ହୃଦଘାତରେ ଶିକ୍ଷକଙ୍କ ପରଲୋକ
ବାଲେଶ୍ୱର, (ସରୋଜ ପଣ୍ଡା) :-ହୃଦଘାତରେ ଜନୈକ ଶିକ୍ଷକଙ୍କର ପରଲୋକ ହୋଇଯାଇଛି । ମୃତ ଶିକ୍ଷକ ହେଲେ ସଦର ଥାନା ଅନ୍ତର୍ଗତ ଗେଙ୍ଗୁଟି ଅଞ୍ଚଳର ପ୍ରାଣବନ୍ଧୁ ସାହୁଙ୍କ ପୁତ୍ର ତୁଷାର ସାହୁ (୫୧) । ନୂଆପୁର ପ୍ରାଥମିକ ବିଦ୍ୟାଳୟରେ ସେ ଶିକ୍ଷକତା କରନ୍ତି । ସବୁଦିନ ଭଳି ଗୁରୁବାର ସ୍କୁଲରେ ଥିବା ବେଳେ ସେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ସହକର୍ମୀ ଶିକ୍ଷକମାନେ ତାଙ୍କୁ ତାଙ୍କ ଘରେ ଛାଡ଼ି ଦେଇଥିଲେ । ତେବେ ଘରେ ଥିବା ବେଳେ ଯନ୍ତ୍ରଣା ଅଧିକ ହେବାରୁ ପରିବାର ଲୋକେ ଅପରାହ୍ଣରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଉପସ୍ଥିତିରେ ଆଜି ବ୍ୟବଚ୍ଛେଦ ପରେ ମୃତଶରୀରକୁ ପରିବାରକୁ ହସ୍ତାନ୍ତର କରାଯାଇଛି । ଏକ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତାଙ୍କର ଅକାଳ ବିୟୋଗରେ ପରିବାର ଲୋକେ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିବା ବେଳେ ଗ୍ରାମବାସୀ ଓ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି ।