ବ୍ୟାଘ୍ରବେଦୀ ବସ ମାଲିକ ସଂଘ ପକ୍ଷରୁ ବସ ଟର୍ମିନାଲ ପରିସରରେ ଜଳଛତ୍ର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ଗତ କିଛି ଦିନ ଧରି ସହର ସମେତ ଆଖପାଖ ଅଞ୍ଚଳରେ ପ୍ରାୟ ୪୦ଖଣ୍ଡ ଗ୍ରାମରେ ପ୍ରଚଣ୍ଡ ଅଗ୍ନିତାପ ପ୍ରକୋପ ଅନୁଭୂତ ହେଉଛି । କ୍ରମାଗତ ଭାବେ ପାରଦ ୩୯ଂ ରୁ ୪୨ଂ ଛୁଇଁଛି । ସକାଳ ୯ଟାରୁ ଅପରାହ୍ନ ପ୍ରାୟ ୫ଟା ପର୍ଯ୍ୟନ୍ତ ଅଗ୍ନିବର୍ଷା ଜାରୀ ରହୁଛି । ତାପମାତ୍ରାର ପ୍ରକୋପ ଏତେ ଅଧିକ ଯେ ଦିନ ୧୦ଟାରୁ ଅପରାହ୍ନ ପ୍ରାୟ ୪ଟା ପର୍ଯ୍ୟନ୍ତ ତାତିରେ ଲୋକେ ଆଉଟୁପାଉଟୁ ହେଉଛନ୍ତି । ସହରବାସୀ ତାତିରେ ସିଝୁଥିବା ବେଳେ ଆଖପାଖ ଅଞ୍ଚଳରୁ ସହରକୁ ଆସୁଥିବା ଗ୍ରାମାଞ୍ଚଳର ଲୋକଙ୍କ ଅବସ୍ଥା କହିଲେ ନସରେ । ପରିସ୍ଥିତି ଏପରି ହୋଇଛି ଯେ ବ୍ୟାଙ୍କ, ବ୍ଳକ, ତହସିଲ, ଥାନା ଓ ଅନ୍ୟାନ ବ୍ୟବସାୟିକ ଉଦ୍ଦେଶ୍ୟରେ ଲୋକେ ବାଧ୍ୟ ବାଧକତାରେ ହିଞ୍ଜିଳିକାଟୁ ସହରକୁ ପ୍ରତ୍ୟହ ଆସୁଛନ୍ତି । ମୁଖ୍ୟତଃ ଉନ୍ନତମାନର ଚିକିତ୍ସା ସକାଶେ ବହୁ ରୋଗୀ ଓ ସର୍ମ୍ପକୀୟ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ଉପରେ ନିର୍ଭର କରୁଥିବାରୁ ବର୍ତ୍ତମାନ ଅସହ୍ୟ ତାତି ସେମାନଙ୍କ ପାଇଁ ଯନ୍ତ୍ରଣା ସଦୃଶ ହୋଇଛି । ଏଭଳି ଏକ ବିଶମ ପରିସ୍ଥିତିରେ ସ୍ଥାନୀୟ ବ୍ୟାଘ୍ରଦେବୀ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଗୁରୁବାର ଜଳଛତ୍ରର ବ୍ୟବସ୍ଥା କରାଯାଇଛି । ସାମ୍ପ୍ରତିକ ତାତିକୁ ଲକ୍ଷ୍ୟ ରଖି ପଥଚାରୀଙ୍କ ଉଦ୍ଦେଶ୍ୟରେ ସଂଘ ପକ୍ଷରୁ ସମାଜ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ଆୟୋଜିତ ଜଳଛତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଓ ଥାନା ଆଇଆଇସି ଅଭିମନ୍ୟୁ ଦାସ ଯୋଗଦେଇ ଶୁଭାରମ୍ଭ କରିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ଜନଗହଳି ପୁର୍ଣ୍ଣ ବସ ଟର୍ମିନାଲ ପରିସରରେ ଜଳଛତ୍ର ଆୟୋଜନ କରିବା ଏକ ମହତପୁର୍ଣ୍ଣ ଓ ପ୍ରଂଶସନୀୟ ପଦକ୍ଷେପ ବୋଲି ଅତିଥି ବୃନ୍ଦ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘ ସଭାପତି ଅରକ୍ଷିତ ଜେନା, ସୁଶାନ୍ତ ପ୍ରଧାନ, କୋରାମଣି ରାଉଳ, ଅରୁଣ ନାହାକ, ସାମ୍ବାଦିକ ଶେଷଦେବ ସାହୁ, ବିଶ୍ୱମ୍ବର ସାହୁ, ଦ୍ୱିତିକୃଷ୍ଣ ପଣ୍ଡା, ବିଭୁପ୍ରସାଦ ପଣ୍ଡ, ପ୍ୟାରୀମୋହନ ପାଢି, ସୁଶାନ୍ତ ସାହୁ, ଜଗନ୍ନାଥ ଭଞ୍ଜ,ରାକେଶ ସାହୁ,ପ୍ରଦୀପ ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଅନୁରୂପ ଭାବେ ହିଞ୍ଜିଳିକାଟୁ ନଗର ଛାତ୍ର ବିଜେଡି ପକ୍ଷରୁ ହିଞ୍ଜିଳିକାଟୁ ସ୍ଵୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ସମ୍ମୁଖରେ ଜଳଛତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।