ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜୟଦେବ ଜୟନ୍ତୀ ପାଳନ ସମନ୍ୱୟ ବୈଠକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରମ ଭକ୍ତ ଗୀତଗୋବିନ୍ଦର ରଚୟିତା ଭକ୍ତକବି ଜୟଦେବଙ୍କ ଜୟନ୍ତୀ ଆଗାମୀ ମଇ 3 ତାରିଖ ଅକ୍ଷୟ ତୃତୀୟାରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଆଜି ପୂର୍ବାହ୍ଣରେ ଭୁବନେଶ୍ୱର ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ଖୋର୍ଦ୍ଧା ଜିଲ୍ଲାପାଳଶ୍ରୀ ସଂଗ୍ରାମକେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଜୟଦେବ ବିଧାୟକ ଶ୍ରୀ ଅରବିନ୍ଦ ଢାଲିଙ୍କ ସମେତ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଉପଜିଲ୍ଲାପାଳ ଶ୍ରୀ ଦେବବ୍ରତ ସାହୁ,ବାଲିଅନ୍ତା ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ ଖଟୁଆ, ଜୟଦେବ ପଞ୍ଚାୟତର ସରପଞ୍ଚଙ୍କ ସମେତ ଅନ୍ୟ ସ୍ଥାନୀୟ ଜନପ୍ରତିନିଧି, ଜିଲ୍ଲା ଓ ଭୁବନେଶ୍ୱର ଉପଖଣ୍ଡର ବ୍ଲକସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକର ନିଷ୍ପତ୍ତି ଅନୁସାରେ ରୌଦ୍ରତାପକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଭୁବନେଶ୍ୱରରୁ ଆରମ୍ଭ ହେଉଥିବା ସଂକୀର୍ତ୍ତନ ପଦଯାତ୍ରା ବ୍ୟତୀତ ଜୟଦେବ ଜୟନ୍ତୀ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଗାମୀ ମଇ 3 ତାରିଖରେ ଜୟଦେବ ପୀଠ କେନ୍ଦୁବିଲ୍ଵ ଠାରେ ଜୟଦେବଙ୍କ ଜୟନ୍ତୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l 4 ତାରିଖରେ ଏଠାରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହିପରି ବାଲିପାଟଣାସ୍ଥିତ ଶିଶୁ ଅନନ୍ତ ପୀଠ ଠାରେ 3 ତାରିଖରେ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି । ରାଜ୍ୟ ସଂସ୍କୃତି ବିଭାଗ, ଜିଲ୍ଲା ସଂସ୍କୃତି ପରିଷଦ, ଖୋର୍ଦ୍ଧା ତରଫରୁ ଓଡିଶୀ ସଂଗୀତ, ଓଡିଶୀ ନୃତ୍ୟ ଆଦି ପ୍ରାୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ସମସ୍ତ କାର୍ଯ୍ୟକ୍ରମର ଆୟୋଜନ ନେଇ ସ୍ଥାନୀୟ ଜନପ୍ରତିନିଧି, ବ୍ଲକ, ତହସିଲ ପ୍ରଶାସନକୁ ଅନୁରୋଧକରାଯାଇଛି l ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ମହାପାତ୍ର, ଭକ୍ତକବି ଜୟଦେବଙ୍କ କୃତି ଓ ଓଡିଶାର ସାଂସ୍କୃତିକ ଐତିହ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ଜୟଦେବଙ୍କ ପବିତ୍ର ଜନ୍ମପୀଠ ଏବଂ ବାଲିପାଟଣାସ୍ଥିତ ଶିଶୁ ଅନନ୍ତ ପୀଠ ଠାରେ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାନେଇ ଜିଲ୍ଲା ପ୍ରଶାସନର ସହଯୋଗ ରହିବ ବୋଲି କହିଥିଲେ l ତତ୍ ସହିତଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ଜୟଦେବ ପୀଠର ବିକାଶ ବିକାଶ ପାଇଁ ପଦକ୍ଷେପ ସମ୍ପର୍କରେ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ l ସ୍ଥାନୀୟ ପଂଚାୟତସମିତି, ସରପଞ୍ଚ, ସ୍ଥାନୀୟ ସଂସ୍କୃତିକ ଅନୁଷ୍ଠାନ ଓ ଜନସାଧାରଣ ସମସ୍ତଙ୍କ ସହଯୋଗରେ ଏଥର ଜୟଦେବ ଜୟନ୍ତୀ ଅନୁଷ୍ଠିତ ହେବାନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । କୋଭିଡ କଟକଣା କୋହଳ ହେବାପରେ ସଂକୀର୍ତ୍ତନ ଯାତ୍ରା କରାଯାଇ ପାରୁନଥିବା ସତ୍ତ୍ୱେ ସ୍ଥାନୀୟ ଅଂଚଳରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ ପାଇଁ ଉତ୍ସାହ ପରିଲକ୍ଷିତ ହୋଇଛି l ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ଉନ୍ନୟନ ଅଧିକାରୀ ବାଲିପାଟଣା, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧକାରୀ, ବାଲିଅନ୍ତା, ତହସିଲଦାର ବାଲିଅନ୍ତl ଓ ବାଲିପାଟଣା, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଖୋର୍ଦ୍ଧା ଓ ଭୁବନେଶ୍ୱର,ୱାଟକୋର ନିର୍ବାହୀ ଯନ୍ତ୍ରୀ, ଏବିଡିଓ, ବାଲିଅନ୍ତାଙ୍କ ସମେତ ସମ୍ପୃକ୍ତ ବିଭିନ୍ନ ବିଭାଗର ଅଧିକାରୀ, ଜୟଦେବ ସରପଞ୍ଚ, ସ୍ଥାନୀୟ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରଥିଲେ ।