ ନିର୍ଦ୍ଦେଶକ ଜି.କୁଜୁର, ଗଞ୍ଜାମ ଜିଲ୍ଲା ସମଗ୍ରଶିକ୍ଷା ଅଭିଯାନର ଅର୍ଥପରାମର୍ଶଦାତା ମଧୁସୂଦନ ପରିଡା, ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ତପନ କୁମାର ସାହୁ, ସାଇଟସେଭର୍ସ ତରଫରୁ ରାଜ୍ୟ ମୁଖ୍ୟ ଶିବ ପ୍ରସାଦ ବେହେରା, ରାଜ୍ୟ ପ୍ରକଳ୍ପ ଅଧିକାରୀ ସୁମିତ୍ ସୁମନ କର, ଅନ୍ତର୍ନିବେଶୀ ଶିକ୍ଷା ବିଭାଗର ପରାମର୍ଶଦାତା ରଞ୍ଜିତା ପଟ୍ଟନାୟକ ଯୋଗଦେଇଥିଲେ । ସାଇଟସେଭର୍ସର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସନ୍ତୋଷ କୁମାର ବେହେରା କାର୍ଯ୍ୟକ୍ରମର ଅଧିବେଶନ ପରିଚାଳନା କରିଥିଲେ । ଉପସ୍ଥିତ ଅତିଥିମାନେ ଶିକ୍ଷାର୍ଥୀଙ୍କୁ ପ୍ରଯୁକ୍ତିବିଦ୍ୟା ସହାୟକ ଉପକରଣ ବଣ୍ଟନ କରିଥିଲେ ।


