ସମୟ ପରିବର୍ତ୍ତନ କରିବାକୁ ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ନୂତନ ଶିକ୍ଷାବର୍ଷରୁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢା ଚାଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯେଉଁ ନିଷ୍ପତ୍ତି ନେଇଛି ତାହାକୁ ପରିବର୍ତ୍ତନ କରିବାକୁ ଦାବି କରିଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । କରୋନା ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିବାରୁ ତାହାକୁ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ ମାଧ୍ୟମରେ ଭରଣା କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମ ଯୋଗୁଁ ପିଜି ଶ୍ରେଣୀର ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ବିଦ୍ୟାଳୟସ୍ତରରେ ସରକାର ଶିକ୍ଷାଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସକାଳ ୬ଟାରୁ ପିଲାମାନେ ମା’କୋଳ ଛାଡ଼ି ନଥିବା ବେଳେ ଛୋଟ ଛୋଟ ପିଲାମାନେ କିପରି ବିଦ୍ୟାଳୟକୁ ଆସିପାରିବେ ବୋଲି ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶିକ୍ଷାଦାନ ସମୟକୁ ସକାଳ ୬.୩୦ରୁ ୯ଟା ପର୍ଯ୍ୟନ୍ତ ପରିବର୍ତ୍ତନ କରିବାକୁ ସଂଘ ଦାବି କରିଛି । ୨ବର୍ଷ ଧରି କରୋନା ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିବା ବେଳେ ଏହାକୁ ମେ ପହିଲାରୁ ଜୁନ୍ ୬ ତାରିଖ ଅର୍ଥାତ୍ ମାତ୍ର ୩୫ ଦିନ ମଧ୍ୟରେ ରିକଭରି କରିବା ଆଦୌ ସଫଳ ହୋଇପାରିବ ନାହିଁ ବୋଲି ସଂଘ ଯୁକ୍ତି ବାଢିଛି । ବ୍ରିଜ କୋର୍ସ ତୃତୀୟ ପକ୍ଷ ଦ୍ୱାରା ଆୟୋଜନ କରିବାକୁ ସଂଘ ଦୃଢ ବିରୋଧ କରିଛି । ତୃତୀୟ ପକ୍ଷର କୌଣସି ଆବଶ୍ୟକତା ନାହିଁ । ୬ବର୍ଷ ଧରି ପ୍ରାଥମିକ ବିଦ୍ୟାଳୟରେ ସରକାର ଶିକ୍ଷକ ନିଯୁକ୍ତି କରି ନଥିବାରୁ ନିଜର ଭୁଲ୍‌କୁ ଲୁଚାଇବା ପାଇଁ ତୃତୀୟ ପକ୍ଷକୁ ଦାୟିତ୍ୱ ଦେଉଛନ୍ତି । ଶିକ୍ଷା ବିଭାଗରେ ତୃତୀୟ ପକ୍ଷ ଦ୍ୱାରା ବ୍ରିଜ କୋର୍ସ ଶିକ୍ଷାଦାନର ତଦାରଖ କରାଗଲେ ନିଯୁକ୍ତ ହୋଇଥିବା ସି.ଆର.ସି.ସି., ବି.ଆର.ସି.ସି., ବିଇଓ, ଡିଇଓ ଓ ଅନ୍ୟ ପଦାଧିକାରୀମାନେ କଣ କରିବେ ବୋଲି ସଂଘ ସରକାରଙ୍କୁ ପ୍ରଶ୍ନ କରିଛି । ସରକାର ଶିକ୍ଷାକୁ ଘରୋଇକରଣ କରିବା ପାଇଁ ପ୍ରତ୍ୟକ୍ଷ ପ୍ରୋତ୍ସାହନ କରୁଛନ୍ତି । ଆଇନ ଯଦି ସମାନ ତବେ ଘରୋଇ ବିଦ୍ୟାଳୟ ଗୁଡ଼ିକ ପାଇଁ ଏହି ନିୟମ ଲାଗୁ କରାଯାଇ ନାହିଁ । ସରକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ବାଧାପ୍ରାପ୍ତ ପାଇଁ ସରକାର ନିଜେ ଦାୟୀ ଅଟନ୍ତି । ମେ ପହିଲାରୁ ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ବ୍ରିଜ କୋର୍ସ ପାଇଁ ନିର୍ଦ୍ଧାରଣ କରାଯାଇଥିବା ସମୟ ସକାଳ ୬ଟା ବଦଳରେ ୬.୩୦ରୁ ୯ଟା କରିବା ପାଇଁ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା, ସାଧାରଣ ସମ୍ପାଦକ ବିଭୁପ୍ରସାଦ ସାହୁ, କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ ଏକ ମିଳିତ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ