ନୂଆପିଢିର ନୂଆ ଆଇଡିଆ ହିଁ ଦେଶକୁ ଆଗେଇ ନେବ: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର , ( ଯୁଗାବ୍ଦ ନ୍ୟୁଜ) : – ଦେଶ ଆଗରେ ଅନେକ ସମସ୍ୟା ରହିଥିବା ବେଳେ ଏହାର ମୁକାବିଲା କରିବା ପାଇଁ ନୂଆପିଢିଙ୍କୁ ହିଁ ବାଟ ଖୋଜିବାକୁ ପଡିବ । ନୂଆପିଢିର ନୂଆ ଆଇଡିଆ ହିଁ ରାଜ୍ୟ ଓ ଦେଶକୁ ଆଗେଇ ନେବ ବୋଲି ଶନିବାର ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ)ର ଷଷ୍ଠ ସମାବର୍ତନ ଉତ୍ସବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଓଡିଶା ଗୋଟିଏ ସମୟରେ ଅର୍ଥନୈତିକ କାରବାରର ପେଣ୍ଠସ୍ଥଳୀ ଥିଲା , କିନ୍ତୁ ବର୍ତମାନ ସେପରି ପରିସ୍ଥିତି ନାହିଁ । ପ୍ରକୃତରେ ନୂଆ ଯୁଗର ସମସ୍ୟା ପାଇଁ ସମାଧାନର ନୂଆ ଉପାୟ ଦରକାର । ସେହି ନୂଆ ରାସ୍ତା କେବଳ ନୂଆପିଢିର ଯୁବକମାନେ ଦେଇପାରିବେ , ଛାତ୍ରଛାତ୍ରୀଙ୍କୁ ପରିଶ୍ରମ କରିବା ସହ ଦେଶର ଉନ୍ନତି କରିବା କାମରେ ଲାଗିବା ନେଇ ସେ ପରାମର୍ଶ ଦେଇଥିଲେ । ଏହି ସମାବର୍ତନ ଉତ୍ସବ ପାଇଁ ସେ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ ସହ ଜଡିତ ଅଧ୍ୟାପକ ଏବଂ ଅଧ୍ୟାପିକାବୃନ୍ଦଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଷଷ୍ଠ ସମାବର୍ତନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରମୁଖ ଯୋଗଦେଇଥିଲେ ।